ଖଣ୍ଡଗିରି: ଶୁକ୍ରବାର ଭରତପୁରସ୍ଥିତ ମା ତାରିଣୀ ମନ୍ଦିର ଭଙ୍ଗାକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ବିଡିଏ-ବିଏମ୍ସି ଉଚ୍ଛେଦ ସ୍କ୍ବାଡ୍କୁ ଜବରଦସ୍ତ ବିରୋଧ କରିଥିଲେ। ପୁଲିସ ଉପସ୍ଥିତି ସତ୍ତ୍ବେ ଶହ ଶହ ଭରତପୁର ବାସିନ୍ଦା ଏକାଠି ହୋଇ ଉଚ୍ଛେଦ ସ୍କ୍ବାଡ୍କୁ ପ୍ରବଳ ବିରୋଧ କରିଥିଲେ। ଫଳରେ ଜବରଦଖଲରେ ଥିବା ଅନ୍ୟାନ୍ୟ ସରକାରୀ ଜମିକୁ ଉଚ୍ଛେଦ କରିଥିଲେ ମଧ୍ୟ ଉଚ୍ଛେଦ ସ୍କ୍ବାଡ୍ ବାଧ୍ୟ ହୋଇ ତାରିଣୀ ମନ୍ଦିର ନିକଟରୁ ପଛଘୁଞ୍ଚା ଦେଇଥିଲା। ଆଗକୁ ଯଦି ପୁଣି କେବେ ବିଏମ୍ସି-ବିଡିଏ ସ୍କ୍ବାଡ୍ ଏହି ମନ୍ଦିର ଉପରେ ଆଖି ପକାଏ, ତେବେ ଏହାଠାରୁ ଅଧିକ ବିରୋଧ କରାଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଉଚ୍ଛେଦ ସ୍କ୍ବାଡ୍ ଭରତପୁରରେ ପହଞ୍ଚିଥିଲା ଓ ପ୍ଲଟ ନମ୍ବର-୪୮ରେ ଜବରଦଖଲ ହୋଇଥିବା ସରକାରୀ ଜମିକୁ ମୁକ୍ତ କରିବାକୁ ଉଦ୍ୟମ କରିଥିଲା। ପ୍ରଥମରୁ ଲୋକେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ହୋ-ହଲ୍ଲା କରିଥିଲେ ବି ପୁଲିସ ହସ୍ତକ୍ଷେପ ଯୋଗୁଁ ୫ଟି କ୍ୟାବିନ୍, ୩ଟି ଫାଷ୍ଟଫୁଡ୍ ଷ୍ଟଲ୍କୁ ହଟାଇବା ସହ ୨ଟି ଦୋକାନ ଘର ଓ ଗୋଟିଏ ପାଚେରିକୁ ଭାଙ୍ଗି ଦିଆଯାଇ ଥିଲା। କିନ୍ତୁ ଯେତେବେଳେ ମନ୍ଦିର ଭାଙ୍ଗିବାକୁ ଜେସିବି ଗଲା, ଲୋକେ ବାଧା ଦେଲେ। ଶହ ଶହ ପୁରୁଷ, ମହିଳା ଓ ଛୁଆ ପିଲା ମନ୍ଦିର ଜଗି ବସିଲେ। ଗଣ୍ଡଗୋଳ କରିବାକୁ ପଛାଇବେ ନାହିଁ ବୋଲି ସିଧାସଳଖ ଚେତାବନୀ ଦେଲେ। ସେମାନଙ୍କର ଗୋଟିଏ ବୋଲି ଏହି ପୂଜାପୀଠକୁ ଭାଙ୍ଗିବାକୁ ଦେବେ ନାହିଁ ବୋଲି ଜିଦ୍ କଲେ। ବୁଝାଶୁଝା ଯେତେ ଅଧିକ ହେଲା, ସେମାନଙ୍କ ବିରୋଧ ସେତେ ବଢ଼ିଲା। ତେଣୁ ବାଧ୍ୟ ହୋଇ ସେଠାରୁ ବିଡିଏ ପ୍ରଶାସନ ଫେରିଲା। ତେବେ ଆଜି ଭରତପୁରରୁ ୪୦୦ ଡିସିମିଲି ସରକାରୀ ଜମି ଜବରଦଖଲ ମୁକ୍ତ ହୋଇଛି ବୋଲି ବିଡିଏ ଅଧିକାରୀ ପ୍ରମୋଦ ପାତ୍ର ଓ ଶୁଭ୍ରାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି। ସେହିଭଳି ଚନ୍ଦ୍ରଶେଖରପୁର ଅଞ୍ଚଳରେ ପ୍ଲଟ ନମ୍ବର ୪୫୭/୧୮୯୨ରେ ଜବରଦଖଲ ହୋଇଥିବା ୧୧,୯୦୦ ବର୍ଗଫୁଟ ଜମି ମୁକ୍ତ କରାଯାଇଛି। ବିନା ପ୍ରତିରୋଧରେ ଉଚ୍ଛେଦ ସ୍କ୍ବାଡ୍ ୧୪ଟି ଦୋକାନ ୮ଟି କ୍ୟାବିନ୍ ଓ ଗୋଟିଏ ମନ୍ଦିର ଭାଙ୍ଗି ପାରିଛି।
ଚନ୍ଦ୍ରଶେଖରପୁର ଥାନା ଛକରୁ ଜବରଦଖଲ ଉଚ୍ଛେଦ
ଚନ୍ଦ୍ରଶେଖରପୁର: ଆଜି ବିଡ଼ିଏ ଓ ବିଏମ୍ସି ପକ୍ଷରୁ ଚନ୍ଦ୍ରଶେଖରପୁର ଥାନା ଛକ ନିକଟ କାନନବିହାର ଫେଜ୍ ୧ ରାସ୍ତା କଡ଼ ଜବରଦଖଲ ଉଚ୍ଛେଦ କରାଯାଇଛି। ରାସ୍ତା କଡ଼ରେ ଥିବା ଟିଣ ଓ ଆଜବେଷ୍ଟ୍ସ ଘର, ଦୋକାନ ଓ କିଛି ଅସ୍ଥାୟୀ କ୍ୟାବିନକୁ ଡ଼୍ରୋଜର ସହାୟତାରେ ଭାଙ୍ଗି ସେଠାରୁ ଉଚ୍ଛେଦ କରାଯାଇଥିଲା। ଏହି ସମୟରେ ସ୍ଥାନୀୟ ଲୋକ ଓ ଉଚ୍ଛେଦକାରୀମାନଙ୍କ ଭିତରେ ବଚସା ହୋଇଥିଲା। ଉତ୍ତେଜନା ପରିସ୍ଥିତି ଦେଖାଯିବାରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳରେ ଉପସ୍ଥିତରହି ଲୋକଙ୍କୁ ବୁଝାବୁଝି କରିଥିଲା। ସେହଭଳି ଗତକାଲି ଶୈଳଶ୍ରୀବିହାର ଛକରେ ବାକି ରହିଯାଇଥିବା ଅନ୍ୟ କିଛି ରାସ୍ତା କଡ଼ ଦୋକାନ ଓ ଏକ ମନ୍ଦିର ସହ ଗୋଟିଏ ଝୁମ୍ପୁଡ଼ିକୁ ଉଚ୍ଛେଦ କରାଯାଇଛି। ଏନେଇ ଲୋକମାନେ ଥଇଥାନ ଦାବି କରିଥିଲେ ମଧ୍ୟ ସେମାନଙ୍କ ଦାବି ନେଇ କୌଣସି ପ୍ରକାର ପଦକ୍ଷେପ ନିଆ ଯାଇ ନଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/sf54h5sf4h65sf4h65sf4hsf654hsf654hs65hshhhhhhhhhhhh.jpg)