ପାଦଚଲା ଶ୍ରମିକଙ୍କୁ ମିଳିଲା ବସ୍ ସେବା, ପୁଲିସ କଥା ଶୁଣି ପ୍ରଥମେ ଡରୁଛନ୍ତି

୩୧ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇଲା ପୁଲିସ

ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥରେ ଚାଲୁଥିବା ୧୬୦ ପ୍ରବାସୀ ଶ୍ରମିକଙ୍କୁ ସୋମବାର କମିସନରେଟ୍‌ ପୁଲିସ ବସ୍ ସେବା ଯୋଗାଇ ଦେଇଛି। ଖଣ୍ଡଗିରି ତପୋବନ ବିଦ୍ୟାଳୟ ନିକଟ ଆଶ୍ରୟ କେନ୍ଦ୍ରରୁ ବସ୍‌ ଯୋଗେ ସେମାନଙ୍କୁ ଓଡ଼ିଶା ସୀମା ପାର୍ କରାଯାଇଛି। ତେବେ ସନ୍ଧ୍ୟାରେ ଉଦ୍ଧାର ହୋଇଥିବା ଆହୁରି ୫୪ ଜଣ ପ୍ରବାସୀ ଶ୍ରମିକଙ୍କୁ ଖାଇବା ପିଇବାକୁ ଦିଆଯାଇ ସେଠାରେ ରଖାଯାଇଛି ଓ ଆସନ୍ତାକାଲି ବସ୍ ଯୋଗେ ସେମାନଙ୍କୁ ପଠାଯିବ ବୋଲି ଖଣ୍ଡଗିରି ଥାନା ସୂତ୍ରରୁ ସୂଚନା ମିଳିଛି।

ଆଜି ୧୬ ନମ୍ବର ଜାତୀୟ ରାଜପଥରୁ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗର ଏହି ୧୬୦ ଶ୍ରମିକଙ୍କୁ ଖଣ୍ଡଗିରି ଥାନା ପୁଲିସ ଉଦ୍ଧାର କରିଥିଲା। ସେମାନେ ଡହଡହ ଖରାରେ ଚାଲି ଚାଲି ଯାଉଥିଲେ। ଏହି ସମସ୍ତ ଶ୍ରମିକମାନେ ଆନ୍ଧ୍ରପ୍ରଦେଶରୁ ଚାଲି ଚାଲି ଆସିଥିବା କହିଥିଲେ। ଦୀର୍ଘ ୧୫/୧୬ ଦିନ ଲେଖାଏ ଚାଲିବା ପରେ ସେମାନେ ଖଣ୍ଡଗିରି ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେମାନଙ୍କୁ ଖଣ୍ଡଗିରି ତପୋବନ ବିଦ୍ୟାଳୟ ନିକଟ ଅସ୍ଥାୟୀ ଆଶ୍ରୟ କେନ୍ଦ୍ରରେ ରଖାଯାଇଥିଲା ଓ ମଧ୍ୟାହ୍ନ ଭୋଜନ ଦେବା ପରେ ୩ଟି ବସ୍‌ ଯୋଗେ ଓଡ଼ିଶା ସୀମା ପର୍ଯ୍ୟନ୍ତ ନିଆଯାଇଥିଲା। ଆଜି ଅପରାହ୍ଣରେ ଜଟଣୀ ମାଲ୍ ଗୋଦାମରେ କାମ କରୁଥିବା ପଶ୍ଚିମବଙ୍ଗର ୯ ଜଣ ଶ୍ରମିକଙ୍କୁ ତମାଣ୍ଡୋ ଥାନା ପୁଲିସ ନଁପୁଟ ଗାଁ ପାଖରୁ ଉଦ୍ଧାର କରିଥିଲା। ଏହି ଶ୍ରମିକମାନେ ଜଟଣୀରୁ ବାହାରି ଚାଲି ଚାଲି ନଁପୁଟ‌ଠାରେ ପହଞ୍ଚିବା ପରେ ଗ୍ରାମବାସୀମାନେ ସେମାନଙ୍କୁ ଅଟକାଇବା ସହ ତମାଣ୍ଡୋ ଥାନା ପୁଲିସକୁ ଜଣାଇଥିଲେ। ତମାଣ୍ଡୋ ଥାନା ପୁଲିସ ସେମାନଙ୍କୁ ସେଠାରୁ ଏକ ଗାଡ଼ିରେ ନେଇ ଖଣ୍ଡଗିରିରେ ଆଶ୍ରୟ କେନ୍ଦ୍ର‌ରେ ଛାଡ଼ିଥିଲା। ସେହିଭଳି ୧୬ ନମ୍ବର ଜାତୀୟ ରାଜପଥ ଗୋହିରା ଛକରୁ ତମାଣ୍ଡୋ ଥାନା ପୁଲିସ ୪୫ ଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ପଶ୍ଚିମବଙ୍ଗ ମାଲ୍‌ଦା ଅଞ୍ଚଳର ଏହି ଶ୍ରମିକମାନେ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରୁ ଚାଲି ଚାଲି ଘରମୁହାଁ ହୋଇଥିଲେ। ସେମାନେ ଦୀର୍ଘ ୧୯ ଦିନ କାଳ ବାଟ ଚାଲିବା ପରେ ଗୋହିରା ଛକରେ ପହଞ୍ଚିଥିଲେ। ପ୍ରଥମେ ଭୟ କରି ସେମାନେ ପୁଲିସର ସହଯୋଗ ନେବାକୁ ମନା କରିଥିଲେ। ରାଜମେହନ୍ଦ୍ରୀରୁ ଚାଲି ଚାଲି ଆସିବା ରାସ୍ତାରେ ପୁଲିସ ସେମାନଙ୍କୁ ୪/୫ ଥର ପିଟିଥିବା କାରଣରୁ ସେମାନେ ପୁଲିସ କଥା ଶୁଣି ଡରି ଯାଇଥିଲେ। କିନ୍ତୁ ତମାଣ୍ଡୋ ଥାନା ପୁଲିସ ସେମାନଙ୍କୁ ଆଶ୍ବାସନା ଦେବା ପରେ ସେମାନେ ପୁଲିସ ଗାଡ଼ିରେ ବସିଥିଲେ ଓ ଖଣ୍ଡଗିରି ପର୍ଯ୍ୟନ୍ତ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଏବେ ବି ଚାଲି ଚାଲି ଯାଉଥିବା ବହୁ ଶ୍ରମିକ ପୁଲିସକୁ ଏଡ଼ାଇ ଯିବାକୁ ପସନ୍ଦ କରୁଛନ୍ତି। ରାସ୍ତାରେ ପୁଲିସର ଅତ୍ୟାଚାର ମନରୁ ଲିଭି ନଥିବାରୁ ସେମାନେ ଏବେ ବି ଭୟ କରୁଛନ୍ତି ଓ ପୁଲିସର ସହଯୋଗ ନେବାକୁ ମନା କରୁଛନ୍ତି।

ତ୍ରିଶୁଳିଆ: ବାରଙ୍ଗ ଥାନା ଅନ୍ତର୍ଗତ ରାମଦାସପୁର ପଞ୍ଚାୟତ ଅଧୀନ ନିର୍ମାଣାଧୀନ ଓମ୍‌ଫେଡ୍ କମ୍ପାନିରେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିବା ବିହାରର ୧୦ ଓ ପଶ୍ଚିମବଙ୍ଗର ୨୧ଜଣ ଶ୍ରମିକ ଘରକୁ ଫେରିବା ପାଇଁ ସୋମବାର ସକାଳୁ ଗୋଡ଼ିସାହି ଫାଣ୍ଡିରେ ପହଞ୍ଚିଥିଲେ। ଖାଇବାକୁ ମିଳୁନଥିବାରୁ ସେମାନେ ନିଜ ଘରକୁ ଫେରିଯିବା ପାଇଁ ଫାଣ୍ଡି ଅଧିକାରୀଙ୍କୁ ଗୁହାରି କରିଥିଲେ। ତେବେ ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ମଲ୍ଲିକ ସେମାନଙ୍କୁ ଶୁଖିଲା ଖାଦ୍ୟ ଦେଇ ସରକାରୀ ବସ୍‌ରେ ବାଲିକୁଦାଠାରେ ଅବସ୍ଥିତ ଏଲ୍‌ଏନ୍‌ଟି ପ୍ରଶିକ୍ଷଣ କେନ୍ଦ୍ରକୁ ପଠାଇଥିଲେ। ସେଠାରୁ ସେମାନଙ୍କୁ ସେମାନଙ୍କ ରାଜ୍ୟମାନଙ୍କୁ ଛାଡ଼ି ଦିଆଯାଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର