ଭୁବନେଶ୍ବର: ମାନବ ସମ୍ବଳ ଓ ଗାଡ଼ି ଭୁବନେଶ୍ବର ମହାନଗର ନିଗମର। ପ୍ରତି ୱାର୍ଡରେ ସୁପରଭାଇଜର୍, ସ୍ବଚ୍ଛସାଥୀ ଆଦିଙ୍କୁ ମିଶାଇ ୬ଜଣଙ୍କୁ ନିଯୁକ୍ତି ସହ ଦରମା ଦେଉଛି ବିଏମ୍ସି। କିନ୍ତୁ ଘରକୁ ଘର ବୁଲି ଅଳିଆ ସଂଗ୍ରହ ପାଇଁ ଟଙ୍କା ନେଉଛି ଠିକାସଂସ୍ଥା। ଏହାକୁ କର୍ପୋରେଟର୍ମାନେ ବିରୋଧ କରୁଥିଲେ ବି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଶୁଣିବାକୁ ନାରାଜ। ଓଲଟା ବର୍ଜ୍ୟ ସଂଗ୍ରହରେ ନିୟୋଜିତ ଏନ୍ଜିଓର ଚୁକ୍ତି ଶେଷ ପରେ ପୁଣି ନୂଆ ଏଜେନ୍ସି ଓ ଏନ୍ଜିଓଙ୍କୁ ବର୍ଜ୍ୟ ସଂଗ୍ରହ ଦାୟିତ୍ବ ଦିଆଯାଇଛି। ଭୁବନେଶ୍ବର ମହାନଗର ନିଗମ ଯେବେ ବର୍ଜ୍ୟ ସଂଗ୍ରହ ଦାୟିତ୍ବ ବୁଝୁଥିଲା, ସେବେ ଏହାର ଖର୍ଚ୍ଚ ଥିଲା ପ୍ରାୟ ୫୫ କୋଟି। କିନ୍ତୁ ଏନ୍ଜିଓ ଓ ଠିକା ସଂସ୍ଥା ଏହି ଦାୟିତ୍ବ ନେବା ପରେ ଏହି ଖର୍ଚ୍ଚ ପ୍ରାୟ ୧୨୫ କୋଟି ଟଙ୍କାରେ ପହଞ୍ଚିଲାଣି। ଲୋକ ଓ ଗାଡ଼ି ବିଏମ୍ସିର ହୋଇଥିବାରୁ ଠିକାସଂସ୍ଥାକୁ କାହିଁକିଏତେ ଟଙ୍କା ଦିଆଯିବ ବୋଲି କର୍ପୋରେଟର୍ମାନେ ପ୍ରଶ୍ନ ଉଠାଇଛନ୍ତି। ଗତ କର୍ପୋରେସନ୍ ବୈଠକରେ ବି ଏହାକୁ କେନ୍ଦ୍ର କରି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ତୁରନ୍ତ ଏଜେନ୍ସି ଓ ଏନ୍ଜିଓ ପ୍ରୀତି ବନ୍ଦ କରିବାକୁ ଦାବି ହୋଇଥିଲା।
ସରକାରୀ ତଥ୍ୟ ଅନୁଯାୟୀ, ଘରକୁ ଘର ପୃଥକ୍ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ବିଏମ୍ସି ଯେଉଁ ଏନ୍ଜିଓଙ୍କ ସହ ଚୁକ୍ତି କରିଥିଲା, ତାର ଅବଧି ଶେଷ ହୋଇଯାଇଛି। ଏଣୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅନୁମୋଦନକ୍ରମେ ୬୭ ୱାର୍ଡର ବର୍ଜ୍ୟ ସଂଗ୍ରହ ପାଇଁ ନୂଆ କରି ୬ଟି ପ୍ୟାକେଜ୍ରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ୬୭ଟି ୱାର୍ଡକୁ ୬ଟି ପ୍ୟାକେଜ୍ରେ ବିଭକ୍ତ କରି ଘରୁ ବର୍ଜ୍ୟ ସଂଗ୍ରହ ଓ ଆଇଇସି(ଜନସ୍ବାସ୍ଥ୍ୟ ଓ ପରିମଳ) କାର୍ଯ୍ୟ ନିମନ୍ତେ ଘରୋଇ ସଂସ୍ଥା ଓ ଏନ୍ଜିଓ ନିଯୁକ୍ତି ପାଇଁ ଟେଣ୍ଡର(ପତ୍ର ସଂଖ୍ୟା-୪୦୪୯୭/୦୧.୦୬.୨୦୨୪) ଆହ୍ବାନ କରାଯାଇଥିଲା। ଏଥିପାଇଁ ୯ଟି ସଂସ୍ଥା ଆବେଦନ କରିଥିଲେ। କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ପରିଚାଳନା ୟୁନିଟ୍ ଦ୍ବାରା ମୂଲ୍ୟାଙ୍କନ ଓ ମହାନଗର ନିଗମ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଟେଣ୍ଡର କମିଟି ଦ୍ବାରା ଯାଞ୍ଚ ପରେ ୬ଟି ସଂସ୍ଥା ଚୟନ କରାଯାଇଥିଲା।
୩ ସଂସ୍ଥା କରିବେ ୬୭ ୱାର୍ଡର ବର୍ଜ୍ୟ ସଂଗ୍ରହ
ବିରୋଧ ପରେ ବି ବର୍ଜ୍ୟ ପରିଚାଳନା ଦାୟିତ୍ବ
ପରେ ଟେଣ୍ଡର ଅନୁଯାୟୀ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନରେ ବୈଷୟିକ ଜ୍ଞାନ ଓ ଉପସ୍ଥାପନା ଆଧାରରେ ୧୦୦ ମାର୍କରୁ ୭୫ ମାର୍କ ରଖିଥିବା ୪ ସଂସ୍ଥା ବେସିକ୍ସ ମ୍ୟୁନିସିପାଲ୍ ୱେଷ୍ଟ ଭେନ୍ଚର୍ସ ଲିମିଟେଡ୍, ଜାଗୃତି ୱେଲ୍ଫେୟାର ଅର୍ଗାନାଇଜେସନ୍, ଫିଡ୍ବ୍ୟାକ ଫାଉଣ୍ଡେସନ୍ ଆଣ୍ଡ୍ ଚାରିଟେବଲ୍ ଟ୍ରଷ୍ଟ ଓ ବିକାଶ ନାମକ ସଂସ୍ଥାକୁ ତାଲିକାରେ ରଖାଯାଇଥିଲା। ପରେ ପ୍ରାଇସ୍ ବିଡ୍ରେ ବେସିକ୍ସ ମ୍ୟୁନିସିପାଲ୍ ୱେଷ୍ଟ ଭେନ୍ଚର୍ସ ଲିମିଟେଡ୍(୫.୫୦%), ଜାଗୃତି ୱେଲ୍ଫେୟାର ଅର୍ଗାନାଇଜେସନ୍(୫.୭୭%), ଫିଡ୍ବ୍ୟାକ୍ ଫାଉଣ୍ଡେସନ୍ ଆଣ୍ଡ୍ ଚାରିଟେବଲ୍ ଟ୍ରଷ୍ଟ(୪%) ଆଗରେ ରହିଥିଲେ। ଜାଗୃତି ୱେଲ୍ଫେୟାର ଅର୍ଗାନାଇଜେସନ୍ ରାଜି ନ ହେବାରୁ ବିକାଶ, ଫିଡ୍ବ୍ୟାକ୍ ଫାଉଣ୍ଡେସନ୍ ଆଣ୍ଡ୍ ଚାରିଟେବଲ୍ ଟ୍ରଷ୍ଟ, ବେସିକ୍ସ ମ୍ୟୁନିସିପାଲ୍ ୱେଷ୍ଟ୍ ଭେନ୍ଚର୍ସ ଲିମିଟେଡ୍ ଓ ବିକାଶ ସଂସ୍ଥାକୁ ବର୍ଜ୍ୟ ପରିଚାଳନା ଦାୟିତ୍ବ ଦେବାକୁ ଗତ ଏପ୍ରିଲ ୧୦ ତାରିଖରେ ଭୁବନେଶ୍ବର ମହାନଗର ନିଗମ ଚୂଡ଼ାନ୍ତ(ପତ୍ର ସଂଖ୍ୟା-୧୮୩୮୮/୧୦.୦୪.୨୦୨୫) ନିଷ୍ପତ୍ତି ନେଇଛି। ୬ଟି ପ୍ୟାକେଜ୍ରୁ ପ୍ରତି ସଂସ୍ଥାକୁ ୨ଟି ଲେଖାଏ ପ୍ୟାକେଜ୍ ଦେବାକୁ ନିଷ୍ପତ୍ତି ହୋଇଛି।
ଏନେଇ ୫୫ ନମ୍ବର ୱାର୍ଡର କର୍ପୋରେଟର୍ ନୃପେଶ କୁମାର ନାୟକ କହିଛନ୍ତି, ଗତ ମାର୍ଚ୍ଚ ମାସ କର୍ପୋରେସନ୍ ବୈଠକରେ ଠିକାସଂସ୍ଥାକୁ ବର୍ଜ୍ୟ ସଂଗ୍ରହ ଦାୟିତ୍ବ ଦେବା ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ଗତ ୨୩ ତାରିଖ ବୈଠକରେ ବି ହୋହଲ୍ଲା ହୋଇଥିଲା। ଏହାକୁ ବନ୍ଦ କରିବାକୁ ଦାବି ହୋଇଥିଲା। ଠିକା ସଂସ୍ଥା ବଦଳରେ ନିଜେ ଭୁବନେଶ୍ବର ମହାନଗର ନିଗମ ବର୍ଜ୍ୟ ସଂଗ୍ରହ ଦାୟିତ୍ବ ବୁଝିବାକୁ କର୍ପୋରେଟର୍ଙ୍କ ଦୃଢ଼ ଦାବି ସତ୍ତ୍ବେ କର୍ତ୍ତୃପକ୍ଷ ନିଜ ଇଚ୍ଛା ମୁତାବକ ଠିକା ସଂସ୍ଥା ଚୟନ କରୁଛନ୍ତି। ଯାହା ଦୁର୍ନୀତିର ବାଟ ଖୋଲି ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି।