ଆରମ୍ଭ ହେଲା ପିକକ୍‌ ଶିଶୁମେଳା

ଭୁବନେଶ୍ବର: ଜୀବନରେ ବଡ଼ ମଣିଷ ହେବା ପାଇଁ ଶିଶୁମାନେ ବର୍ତ୍ତମାନଠାରୁ ହିଁ ସ୍ବପ୍ନ ଦେଖିବା ଆରମ୍ଭ କରନ୍ତୁ। ସ୍ବପ୍ନ ବାସ୍ତବଧର୍ମୀ ହେବା ଆବଶ୍ୟକ। ତାହାକୁ ସାକାର କରିବା ଲାଗି ନିଷ୍ଠାର ସହ ଉଦ୍ୟମ ଜାରି ରଖନ୍ତୁ। ମାତାପିତା ଓ ଶିକ୍ଷକ/ଶିକ୍ଷୟିତ୍ରୀ ସେମାନଙ୍କୁ ପ୍ରେରଣା ଦେବାକୁ ଆଗେଇ ଆସିବା ଦରକାର ବୋଲି ପିକକ୍‌ ଶିଶୁମେଳାର ଉଦ୍‌ଘାଟନୀ ସମାରୋହ‌ରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ମତ ରଖିଛନ୍ତି। ଆଜି ଏକାମ୍ର ହାଟ ମୁକ୍ତମଞ୍ଚରେ ପିପୁଲ୍‌ସ କଲଚରାଲ ସେଣ୍ଟର୍(ପିକକ୍‌) ପକ୍ଷରୁ ଆରମ୍ଭ ହୋଇଛି ୨୯ତମ ସପ୍ତାହବ୍ୟାପୀ ଶିଶୁମେଳା। ଉତ୍ସବରେ ବିଶିଷ୍ଟ ଅତିଥି ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି ପିଲାମାନଙ୍କୁ ସାହସୀ ହେବାକୁ ଆହ୍ବାନ ଦେଇଥିଲେ। ଅନ୍ୟାୟ ବିରୋଧରେ ସ୍ବର ଉଠାଇବା ଓ ନିଜ ଭିତର ଭୟକୁ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ। ଶ୍ରମ କମିସନର୍‌ ଅଞ୍ଜନ କୁମାର ମାଣିକ କହିଲେ, ଶିଶୁର ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ଶିଶୁ ଶ୍ରମ ପ୍ରଥାର ବିଲୋପ ଦିଗରେ ସମସ୍ତେ ଉଦ୍ୟମ କରିବା ଉଚିତ୍‌ ବୋଲି ସେ କହିଥିଲେ। ଉତ୍ସବରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଏଚ୍‌ସିସିବିର ବରିଷ୍ଠ କର୍ମକର୍ତ୍ତା କଲ୍ୟାଣ ରଞ୍ଜନ, ପୂର୍ବତନ ପ୍ରଶାସକ ସହଦେବ ସାହୁ, ଆଡପ୍‌ସନ୍‌ସ୍‌ ସଣ୍ଟ୍ରେମର ରୁବି ରାଉତ, ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଦାସ ଓ ଲାବଣ୍ୟ ଦାସ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ପିକକ୍‌ର ସଂଯୋଜକ ରଞ୍ଜନ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ପିକକ୍‌ ଶିଶୁମେଳା ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଓ ଅଧ୍ୟକ୍ଷା ଆଦରମଣି ବରାଳ ଏଥିରେ ଉପସ୍ଥିତ ଥିଲେ। କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ। ରତ୍ନା ଦାଶ, ଜ୍ୟୋତି ମହାପାତ୍ର, ଜ୍ୟୋତି ଶଙ୍କର ମହାନ୍ତି ଓ ଗଣେଶ୍ବର ସି˚ହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର