ଖୋର୍ଦ୍ଧାରୁ ଉଠୁଛି ଭତ୍ତା ଟଙ୍କା; ୩ ବର୍ଷ ହେଲା ମିଳୁନି ଭତ୍ତା, ବିଧବା ମହିଳା ବାରଦୁଆର

ଭୁବନେଶ୍ୱର : ବିଏମ୍‌ସିରେ ସଫେଇ କର୍ମଚାରୀ ଭାବରେ କାମ କରୁଥିବା କର୍ମଚାରୀ ଧର୍ମେନ୍ଦ୍ର ଦାସଙ୍କ ବିଧବା ମା’ଙ୍କୁ ୩ ବର୍ଷ ହେଲା ଭତ୍ତା ମିଳୁନି। ଗୋଟିଏ ଜାଗା ଛାଡ଼ି ଅନ୍ୟତ୍ର ଆସିବା ପରେ ସେ ପୂର୍ବରୁ ପାଉଥିବା ଏହି ଭତ୍ତା ଆଉ ପାଉନାହାନ୍ତି। ୩ ବର୍ଷ ହେଲା ସେ ବିଏମ୍‌ସି ଅଫିସ୍‌ ସମେତ ଜୋନ୍‌ ଅଫିସ୍‌ ଦଉଡ଼ିବା ପରେ ହତାଶ ହୋଇ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବଡ଼କଥା ହେଉଛି ତାଙ୍କର ଭତ୍ତା ଖୋର୍ଦ୍ଧାରୁ କେହି ଜଣେ ନେଇ ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଧର୍ମେନ୍ଦ୍ର ପୂର୍ବରୁ ୩୭ ନମ୍ବର ୱାର୍ଡ ଜୟଦେବ ବିହାର ଛକ ଜଗନ୍ନାଥ ବସ୍ତିରେ ରହୁଥିଲେ। ୨୦୧୮ ମସିହା‌ରେ ବିଏମ୍‌ସି ଏହି ବସ୍ତି ଉଚ୍ଛେଦ କରିବା ପରେ ସେମାନେ ୨୩ ନମ୍ବର ୱାର୍ଡ ପଣ୍ଡାକୁଦିଆକୁ ଯାଇଥିଲେ। ୨୦୧୨ ମସିହାରେ ତାଙ୍କର ବାପାଙ୍କର ମୃତ୍ୟୁ ହୋଇଥିଲା। ଜଗନ୍ନାଥ ବସ୍ତିରେ ରହୁଥିବା ବେଳେ ତାଙ୍କ ମା’ ପଞ୍ଚେଇ ଦାସ ବିଧବା ଭତ୍ତା ପାଉଥିଲେ। ହେଲେ ପଣ୍ଡାକୁଦିଆକୁ ସ୍ଥାନାନ୍ତର ହେବା ପରେ ଆଉ ଭତ୍ତା ମିଳିନଥିଲା। ପଞ୍ଚେଇ ଜଣେ ମାନସିକ ରୋଗୀ ଓ କ୍ୟାନ୍‌ସର୍‌ରେ ମଧ୍ୟ ପୀଡ଼ିତ। ଭତ୍ତା ବନ୍ଦ ହୋଇଯିବା ଫଳରେ ସେ ଘୋର ଆର୍ଥିକ ଅନଟନର ଶିକାର ହୋଇଥିଲେ। ୨ ମାସ ପରେ ସେ ୩୭ ନମ୍ବର ୱାର୍ଡ ଥିବା ଦକ୍ଷିଣ ପଶ୍ଚିମ ଜୋନ୍‌କୁ ବୁଝିବା ପାଇଁ ଯାଇଥିଲେ। କିନ୍ତୁ ଖୋର୍ଦ୍ଧାରୁ କେହି ଜଣେ ତାଙ୍କ ଭତ୍ତା ଉଠାଇ ନେଉଛି। କେହି ସମ୍ପର୍କୀୟ ଯଦି ଉଠାଇ ନେଉଥିବେ ବୁଝନ୍ତୁ ବୋଲି ସେଠାରେ ତାଙ୍କୁ କୁହାଯାଇଥିଲା। ଏଣୁ ସେ ବିଏମ୍‌ସି ଅଫିସ୍‌ରେ ଯୋଗାଯୋଗ କରିଥିଲେ। ହେଲେ ସେଠାରେ ମଧ୍ୟ ନିରାଶ ହେଲେ। ୩୭ ନମ୍ବର ୱାର୍ଡର ତତ୍‌କାଳୀନ କର୍ପୋରେଟରଙ୍କୁ ମଧ୍ୟ ଭେଟିଲେ ହେଲେ କିଛି ଲାଭ ହେଲା ନାହିଁ। ଏଣୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଘଟଣାର ଅନୁସନ୍ଧାନ କରିବା ସହ ୨୩ ନଂ ୱାର୍ଡରେ ଭତ୍ତା ପ୍ରଦାନ କରିବା ଓ ୩ ବର୍ଷର ବକେୟା ଭତ୍ତା ଟଙ୍କା ଦେବାକୁ ସେ ଗୁହାରି କରିଛନ୍ତି।

ଅନ୍ୟଜଣେ ହିତାଧିକାରୀ ହେଉଛନ୍ତି ଏହି ପଣ୍ଡାକୁଦିଆ ବସ୍ତିର ବୈଜୟନ୍ତୀ ସିଂ। ସେ ମଧ୍ୟ ୮ ମାସ ହେଲା ବିଧବା ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି। ଏ ନେଇ ଆମେ ବିଏମ୍‌ସି ଡେପୁଟି କମିସନର ରମେଶ ଜେନା କହିଛନ୍ତି, ଦୁଇ ମାସରୁ ଅଧିକ ସମୟ ଧରି ଭତ୍ତା ନ ନେଲେ ନାଁ କଟିଯାଏ। କିନ୍ତୁ କରୋନା କଟକଣା ଥିବାରୁ ଆମେ ଏହାକୁ କୋହଳ କରିଛୁ। ଏଭଳି ୫ଶହରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କର ମାମଲା ବିଚାରାଧୀନ ରହିଛି। ଧର୍ମେନ୍ଦ୍ରଙ୍କ ମା’ଙ୍କ ସମସ୍ୟା ନେଇ ମୋ ପାଖକୁ ଅଭିଯୋଗ ଆସିଲେ; ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।

ସମ୍ବନ୍ଧିତ ଖବର