ଫନି ଭାଙ୍ଗିଦେଲା ମୟୂର ବସା

ଖଣ୍ଡଗିରି : ବାତ୍ୟା ଫନି ଯୋଗୁଁ ଚନ୍ଦକା ଜଙ୍ଗଲର ସଂଲଗ୍ନ ଦେଉଳିଆପାଟଣା ସଂରକ୍ଷିତ ଜଙ୍ଗଲ ଓ ବିନ୍ଧ୍ୟଗିରି ଗ୍ରାମ୍ୟ ଜଙ୍ଗଲରେ ମୟୂରମାନଙ୍କୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଫନି ପରଠାରୁ ନିକଟସ୍ଥ ଗାଁମାନଙ୍କରେ ସେମାନଙ୍କୁ ଆଉ ଦେଖିବାକୁ ମିଳୁ ନଥିବାରୁ ସେମାନେ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। ବାତ୍ୟା ଫନି ସେମାନଙ୍କ ବସା ଭାଙ୍ଗି ଦେଇଥିବା କୁହାଯାଉଛି। ଦେଉଳିଆପାଟଣା ସଂରକ୍ଷିତ ଜଙ୍ଗଲ ନିକଟ ପାଇକରାପୁର, ଘଙ୍ଗାପାଟଣା, ଦେଉଳିଆପାଟଣା ଆଦି ଗାଁରେ ମୟୂରମାନେ ବିଚରଣ କରନ୍ତି। ସେହିଭଳି ବିନ୍ଧ୍ୟଗିରି ଗ୍ରାମ୍ୟ ଜଙ୍ଗଲ ଓ ରତନପୁର ଗ୍ରାମ୍ୟ ଜଙ୍ଗଲ ସଂଲଗ୍ନ ବିନ୍ଧ୍ୟଗିରି, ମୁଣ୍ଡାସାହି, ମଧୁପୁର, ମହୁଲ ଆଦି ଗାଁ ନିକଟରେ ମୟୂରମାନେ ବହୁଳ ସଂଖ୍ୟାରେ ଦେଖାଯାଆନ୍ତି। ମାତ୍ର ବାତ୍ୟା ପରଠାରୁ ଏସବୁ ଅଞ୍ଚଳରେ ସେମାନଙ୍କ ବିଚରଣ ପ୍ରାୟତଃ ଦେଖାଯାଉନାହିଁ। ଏବେ ଖରା ଦିନ ହୋଇଥିବାରୁ ଏହି ସବୁ ଅଞ୍ଚଳରେ ଅଧିକ ସଂଖ୍ୟାରେ ମୟୂର ଦେଖାଯିବା କଥା। ଜଙ୍ଗଲରେ ଜଳାଭାବ ଓ ଖାଦ୍ୟାଭାବ ପାଇଁ ଖରାଦି‌ନେ ମୟୂରମାନେ ସାଧାରଣତଃ ଗାଁମୁହାଁ ହୋଇଥାଆନ୍ତି। କିନ୍ତୁ ଫନି ପରଠାରୁ ସେମାନଙ୍କୁ ଦେଖିବାକୁ ମିଳୁନଥିବାରୁ ସେମାନେ ଜଙ୍ଗଲରେ ଅଛନ୍ତି କି ନା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଙ୍ଗଲକୁ ଯାଉଥିବା ସ୍ଥାନୀୟ ଆଦିବାସୀମାନଙ୍କ କହିବା କଥା ସେମାନେ ଜଙ୍ଗଲ ଭିତରେ ବି ମୟୂରମାନଙ୍କୁ ଦେଖିବାକୁ ପାଉନାହାନ୍ତି। ତେଣୁ ବାତ୍ୟା ପରେ ସେମାନେ ଏହି ଜଙ୍ଗଲ ଛାଡ଼ି ପଳାଇଥିବା ଆଶଙ୍କା କରାଯାଉଛି। ଏବେ ମୟୂରମାନଙ୍କ ଅଣ୍ଡା ଦେବା ଋତୁ। ଫନି ଯୋଗୁଁ ବଣବୁଦା କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କ ବସା ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି। ଦେଉଳିଆ ପାହାଡ଼ର ପଥର କୋରଡ଼ ସବୁ ଏବେ ମୁକୁଳା ପଡ଼ିଥିବାରୁ ସେଠାରେ ମୟୂରମାନଙ୍କ ବସା ବାନ୍ଧିବା ପାଇଁ ଆଉ ଅନୁକୂଳ ପରିବେଶ ହୋଇନାହିଁ। ସେହିଭଳି ରତନପୁର କାଜୁ ଜଙ୍ଗଲ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ବହୁତ ଗଛ ଉପୁଡ଼ି ପଡ଼ିଛି ଓ ବହୁ ଗଛ ଭାଙ୍ଗି ଯାଇଛି। ତେଣୁ ସେଠାରେ ବି ମୟୂର ବସା ସବୁ ଭାଙ୍ଗି ଯାଇଥିବା କୁହାଯାଉଛି। ଫଳରେ ଏହି ଅଣ୍ଡା ଦିଆ ଋତୁରେ ସେମାନେ ଚନ୍ଦକା ଅଭୟାରଣ୍ୟର ଘଞ୍ଚ ଅଞ୍ଚଳକୁ ପଳାଇଥିବା ଅନୁମାନ କରାଯାଉଛି। ତେଣୁ ମୟୂରମାନଙ୍କୁ ନ ଦେଖି ସ୍ଥାନୀୟ ଲୋକଙ୍କ ଭିତରେ ଦୁଃଖ ପ୍ରକାଶ ପାଇଛି। ଏକଦା ଦେଉଳିଆମୁଣ୍ଡିଆକୁ ମୟୂର ଅଭୟାରଣ୍ୟର ମାନ୍ୟତା ପାଇଁ ଦାବି ହେଉଥିଲା। ବହୁ ଦିନରୁ ଅନୁକୂଳ ପରିବେଶ ପାଇଁ ଏଠାରେ ମୟୂରମାନେ ବହୁ ସଂଖ୍ୟାରେ ବାସ କରି ଆସୁଥିବାରୁ ଏହାକୁ ଲୋକେ ମୟୂର ଅଭୟାରଣ୍ୟ ବୋଲି କହି ଆସୁଥିଲେ। ମାତ୍ର ବାତ୍ୟା ଫନି ଯୋଗୁଁ ସବୁ କିଛି ଓଲଟପାଲଟ ହେବାକୁ ବସିଛି। କିନ୍ତୁ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏଭଳି ଆଶଙ୍କାକୁ ଖଣ୍ଡନ କରୁଛନ୍ତି। ସେମାନଙ୍କ କହିବା କଥା, ଫନି ମୟୂରମାନଙ୍କର କ୍ଷତି କରିବା ଭଳି କିଛି ସଂକେତ ଦେଖାଯାଉନାହିଁ। ଏବେ ସେମାନେ ନିକଟସ୍ଥ ଗାଁମାନଙ୍କରେ ଦେଖାଯାଉ ନଥିଲେ ବି ଜଙ୍ଗଲ ଛାଡ଼ି ଯାଇନାହାନ୍ତି, ବରଂ ଗାଁମାନଙ୍କରେ ବଡ଼ ବଡ଼ ଗଛ ଓ ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହୋଇଥିବାରୁ ସେମାନେ ଜଙ୍ଗଲ ଛାଡ଼ି ବାହାରକୁ ଆସୁନାହାନ୍ତି। ତେଣୁ ଆଉ କିଛି ଦିନ ପରେ ପରିବେଶ ସ୍ବାଭାବିକ ହେଲା ପରେ ପୁଣି ସେମାନେ ଦେଖାଯିବେ ବୋଲି ବନ କର୍ମଚାରୀମାନେ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର