ପିକକ୍‌ ଶିଶୁମେଳା : ‘ଜଣେ ବି ଶିଶୁକୁ ଅବହେଳିତ ହେବାକୁ ଦେବାନାହିଁ’

ଭୁବନେଶ୍ବର : ଗୋଟିଏ ବି ଶିଶୁକୁ ଅବହେଳିତ ହେବାକୁ ଦେବାନାହିଁ। ବରଂ ‌ଯେଉଁଠି ବି ଅବହେଳିତ ଶିଶୁଟିଏ ଦେଖିବା ‌ଏ ସମ୍ପର୍କରେ ଜୁଭେନାଇଲ୍‌ ‌ଜଷ୍ଟିସ୍‌ ବୋର୍ଡକୁ ପୋଷ୍ଟ୍‌କାର୍ଡରେ ଲେଖି ଜଣାଇବା। ମୁଁ ମଧ୍ୟ ପ୍ରତିଜ୍ଞା କରୁଛି, ଯଦି କୌଣସି ଅବହେଳିତ ଶିଶୁଙ୍କ ସମ୍ପର୍କରେ ଚିଠି ପାଇଲି ତା’ର ଯତ୍ନ ନେବି। ଏକଥା କହିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ବିଶ୍ବନାଥ ରଥ। ପିକକ୍‌ ପକ୍ଷରୁ ଆୟୋଜିତ ୩୦ତମ ଶିଶୁ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନ୍ୟାୟମୂର୍ତି ଶ୍ରୀ ରଥ ଖୁସି ବ୍ୟକ୍ତ କରି କହିଲେ, ଆଜି ମୋ ବିବାହ ବାର୍ଷିକୀ ଥିବାରୁ ପିଲାଙ୍କ ଗହଣରେ ସମୟ କାଟିବା ମୋ ପାଇଁ ଶ୍ରେଷ୍ଠ ଉପହାର।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିତାମାତାଙ୍କ ଉଦ୍ଦେଶ୍ୟରେ କହିଲେ, କେବେ ବି ଅଭିଳାଷ ପୂରଣ କରିବା ପାଇଁ ନିଜ ପିଲାଙ୍କୁ ବ୍ୟବହାର କରନ୍ତୁ ନାହିଁ। ବରଂ ସେମାନଙ୍କ ରୁଚି ଜାଣି ଉତ୍ସାହିତ କରନ୍ତୁ। ପିଲାମାନଙ୍କ ଉଦ୍ଦେଶ୍ୟରେ କହିଲେ, ଆମେ ଈଶ୍ବରଙ୍କୁ ଦେଖିନେ କିନ୍ତୁ ବାପା ମା’ ସଦୃଶ ଈଶ୍ବର ଆମ ପାଖରେ ଅଛନ୍ତି। କେବେ ବି ତାଙ୍କୁ ହତାଦାର କରିବା ନାହିଁ। ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ କହିଲେ, ଶିଶୁ ସଂସାରର ଅନନ୍ୟ ସୃଷ୍ଟି। ୨୫ ବର୍ଷ ବୟସ ପର୍ଯ୍ୟନ୍ତ ସେ ଯାହା ତପସ୍ୟା କରିବ ତା’ର ଫଳ ପରବର୍ତୀ ଜୀବନ‌ରେ ଭୋଗ କରିବ। ପୂର୍ବତନ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ କହିଲେ, ଜୀବନରେ ଯେତେ ବାଧା ବିଘ୍ନ ଆସୁ ଆମେ ଜିଇଁବା ଶିଖିବା। ପିକକ୍‌ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପିକକ୍‌ର ଅଧ୍ୟକ୍ଷା ଆଦରମଣି ବରାଳ, ସମାଜସେବୀ ଜୁଲିଏନ୍‌, ଜେଫ୍‌, ରୁବି ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସାହସିକତା ପାଇଁ ଶ୍ରୀମତୀ ବନ୍ଦ୍ରାଙ୍କୁ ବାଜି ରାଉତ ସ୍ମାରକୀ ସମ୍ମାନ, ସମାଜସେବା ପାଇଁ କଲ୍ୟାଣୀ ପ୍ରିୟଦର୍ଶିନୀଙ୍କୁ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ, ଆୟୁଶା ପଟ୍ଟନାୟକଙ୍କୁ ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ପ୍ରତିଭା ସମ୍ମାନ, ଆୟେଶା ସାମଲଙ୍କୁ ଶରତ ପୂଜାରୀ ସ୍ମାରକୀ ସମ୍ମାନ, ସ୍ମୃତିରଂଜନ ମହାନ୍ତି ଓ ରାଜେଶ୍ବରୀ ସ୍ବାଇଁଙ୍କୁ କେତକୀ ପଟ୍ଟନାୟକ ସ୍ମାରକୀ ସମ୍ମାନ, ଗୌତମ ରଥଙ୍କୁ ବେବି ଅଫ୍‌ ଦି ଇୟର ସମ୍ମାନ ପ୍ରଦାନ କରାଯାଥିଲା। ଏଥିସହ କିଶୋର ଚନ୍ଦ୍ର ପରମଗୁରୁଙ୍କୁ ଅବନୀ ବରାଳ ସ୍ମାରକୀ ସମ୍ମାନ, ଶୀତଳ ତରଙ୍ଗ ବେଉରିଆଙ୍କୁ ସ୍ବରୂପ ଜେନା ସ୍ମାରକୀ ସମ୍ମାନ, ନୃସିଂହନାଥ ସିଂଙ୍କୁ ଶିଶୁ ସାଥୀ ସମ୍ମାନ, ପ୍ରକାଶ କୁମାର ରଥଙ୍କୁ ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ଅଧିକାର ସୁରକ୍ଷା ସମ୍ମାନ, ରଶ୍ମିତା ପାତ୍ରଙ୍କୁ ଆରାଧନା ନନ୍ଦ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା। ପିକକ୍‌ର ସମ୍ପାଦକ ରଂଜନ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ। ରତ୍ନା, ଜ୍ୟୋତି ଶଙ୍କର, ପ୍ରଶାନ୍ତ, ଗଣେଶ୍ବର, ପାଣୁ, ‌ଉପମା, ବିନୋଦ ସୁମିତ୍ରା ଓ ମୋନାଲିସା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର