କରୋନା ମୁକାବିଲାରେ ପରଦା ପଛର ଯୋଦ୍ଧା; ଏମାନଙ୍କ ସେବା ପ୍ରଶଂସନୀୟ

ଭୁବନେଶ୍ବର: କରୋନା ବିରୋଧରେ ଲଢ଼େଇ ଜିତିବା ଲାଗି ସବୁସ୍ତରରେ ଉଦ୍ୟମ ଚାଲିଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚି ଥିବା ବେଳେ ଏହାକୁ ମୁକାବିଲା କରିବା ଲାଗି ଦିନରାତି ଚାଲିଛି ଯୁଦ୍ଧ। ହସ୍ପିଟାଲ, ପୁଲିସ, ବ୍ୟାଙ୍କିଙ୍ଗ, ତେଜରାତି, ପନିପରିବା, ପରିମଳ, ପାଣି, ବିଦ୍ୟୁତ, ପେଟ୍ରୋଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି। ପରଦା ପଛରେ ରହି ଯୋଦ୍ଧା ଭାବେ ଅବିରାମ କାମ କରି ଚାଲିଛନ୍ତି ଏମାନେ। ସବୁଠୁ ବଡ଼ କଥା ହେଲା, ଲକ୍‌ଡାଉନ୍ ଚାଲିଥିବାରୁ ଏମାନଙ୍କ ସେବା ଏବେ ପ୍ରଶଂସନୀୟ ହୋଇପଡ଼ିଛି। ପରଦା ପଛର ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା କେତେ ଜଣଙ୍କ ଉଦାହରଣ ଏଠାରେ ଆମେ ଉପସ୍ଥାପନ କରୁଛି। ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ପଡ଼ିବ।

ଡାକ୍ତର, ନର୍ସ, ହସ୍ପିଟାଲ କର୍ମଚାରୀ
କରୋନା ଯୁଦ୍ଧର ପ୍ରଥମ ଧାଡ଼ି ଯୋଦ୍ଧା ହେଉଛନ୍ତି ଡାକ୍ତର, ନର୍ସ, ହସ୍ପିଟାଲ ଓ ସଫେଇ କର୍ମଚାରୀ। ସାରା ବିଶ୍ବ, ଦେଶ ଓ ରାଜ୍ୟରେ ଅବିରତ ସେବା ଯୋଗାଇ ଚାଲିଛନ୍ତି। କରୋନା ଆକ୍ରାନ୍ତଙ୍କୁ ପ୍ରଥମେ ଡାକ୍ତର ଚିକିତ୍ସା କରିବେ। ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୫୦ରୁ ଅଧିକ ଡାକ୍ତର ଆକ୍ରାନ୍ତ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଜଣ ପ୍ରାଣ ହରାଇ ସାରିଲେଣି। ଏହି ସମୟରେ ଡାକ୍ତର, ନର୍ସ, ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଚାରିଆଡ଼ୁ ପ୍ରାର୍ଥନାର ସୁଅ ଛୁଟିଛି। ଏହା ସହ ସଲାମ୍ ମଧ୍ୟ ମିଳୁଛି।

ଡାଏଲ୍-୧୦୦
ଲକ୍ ଡାଉନ୍ ପାଇଁ ହସ୍ପିଟାଲ, ସମ୍ପର୍କୀୟଙ୍କ ମୃତ୍ୟୁ, ନିୟମିତ ଚିକିତ୍ସାରେ ଥିବା ରୋଗୀ, ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଅନେକ ବ୍ୟକ୍ତି ଯାଉଛନ୍ତି। ଅନେକ ସମୟରେ ଡ୍ୟୁଟିରେ ଥିବା ପୁଲିସକୁ ସାମ୍ନା କରୁଛନ୍ତି। ଯେଉଁମାନେ ଏଭଳି ଅସୁବିଧା ଭୋଗୁଛନ୍ତି ସମସ୍ୟାର ସମାଧାନ ପାଇଁ ଡାଏଲ୍ ୧୦୦କୁ କଲ୍ କରୁଛନ୍ତି। ଦିନକୁ ହଜାର ହଜାର କଲ୍ ଆସୁଥିବାରୁ କଣ୍ଟ୍ରୋଲ ରୁମ୍ କର୍ମଚାରୀଙ୍କ ସଂଖ୍ୟା ୧୨ରୁ ବଢି ୨୪ କରାଯାଇଛି। ହଜାର ହଜାର କଲ୍ ସାମ୍ନା କରୁଥିବା କର୍ମଚାରୀ ବିନା ବିରକ୍ତିରେ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି। ଏମାନେ ପରଦା ପଛରେ ରହି କରୋନା ମୁକାବିଲା ଭଳି ଘଡ଼ିସନ୍ଧି ମୁହୂର୍ତ୍ତର ଜଣେ ଜଣେ ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି।

