ଭୁବନେଶ୍ୱର: କେଶରୀ ଟକିଜ୍‌ରେ ସିନେମା ଦେଖିବା ପାଇଁ ଦୁର୍ଯ୍ୟୋଧନ ସାହୁ ‘ଆମ ବସ୍‌’ ଆପ ଦେଖି ଜାଭିୟର ଛକରୁ ‘ରୁଟ୍‌ ୯’ରେ ବସ୍‌ରେ ଚଢ଼ିଲେ। ହେଲେ କଣ୍ଡକ୍ଟର ବସ୍‌ ହାଉସିଂବୋର୍ଡ ଦେଇ ମାଷ୍ଟରକ୍ୟାଣ୍ଟିନ୍‌ ଯିବ ବୋଲି କହିଲେ। ସେ ଆପ୍‌ରେ ତ ‘କେଶରୀ ଟକିଜ୍‌’ ଷ୍ଟାଣ୍ଡ୍‌ ଲେଖାହୋଇଛି ବୋଲି ପଚାରିବାରୁ,  ଆମକୁ ସେପଟେ ଯିବାକୁ ମନା ହୋଇଛି ବୋଲି କଣ୍ଡକ୍ଟର କହିଥିଲେ।  ତେଣୁ ବାଧ୍ୟ ହୋଇ ତାଙ୍କୁ ହାଉସିଂବୋର୍ଡ ଛକରେ ଓହ୍ଲାଇ ଚାଲିଚାଲି କେଶରୀଟକିଜ୍‌ ପର୍ଯ୍ୟନ୍ତ ଯିବାକୁ ପଡ଼ିଲା। କେବଳ ଶ୍ରୀ ସାହୁ ନୁହନ୍ତି, ତାଙ୍କ ଭଳି ବହୁ ଯାତ୍ରୀ ଏହିଭଳି ହଇରାଣରେ ପଡ଼ୁଛନ୍ତି। ଆପରେ ‘ରୁଟ୍‌ ନମ୍ୱର ୯’ ବସ୍‌ଟି ପଟିଆ ଛକରୁ-ଇନଫୋସିଟି-ଜୟଦେବବିହାର-କେଶରୀ ଟକିଜ୍‌-ଅଭିନ୍ନ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଦେଇ ମାଷ୍ଟରକ୍ୟାଣ୍ଟିନ୍‌ ଯାଉଛି ବୋଲି ଉଲ୍ଲେଖ ରହିଛି। ହେଲେ ଗତ ଏକ ମାସ ହେଲାଣି ଏହି ରୁଟ୍‌ ପରିବର୍ତ୍ତେ ବସ୍‌ ହାଉସିଂବୋର୍ଡ ଛକରୁ ରାମମନ୍ଦିର ଦେଇ ମାଷ୍ଟରକ୍ୟାଣ୍ଟିନ୍‌ ଯାଉଛି। ଫଳସ୍ୱରୁପ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ମାଷ୍ଟରକ୍ୟାଣ୍ଟିନ୍‌ରୁ ଜୟଦେବବିହାର ଛକ ଦେଇ ଇନ୍‌ଫୋସିଟି, ନୀଳାଦ୍ରିବିହାର ଆଦି ଅଞ୍ଚଳକୁ ଏହା ଏକମାତ୍ର ବସ୍‌ ହେଇଥିବାରୁ ଯାତ୍ରୀମାନଙ୍କୁ ୟୁନିଟ୍‌ ୯, ୟୁନିଟ୍‌ ୪ ଅଞ୍ଚଳରୁ ଚାଲିକରି ଆସିବାକୁ ପଡ଼ୁଛି। 

Advertisment

ସହରର ଅଧିକାଂଶ ସ୍ଥାନରେ ବସ୍‌ଷ୍ଟପ୍‌ ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁଠି ବସ୍‌ଷ୍ଟାଣ୍ଟ ଅଛି ସେଠି ବର୍ଷା ସମୟରେ ଠିଆ ହୋଇହେଉନି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍) ପକ୍ଷରୁ ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ ଏହି ବସ୍‌ଷ୍ଟପ୍‌ଗୁଡ଼ିକରେ ପାଖାପାଖି ୩୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଚକେଇସିହାଣୀ, ବାଣୀବିହାର, ରମାଦେବୀ କଲେଜ, ରୂପାଲି ଛକ, ପିଏମ୍‌ଜି ଛକ, ସିଆରପି ଛକ ବସ୍‌ଷ୍ଟପ୍‌ ଉପରେ ବଡ଼ ବଡ଼ ଗଛ ରହିଛି। ସେହିପରି ବସ୍‌ଷ୍ଟପ୍‌ଗୁଡ଼ିକରେ ବସ୍‌ ରୁଟ୍‌, ସମୟ ସାରଣୀ, ଯାତ୍ରୀ ସଂଖ୍ୟା ଦର୍ଶାଉଥିବା ଡିସ୍‌ପ୍ଲେ ବୋର୍ଡ ଅଚଳ ହୋଇପଡ଼ିଛି। ଏପରିକି ସିଆର୍‌ପି, ରସୁଲଗଡ଼, ପାଵାର୍‌ହାଉସ୍‌ ଛକ, ସୂର୍ଯ୍ୟନଗର ଆଦି ସ୍ଥାନରେ ମ୍ୟାପ ମଧ୍ୟ ନାହିଁ। ତେବେ ଏନେଇ କ୍ରୁଟ୍‌ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ରୁଟ୍‌ ନମ୍ୱର ୯ରେ କେବୁଲ କାମ ହେଉଥିବାରୁ ବସ୍‌ ଯାଇପାରୁନାହିଁ। ଆମେ ଅଧିକାରୀଙ୍କ ସହ ଶୀଘ୍ର କାମ ସାରିବା ପାଇଁ କଥା ହୋଇଛୁ। ଖୁବ ଶୀଘ୍ର ରୁଟ୍‌ରେ ବସ ଚାଲିବ। ସେହିପରି ବର୍ତ୍ତମାନ ମୋ ବସ୍‌ଷ୍ଟପ୍‌ଗୁଡ଼ିକର ମରାମତି ଚାଲିଛି। ନୂଆ ୨୦୦ଟି ବସ୍‌ଷ୍ଟପ୍‌ ହେବା ପାଇଁ ମଧ୍ୟ ଯୋଜନା ରହିଛି ବୋଲି ସେ କହିଛନ୍ତି।