ଭୁବନେଶ୍ୱର: ପ୍ରତ୍ୟେକ ଶିଶୁଙ୍କୁ ଏକ ସୁରକ୍ଷିତ ଓ ସୁସ୍ଥ ପରିବେଶ ଯୋଗାଇଦେବା ପାଇଁ ପରିବାର, ବିଦ୍ୟାଳୟ, ସମ୍ପ୍ରଦାୟ ଓ ଅନୁଷ୍ଠାନଗୁଡ଼ିକ ମିଳିତ ଉଦ୍ୟମ କରିବା ଉଚିତ। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାଧନାର ପଥ ବହୁ କଷ୍ଟକର। ତେଣୁ ଏଥିରେ ସଫଳ ହେବା ପାଇଁ ପିଲାମାନେ ନିରନ୍ତର ଉଦ୍ୟମ ଜାରି ରଖିବା ଆବଶ୍ୟକ। ଏକାମ୍ର ହାଟରେ ସାତଦିନ ଧରି ଚାଲିଥିବା ୩୬ ତମ ପିକକ୍ ଶିଶୁମେଳାର ଉଦ୍‌ଯାପନୀ ସମାରୋହର ମୁଖ୍ୟଅତିଥି ତଥା ଜାତୀୟ ମାନବାଧିକାର କମିସନର ସଦସ୍ୟ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏହା କହିଛନ୍ତି। 

Advertisment

ଶିଶୁମେଳା କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଈଶ୍ୱର ପିତାମାତାଙ୍କ ରୂପରେ ଘରେ ଅଛନ୍ତି ବୋଲି କହିଥିଲେ। ଏଥିସହିତ ଜୀବନରେ ସଫଳ ହେବା ପାଇଁ ୫-ମ ଯଥା ମାଆ, ମାଟି, ମାତୃଭାଷା, ମୋବାଇଲ ଓ ମଦମୁକ୍ତ ପରିବେଶ ଏବଂ ୫-ନ ଯଥା ନିରୋଗ, ନିରହଂକାର, ନିରାଡ଼ମ୍ବର, ନିଡର ଓ ନିଶାମୁକ୍ତ ପରିବେଶ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ତାଙ୍କ ବକ୍ତବ୍ୟରେ ପିଲାଙ୍କୁ ଆକ୍ଷେପ ନକରି ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବାକୁ କହିଥିଲେ। ଅନ୍ୟତମ ଅତିଥି ଶ୍ରମ କମିସନର ଇନ୍ଦ୍ରମଣି ତ୍ରିପାଠୀ ସୁସ୍ଥ ସମାଜ ଗଠନ ପାଇଁ ଶିଶୁ ଅଧିକାରର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଅନ୍ୟତମ ଅତିଥି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଶିଶୁମାନେ ଆମେ ଭବିଷ୍ୟତ ନୁହଁନ୍ତି, ବର୍ତ୍ତମାନ ବୋଲି କହିଥିଲେ। ଅନ୍ୟତମ ଅତିଥି ଅଲମ୍ପିୟାନ ଅନୁରାଧା ବିଶ୍ବାଳ ପିଲାଙ୍କ ଦକ୍ଷତାର ବିକାଶ ପାଇଁ ଏଭଳି ଏକ ମଞ୍ଚ ପ୍ରଦାନ କରିଥିବାରୁ ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ। ଅନ୍ୟତମ ଅତିଥି ଅନୁଷ୍ଠାନର ଅଧ୍ୟକ୍ଷା ମୀନାକ୍ଷୀ ପଣ୍ଡା ପ୍ରତ୍ୟେକ ଶିଶୁ ନିଜର ଅନ୍ତନିର୍ହିତ ପ୍ରତିଭା ପ୍ରକାଶ କରିବା ଆବଶ୍ୟକ ବୋଲି କହିଥିଲେ। 

ଏହି ଅବସରରେ ସାମ୍ୱାଦିକତା କ୍ଷେତ୍ର ପାଇଁ ‘ସମ୍ୱାଦ’ ଓ ‘କନକ ନ୍ୟୁଜ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ଶିକ୍ଷା କ୍ଷେତ୍ରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବି ଇସ୍ତାଦତ ମହାପାତ୍ର, ସାହିତ୍ୟ କ୍ଷେତ୍ରରେ ନଗେନ୍ଦ୍ରନାଥ ପଟ୍ଟନାୟକ, ଶିଶୁ ଅଧିକାର ସୁରକ୍ଷା କ୍ଷେତ୍ରରେ ଅଜିତ କୁମାର ମହାପାତ୍ରଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ସେହିପରି ଶିଶୁ ପ୍ରତିଭା ସତ୍ୟପ୍ରକାଶ ସେଠୀ, ଆଦ୍ୱିକା ଦାସ, ପ୍ରତିକ୍ଷା ସ୍ୱାଇଁ, ବିଜୟଲକ୍ଷ୍ମୀ ବେହେରା, ପୃବୀ ପ୍ରତ୍ୟାଶା ମହାଲିଙ୍ଗ, ଦିବ୍ୟାନୀ ରାଉତ, ଅଭିପ୍ରିୟା ଦାସ, ନୀଳାଂଶୁ ବେଦମ, ବୈଷ୍ଣବୀ ପତିଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ। ଶେଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅନୁଷ୍ଠାନର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଅନ୍ୱେଷା ବେହୁରା, ସୁମିତ୍ରା ମହାନ୍ତି, ଉପମା ମହାନ୍ତି, ପୂଜା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆରୁଷି ଅଦ୍ୱିକା ଓ ହର୍ଶାଲି ବୋରା ମଞ୍ଚ ପରିଚାଳନା କରିଥିଲେ।