ପୁଲିସ ଓ ଟ୍ରାଫିକ କର୍ମଚାରୀ
କରୋନା ମୁକାବିଲା ଲାଗି ୨୨ ତାରିଖରେ ଜନତା କର୍ଫ୍ୟୁ ଓ ଏହା ପରଠାରୁ ଲକ୍ ଡାଉନ୍ ଡ୍ୟୁଟିରେ ଲାଗି ପଡ଼ିଛନ୍ତି ହଜାର ହଜାର ସଂଖ୍ୟାରେ ପୁଲିସ କର୍ମଚାରୀ। ଭିଡ଼ କମାଇବା, ସାମାଜିକ ଦୂରତ୍ବ ରକ୍ଷା କରିବା, ବିନା କାମରେ ଘରୁ ନ ବାହାରିବା ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପୁଲିସ ପ୍ରଶାସନ ବାରମ୍ବାର ଅନୁରୋଧ କରି ଆସୁଛନ୍ତି। ଲୋକଙ୍କୁ ଯାଞ୍ଚ କରିବା ସହ ଦିନରାତି ରାଜରାସ୍ତାରେ ଡ୍ୟୁଟି କରୁଛନ୍ତି ପୁଲିସ କର୍ମଚାରୀ। ରାଜଧାନୀରେ ପ୍ରାୟ ୬୪୦୦ ପୁଲିସ କର୍ମଚାରୀ ଡ୍ୟୁଟି କରୁଛନ୍ତି। ସବୁଠୁ ବଡ଼ କଥା ହେଲା ପୁଲିସ କର୍ମଚାରୀ ପ୍ରତ୍ୟକ ଦିନ ଶହ ଶହ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଅଧିକରୁ ଅଧିକ ସାମାଜିକ ଦୂରତ ରକ୍ଷା ସହ ବିନା କାମରେ ବାହାରକୁ ନ ବାହାରିଲେ ପୁଲିସ କର୍ମଚରୀ ମଧ୍ୟ ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସିବା କମିବ। ସଂକ୍ରମଣର ଆଶଙ୍କା କମ୍ ରହିବ। ଲୋକ ବି ସୁରକ୍ଷିତ ରହିବେ।

ପେଟ୍ରୋଲ ପମ୍ପ କର୍ମଚାରୀ
ଲକ୍ ଡାଉନ୍ ସମୟରେ ଖୋଲା ଅତ୍ୟାବଶ୍ୟକ ସେବା ଭାବେ ଖୋଲା ରହିଛି ପେଟ୍ରୋଲ ପମ୍ପ। ପରିବାର ଲୋକଙ୍କ ଠାରୁ ଦୂରରେ ରହି ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ। ଏହି ସମୟରେ ସେମାନଙ୍କର ଭୂମିକା ମଧ୍ୟ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ। ପେଟ୍ରୋଲ ପମ୍ପ କର୍ମଚାରୀ ସମସ୍ତଙ୍କର ପ୍ରଶଂସାର ପାତ୍ର ପାଲଟିଛନ୍ତି।

ସଫେଇ କର୍ମଚାରୀ
କରୋନା ମୁକାବିଲା ଲାଗି ହସ୍ପିଟାଲ କର୍ମଚାରୀଙ୍କ ପରେ ସବୁଠୁ ଅଧିକ ଦାୟିତ୍ବ ସଫେଇ କର୍ମଚାରୀଙ୍କ ଉପରେ। ସାମାଜିକ ଦୂରତ୍ବ, ସଂଗରୋଧ ସହ ପରିବେଶ ସଫାସୁତର ରଖିଲେ କରୋନାକୁ ମୁକାବିଲା କରି ହେବ। ରାସ୍ତାଘାଟ, ଛକ, ବସଷ୍ଟାଣ୍ଡ, ରେଳ ଷ୍ଟେସନ, ନାଳନର୍ଦ୍ଦମାକୁ ବ୍ଲିଚିଂରେ ସଫା କରାଯାଉଛି। ଏହା ସହ ବାୟୁମଣ୍ଡଳରେ ଜାବୀଣୁ, ଭୂତାଣୁକୁ ମାରିବା ଲାଗି ଫ୍ୟୁମିଗେସନ(କେମିକାଲ ସ୍ପ୍ରେ) କରାଯାଉଛି। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ କାମରେ ଲାଗି ପଡ଼ିଛନ୍ତି ସଫେଇ କର୍ମଚାରୀ। ଏମାନେ ଜଣେ ଜଣେ ଯୋଦ୍ଧା ଭାବରେ କାମ କରୁଛନ୍ତି।

ସୁରକ୍ଷାକର୍ମୀ
ବ୍ୟାଙ୍କ ହେଉ କି ଏଟିଏମ୍ କାଉଣ୍ଟର ହସ୍ପିଟାଲ, ମଲ୍ ସବୁର ସୁରକ୍ଷା ଦାୟିତ୍ବ ଏବେ ସୁରକ୍ଷାକର୍ମୀଙ୍କ ହାତରେ। କେତେକ ମଲ୍, ଗାଡ଼ି ଶୋରୁମ୍ ଭଳି ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଥିଲେ ବି ସୁରକ୍ଷା ଦାୟିତ୍ବରେ ରହିଛନ୍ତି ସୁରକ୍ଷାକର୍ମୀ। ମନୋରଞ୍ଜନ ପାତ୍ର। ପରିବାର ଲୋକଙ୍କ ଠାରୁ ଦୂରରେ ରହି ରାଜଧାନୀର ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମ କରୁଛନ୍ତି। ଲକ୍ ଡାଉନ୍ ପରିସ୍ଥିତି ଚାଲିଥିବା ବେଳେ ପରିବାର ଲୋକଙ୍କଠାରୁ ଦୂରରେ ରହି ନିଜ କର୍ତ୍ତବ୍ୟକୁ ଭୁଲି ନାହାନ୍ତି। ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଚାଲିଛନ୍ତି।

ଭୋକିଲା ଲୋକ, ଜୀବଜନ୍ତୁଙ୍କ ପାଟିରେ ଆହାରେ ଦେଉଛନ୍ତି ସ୍ବେଚ୍ଛାସେବୀ
ଲକ୍ ଡାଉନ୍ ପାଇଁ ବଜାର, ହୋଟେଲ ସବୁ ବନ୍ଦ ହୋଇ ଯାଇଥିବାରୁ ଖାଦ୍ୟ ପାଉ ନାହାନ୍ତି ଫୁଟପାଥରେ ରହୁଥିବା ବ୍ୟକ୍ତି, ମାନସିକ ବିକୃତ ଲୋକ, ଅସହାୟ। ଅବଶ୍ୟ ଗତକାଲିଠାରୁ ସରକାରଙ୍କ ପକ୍ଷରୁ ରାସ୍ତା କଡରେ ଥିବା ଅସହାୟ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। କିନ୍ତୁ ବହୁ ସ୍ବେଚ୍ଛାସେବୀ, ସଂଗଠନ ଆଗକୁ ଆସି ସହାୟତାର ହାତ ବଢାଇଛନ୍ତି। ଅସହାୟ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଦେଉଛନ୍ତି। ସେହିପରି ବୁଲା ଜୀବଜନ୍ତୁ ଭୋକ ଉପାସରେ ବୁଲୁଥିବା ବେଳେ ସେମାନଙ୍କ ମୁହଁରେ ଖାଦ୍ୟ ଦେବା ପାଇଁ ଆଗେଇ ଆସିଛନ୍ତି ସ୍ବେଚ୍ଛାସେବୀ ସଂଗଠନ।

ସମ୍ବନ୍ଧିତ ଖବର