ଭୁବନେଶ୍ୱର : ମଲା ଲୋକ ନାଁ’ରେ ଟଙ୍କା ଚଳୁ କରିବା ଏବେ ଏକ ମାମୁଲି ଘଟଣା ପାଲଟିଛି। ସରକାର ତଥା ଲୋକ ସମୂହଙ୍କ ଟଙ୍କା କିଭଳି ଅସତ୍‌ ଉପାୟରେ ଲୁଟ୍‌ କରିହୁଏ ତା’ର ଏକ ଜ୍ୱଳନ୍ତ ଉଦାହରଣ ପଦାକୁ ଆସିଛି। ସାମନ୍ତରାପୁର ଅଞ୍ଚଳର ସ୍ଥାୟୀ ବାସିନ୍ଦା ଥିବା ଅଞ୍ଜଳି ପରିଜାଙ୍କ ଗତ ଡିସେମ୍ବର ୨୦୧୬ରେ ପରଲୋକ ହୋଇଯାଇଛି। ମାତ୍ର ତାଙ୍କ ନାଁ’ରେ ଏଯାଏଁ ଭତ୍ତା ଚଳୁ କରିଚାଲିଥିଲେ ନିକଟ ସମ୍ପର୍କୀୟ। ଏଭଳି ଏକ ତଥ୍ୟଗତ ପ୍ରମାଣ ଆଜି ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ପୂର୍ବତନ ଆଇପିଏସ୍‌ ତଥା ସ୍ୱର୍ଗତ ନିକୁଞ୍ଜ କିଶୋର ପରିଜା ଏବଂ ସ୍ୱର୍ଗତ ଅଞ୍ଜଳି ପରିଜାଙ୍କ ପୁଅ ଅଶୋକ ପରିଜା।

Advertisment

ଅଶୋକ ପରିଜାଙ୍କ କହିବା ମୁତାବକ, ତାଙ୍କ ବାପା ନିକୁଞ୍ଜ କିଶୋର ପରିଜା କଟକ ହେଡ୍‌କ୍ୱାର୍ଟରରେ ଏଆଇଜି ପ୍ଲାନିଂ ପଦବିରେ ଥାଇ ୧୯୯୬ ମସିହାରେ ଅବସର ନେଇଥିଲେ। ୨୦୧୧ ଏପ୍ରିଲ୍‌ ମାସରେ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ନାଁ’ରେ ଆସୁଥିବା ପେନ୍‌ସନ୍‌ ନିୟମ ମୁତାବକ ତାଙ୍କ ଧର୍ମପତ୍ନୀଙ୍କୁ ମିଳିଥିଲା। ସେ ପେନ୍‌ସନ୍‌ ବାବଦକୁ ୩୨ହଜାର ୮୬ ଟଙ୍କା ପ୍ରତି ମାସରେ ଉଠାଉଥିଲେ। ଆକାଉଣ୍ଟ୍‌କୁ ଟଙ୍କା ଆସୁଥିବା ବେଳେ ସେ ଏଟିଏମ୍‌ ଜରିଆରେ ସେଇ ଟଙ୍କା ଉଠାଉଥିଲେ। ନୂଆଦିଲ୍ଲୀରେ ରହୁଥିବା ତାଙ୍କ ପୁଅ ବାପାଙ୍କ ମୃତ୍ୟୁ ପରେ ମା’ଙ୍କୁ ନିଜ ପାଖକୁ ନେବାକୁ ଚାହିଁଥିଲେ ହେଁ ମା’ ଅଞ୍ଜଳି ଅମଙ୍ଗ ହୋଇଥିଲେ। ଅଞ୍ଜଳି ତାଙ୍କର ଭଉଣୀ ଅନଙ୍ଗ ମଞ୍ଜରୀ ଓ ଭିଣୋଇ ବିରଞ୍ଚି ନାରାୟଣ ମହାନ୍ତିଙ୍କ ନିକଟରେ ରହୁଥିଲେ। ଏ ମଧ୍ୟରେ ୨୦୧୬ ମସିହା ଡିସେମ୍ବର ମାସ ୧୭ ତାରିଖରେ ଅଞ୍ଜଳି ପରିଜା ମୃତ୍ୟୁବରଣ କରିଥିଲେ। ତେଣୁ ନିୟମ ମୁତାବକ ଏ ବାବଦରେ ସରକାରଙ୍କ ପେନ୍‌ସନ୍‌ ବିଭାଗକୁ ସୂଚିତ କରାଯିବା ଉଚିତ୍‌। ପେନ୍‌ସନ୍‌ ବାବଦକୁ ମିଳୁଥିବା ଭତ୍ତାରେ ମଧ୍ୟ ରୋକ୍‌ ଲଗାଯିବା ଉଚିତ୍‌। ମାତ୍ର ଏ ସମ୍ବନ୍ଧରେ ସଂପୃକ୍ତ ବିଭାଗକୁ ସୂଚିତ କରା ନଯିବାରୁ ପେନ୍‌ସନ୍‌ ଅଞ୍ଜଳିଙ୍କର ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ରେ ଥିବା ଆକାଉଣ୍ଟ୍‌କୁ ଆସୁଥିଲା। ଏହି ପେନ୍‌ସନ୍‌ ରାଶିକୁ ମଧ୍ୟ ପ୍ରତି ମାସରେ ଉଠା ଚାଲିଥିଲା। ଅର୍ଥାତ ଅଞ୍ଜଳିଙ୍କ ମୃତ୍ୟୁ ପରେ ପ୍ରାୟ ସାଢ଼େ ୧୦ ମାସରେ ପାଖାପାଖି ୪ ଲକ୍ଷ ଟଙ୍କା ଉଠାଯାଇଛି ବୋଲି କହିଛନ୍ତି ଅଶୋକ ପରିଜା।

ଏନେଇ ସେ କଟକରୁ ଆଣିଥିବା ମୃତ୍ୟୁ ପଞ୍ଜୀକରଣ ପ୍ରମାଣପତ୍ର ଏବଂ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ରୁ ଆଣିଥିବା ସମସ୍ତ ତଥ୍ୟ ଦେଖାଇଥିଲେ। ତାଙ୍କ ବାପା ମା’ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମୃତ୍ୟୁ ପରେ ଲୋକ ସମୂହଙ୍କ ଧନକୁ ବାଟ ମାରଣା କରି ଖାଇଥିବା ଲୋକଙ୍କୁ ଉଚିତ୍‌ ଶାସ୍ତି ଦେବାକୁ ସେ ନିବେଦନ କରିଛନ୍ତି। ଖାଲି ସେତିକି ନୁହେଁ ଏନେଇ ସେ ବିଡ଼ାନାସୀ ଥାନାରେ ଅଭିଯୋଗ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତଙ୍କୁ ସେ ଜାଣିଥିବା ବେଳେ ସେ ସମ୍ବନ୍ଧରେ ସେ ପୁଲିସ୍‌କୁ ଅବଗତ କରିବେ ବୋଲି କହିଛନ୍ତି। ଆଜି ନୂଆପଲ୍ଲୀ ଭିଆଇପି ଅଞ୍ଚଳରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ଭୂତଙ୍କ ନାଁ’ରେ ଭତ୍ତା ଟଙ୍କା ଉଠାଇ ଚଳୁ କରିବା ଭଳି ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ ଏମିତି ଶହଶହ ଘଟଣା ପ୍ରଚ୍ଛଦପଟରେ ଛପିଯାଉଛି। ମାତ୍ର ଏ ସମ୍ପର୍କରେ ସରକାର କି ନିଷ୍ପତ୍ତି ଓ ଅନୁଶାସନର ବ୍ୟବସ୍ଥା କରିବେ ତାହା ସରକାରଙ୍କ ଉପରେ ନିର୍ଭର କରେ। କିନ୍ତୁ ସରକାରଙ୍କୁ ଦୋଷ ଲଦିବାରେ ଆମେ ପ୍ରାୟ ଅଭ୍ୟସ୍ତ ଥିବା ବେଳେ ଆମ ଚତୁଃପାର୍ଶ୍ୱରେ ଏଭଳି ଅନେକ ଘଟଣା ଘଟୁଥିଲେ ହେଁ ଏହା ପରଦା ଆଢ଼ୁଆଳରେ ରହିଯାଉଛି। ଫଳରେ ରାଜ୍ୟ ରାଜକୋଷରୁ ଅନାୟାସରରେ ଏମିତି କୋଟିକୋଟି ଟଙ୍କା ଚଳୁ ହେଉଥିବ ବୋଲି ସେ ସୂଚନା ଦେଇଛନ୍ତି।