ଭୁବନେଶ୍ୱର: ଦୀର୍ଘ ୨୮ ବର୍ଷ ଧରି ବ୍ୟାଙ୍କ କର୍ମଚାରୀଙ୍କ ମୂଳ ପେନ୍‌ସନରେ ସଂଶୋଧନ ହୋଇନାହିଁ। ଏହି ସମୟରେ ବ୍ୟାଙ୍କ କର୍ମଚାରୀମାନଙ୍କର ବେତନ ସଂଶୋଧନ ୫ଥର ହୋଇଛି। ଫଳରେ ୧୯୯୫ ମସିହାରେ ଅବସର ନେଇଥିବା କର୍ମଚାରୀ ଓ ୨୦୨୦ରେ ଅବସର ନେଇଥିବା କର୍ମଚାରୀଙ୍କ ପେନସନ୍‌ରେ ଅନେକ ତାରତମ୍ୟ ପରିଲକ୍ଷିତ ହେଉଛି। ବ୍ୟାଙ୍କ କ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସଂସ୍ଥାରେ ଏଭଳି ତାରତମ୍ୟ ପରିଲକ୍ଷିତ ହେଉନାହିଁ। ତେଣୁ ମୂଳ ପେନ୍‌ସନର ସଂଶୋଧନ ପାଇଁ ନିଖିଳ ଓଡ଼ିଶା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ ଦାବି କରିଛି।

Advertisment

ନିଖିଳ ଓଡ଼ିଶା ଅବସରପ୍ରାପ୍ତ କର୍ମଚାରୀ ସଂଘର ତୃତୀୟ ବାର୍ଷିକ ସମ୍ମିଳନୀରେ ଏହି ଦାବି ଉପସ୍ଥାପନ କରାଯାଇଛି। କର୍ମଚାରୀ ସଂଘର ସାଧାରଣ ସଂପାଦକ ସର୍ବତ୍‌ ଚାନ୍ଦ ଜୈନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ। ରିଜର୍ଭ ବ୍ୟାଙ୍କ ଢାଞ୍ଚାରେ ମୂଳ ପେନ୍‌ସନ ସଂଶୋଧନ, ୨ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା, ନଭେମ୍ୱର ୨୦୦୨ ମସିହା ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କ କ୍ଷେତ୍ରରେ ମହଙ୍ଗା ଭତ୍ତାରେ ଥିବା ତାରତମ୍ୟ ଦୂରୀକରଣ ଇତ୍ୟାଦି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବୈକୁଣ୍ଠନାଥ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର କୁମରବର ଦାସ, ପ୍ରଦୋଷ ପଟ୍ଟନାୟକ ଯୋଗଦେଇଥିଲେ। ଏହି ଅବସରରେ ଆଗାମୀ ୩ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ଏଥିରେ ବୈକୁଣ୍ଠନାଥ ଆଚାର୍ଯ୍ୟ ସଭାପତି, ନିରମ ମିଶ୍ର ସାଧାରଣ ସଂପାଦକ, ଜଗଦାନନ୍ଦ ଶତପଥୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।