କଅଁଳ କଣ୍ଠରେ ବିରାଟ ବାର୍ତା

ପିକକ୍‌ର ଶିଶୁମେଳାର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର: କଅଁଳ ବୟସ ବୋଲି ପାଟି ପୂରା ଫିଟୁ ନଥିଲା। ହେଲେ ତାଙ୍କ କଣ୍ଠରେ ରାଇମ୍‌ସର ସେଇ ଅସ୍ପଷ୍ଟ ଉଚ୍ଚାରଣ ସାଙ୍ଗକୁ ଚପଳ ଅଭିନୟ ମନ କିଣି ନେଉଥିଲା। ପିପୁଲ୍‌ସ କଲ୍‌ଚରାଲ୍‌ ସେଣ୍ଟର୍‌ (ପିକକ୍‌) ପକ୍ଷରୁ ଏକାମ୍ର ହାଟରେ ଆୟୋଜିତ ଶିଶୁ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଆବୃତ୍ତି ପ୍ରତିଯୋଗିତା ସୃଷ୍ଟି କରିଥିଲା ଏମିତି ଏକ ଆସର। ବିଭିନ୍ନ ସ୍କୁଲ୍‌ର କୁନିକୁନି ପିଲାମାନେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଆବୃତ୍ତି କରିଥିଲେ। ତେବେ ସେଇ କଅଁଳ କଣ୍ଠରେ ସେମାନେ ଦେଶ ସୁରକ୍ଷାଠୁ ନେଇ କନ୍ୟାରତ୍ନ ଭଳି ବିରାଟ ବାର୍ତାମାନ ବିଞ୍ଚି ଚାଲିଥିଲେ।

କମଲ ପତି, ପ୍ରବୀଣା ତ୍ରିପାଠୀ, ଇତିଶ୍ରୀ ଦୀକ୍ଷିତ୍‌, ଶୈଲାନି ସୁମନ ପ୍ରମୁଖ ବିଚାରକ ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ପରେ କ୍ୱିଟ୍‌ କିଡ୍‌ସ, ଦିବ୍ୟଜ୍ୟୋତି ସ୍ମୃତିପୀଠ ଏବଂ ସାରଳା ଡ୍ୟାନ୍ସ ଏକାଡେମିର କଳାକାରମାନେ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କରିଥିଲେ।

ସନ୍ଧ୍ୟାରେ ଆୟୋଜିତ ସଭାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ରାଜଲକ୍ଷ୍ମୀ ଦାସ, ରାଜ୍ୟ ମହିଳା କମିସନର ସ୍ନେହାଞ୍ଜଳି ମହାନ୍ତି, ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ, ସମାଜସେବୀ ରାଜେନ୍ଦ୍ର ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଆଶୀର୍ବଚନ ଶୁଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିକକ୍‌ ଶିଶୁ ମେଳା କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ପିକକ୍‌ର ଅଧ୍ୟକ୍ଷା ଆଦରମଣି ବରାଳ, ସମ୍ପାଦକ ରଂଜନ ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପିକକ୍‌ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଜ୍ୟୋତିର୍ମୟୀ ମହାପାତ୍ର, ଗଣେଶ୍ୱର ସିଂ, ପାଣୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆସନ୍ତାକାଲି ସନ୍ଧ୍ୟାରେ ଆମ୍ପି ଥିଏଟର୍‌ କାର୍ଯ୍ୟକ୍ରମ ଆୟୋଜିତ ହେବ।

ସମ୍ବନ୍ଧିତ ଖବର