ବାଲିପାଟଣା: ଆଜି ବାଲିପାଟଣା ବ୍ଲକ୍‌ ସୋମଣାଶାସନ ପାଳସାହିରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦକୁ ନେଇ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ଜଣେ ମହିଳା ହାଇକୋର୍ଟରୁ ସ୍ଥଗିତାଦେଶ ଆଣିଥିବାରୁ ଉଚ୍ଛେଦ ସ୍କାଡ୍‌ ତାଙ୍କ ବିବାଦୀୟ ପ୍ଲଟ୍‌ରୁ ବାଧ୍ୟ ହୋଇ ପଛଘୁଞ୍ଚା ଦେଇଥିଲା। କିନ୍ତୁ ଟିମ୍‌ ଅନ୍ୟ ୬ଟି ଜାଗାରୁ ଜବରଦଖଲ ହଟାଇଥିଲା। ଏହାକୁ ନେଇ ଗ୍ରାମବାସୀମା‌ନେ ଉତ୍‌କ୍ଷିପ୍ତ ହୋଇଉଠିଥିଲେ। ମହିଳାଙ୍କୁ ଆଜି ହିଁ ସରକାରୀ ଜମିରୁ ଉଚ୍ଛେଦ କରିବାକୁ ଦାବି କରି ଗ୍ରାମବାସୀମାନେ ଉଚ୍ଛେଦ ସ୍କ୍ବାଡ୍‌କୁ ଅଟକ ରଖିଥିଲେ। ପ୍ରାୟ ୫ଘଣ୍ଟା ଧରି ବହୁ ବୁଝାସୁଝା କରିବା ପରେ ଗ୍ରାମବାସୀଙ୍କ ଘେରାବନ୍ଦୀରୁ ଉଚ୍ଛେଦ ସ୍କ୍ବାଡ୍‌ ମୁକୁଳିଥିଲା।   

Advertisment

ସରକାରୀ ଜମି ଜବରଦଖଲକୁ ନେଇ ବହୁ ଦିନ ହେଲା ପାଳସାହିରେ ବିବାଦ ଲାଗିରହିଥିଲା। ସରକାରୀ ଜମିରୁ ଜବରଦଖଲ ହଟାଇବାକୁ ଗ୍ରାମବାସୀମାନେ ଦାବି କରିଆସୁଥିଲେ। ରାଜସ୍ବ ବିଭାଗର ତଦନ୍ତ ପରେ ସରକାରୀ ଜମିରେ ୭ଟି ଦୋକାନଘର, ଘର ଓ ମଠ ନିର୍ମାଣ ହୋଇଥିବା ଜଣାପଡ଼ିଥିଲା। ତେଣୁ ଜବରଦଖଲକାରୀମାନେ ୨୦ ତାରିଖ ସୁଦ୍ଧା ଜାଗା ଖାଲି କରିବାକୁ ନୋଟିସ୍‌ ଦିଆଯାଇଥିଲା। ତେଣୁ ଆଜି ସକାଳୁ ଖେଲାର ଓ ରାଜସ ରାସ୍ତାରେ ଥିବା ୬ଟି ଦୋକାନ ଘର, ମଠ ଓ ଅନ୍ୟ ଘରୁ ନୋଟିସ୍‌ ପାଇଥିବା ବ୍ୟକ୍ତିମାନେ ସରଞ୍ଜାମ କାଢ଼ିନେଇ ନିଜଆଡ଼ୁ ଘର ଭାଙ୍ଗିଥିଲେ। କିନ୍ତୁ ନୋଟିସ୍‌ ପାଇଥିବା ଜଣେ ମହିଳା ଘର ଖାଲି କରି ନଥିଲେ କି ସେଠାରୁ ହଟି ନଥିଲେ। ତହସିଲ ପ୍ରଶାସନର ଧାର୍ଯ୍ୟ ସମୟ ଅନୁସାରେ ଆଜି ବାଲିପାଟଣା ତହସିଲଦାର କଳ୍ପନା ଦାସଙ୍କ ନେତୃତ୍ୱରେ ଉଚ୍ଛେଦ ସ୍କ୍ବାଡ୍‌ ପାଳସାହିରେ ପହଞ୍ଚିଥିଲେ। ଏକ ପ୍ଲାଟୁନ୍‌ ପୁଲିସ ବଳ ଓ ଜେସିବି ସହ ଟିମ୍‌ ପହଞ୍ଚିଥିଲା ମହିଳାଙ୍କ ଘର ସମ୍ମୁଖରେ। ମହିଳାଜଣକ ହାଇକୋର୍ଟରୁ ପାଇଥିବା ସ୍ଥଗିତାଦେଶ ତହସିଲଦାରଙ୍କୁ ଦେଖାଇଥିଲେ। ୨ମାସ ପର୍ଯ୍ୟନ୍ତ ତାଙ୍କୁ ଉକ୍ତ ଜମିରୁ ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଥିଲା। ତେଣୁ ଉଚ୍ଛେଦ ସ୍କ୍ବାଡ୍‌ ସେଠାରୁ ଖାଲି ହାତରେ ଫେରିଥିଲା।

ମାତ୍ର ମହିଳାଙ୍କ ଘର ଉଚ୍ଛେଦକୁ ଅପେକ୍ଷା କରିଥିବା ଗ୍ରାମବାସୀମାନେ ଏହ‌ାକୁ ସହଜରେ ଗ୍ରହଣ କରିପାରି ନଥିଲେ। ପ୍ରଶାସନିକ ପରୋକ୍ଷ ସମର୍ଥନ ଯୋଗୁ ମହିଳାଙ୍କୁ ହାଇକୋର୍ଟରୁ ରହିତାଦେଶ ମିଳିଛି ବୋଲି ଅଭିଯୋଗ କରି ଶତାଧିକ ଗ୍ରାମବାସୀ ‌ଟିମ୍‌କୁ ଘେରିଯାଇଥିଲେ। ମହିଳାମାନେ ଗାଁ ଦାଣ୍ଡରେ ଧାରଣା ଦେବା‌ ବେଳେ ପୁରୁଷମାନେ ଇଟା, ପଥର ରଖି ଦାଣ୍ଡ ରାସ୍ତା ବନ୍ଦ କରିଦେଇଥିଲେ। ତହସିଲଦାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଯେତେ ବୁଝାସୁଝା କଲେ ମଧ୍ୟ ଗ୍ରାମବାସୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଆଜି ହିଁ ମହିଳାଙ୍କ ଘର ଭଙ୍ଗାଯିବ ବୋଲି ସେମାନେ ଅଡ଼ି ବସିଥିଲେ। ଗାଁ ଦାଣ୍ଡକୁ ଦୁଇ ପଟୁ ବନ୍ଦ କରିଦେବାରୁ ଉଚ୍ଛେଦ ସ୍କ୍ବାଡ୍‌ ମଝିରେ ଅଟକି ରହିବାକୁ ବାଧ୍ୟ ହୋଇଥିଲା। ଅତିରିକ୍ତ ତହସିଲଦାର ମିଲନ୍‌ ଜୟସ୍ବାଲ୍, ଭୁବନେଶ୍ୱର ଅତିରିକ୍ତ ତହସିଲଦାର ରାଜେଶ ସାମଲ, ବାଲିପାଟଣା ଥାନା ଅଧିକାରୀ ପିଙ୍କି ମୁର୍ମୁ ପ୍ରମୁଖ ଧାରଣାରତ ଗ୍ରାମବାସୀଙ୍କୁ ବୁଝାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନଥିଲା। ଶେଷରେ ତହସିଲଦାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ୧୫ ଦିନ ଭିତରେ ମହିଳାଙ୍କୁ ସରକାରୀ ଜମିରୁ ଉଚ୍ଛେଦ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ଏହାପରେ ଗ୍ରାମବାସୀମାନେ ଧାରଣା ପ୍ରତ୍ୟାହାର କରିଥିଲେ।