ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ଅଳିଆ ଯନ୍ତ୍ରଣାରୁ ରାଜଧାନୀବାସୀଙ୍କୁ ଏବେ ମୁକ୍ତି ମିଳିବ ନାହିଁ। ପାହାଡ଼ ସଦୃଶ ଏ ବର୍ଜ୍ୟଗଦାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଡମ୍ଫି ଫ୍ରି ସହର ଲକ୍ଷ୍ୟରେ ପହଞ୍ଚିବାକୁ ଆହୁରି ୬-୭ ମାସ ଲାଗିବ ବୋଲି ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଆଜି ଗଣମାଧ୍ୟମରେ କହିବା ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି। ଯଦି କମିସନରଙ୍କ ଆକଳନ ସତ ହୁଏ, ତେବେ ଏପ୍ରିଲ ମାସ ଶେଷସୁଦ୍ଧା ଭୁବନେଶ୍ବର ଡମ୍ଫି ଫି’ ହୋଇଯିବ। ମାତ୍ର ସେହି ସମୟ ପର୍ଯ୍ୟନ୍ତ ସହରବାସୀଙ୍କୁ କ’ଣ ଏମିତି ଦୁର୍ଗନ୍ଧରେ ବଞ୍ଚିବାକୁ ପଡ଼ିବ? ବ୍ୟାପୁଥିବା ଚର୍ମ ଓ ଛାତି ଯନ୍ତ୍ରଣା ରୋଗରେ କ’ଣ ସହରବାସୀ ଘାଣ୍ଟି ହେବେ? ଦୁର୍ଗନ୍ଧକୁ ବର୍ତମାନ କିଭଳି ତୁରନ୍ତ କମାଯିବ, ସେନେଇ କାହିଁକି ପଦକ୍ଷେପ ନିଆଯାଉ ନାହିଁ? ବିଏମ୍‌ସି କମିସନରଙ୍କ ଆକଳନ ପରେ ଆଜି ଦିନତମାମ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଏଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନର ସ୍ଥିତିରେ ଯମଯନ୍ତ୍ରଣା ପାଉଥିବା ଲୋକେ ଆହୁରି ୬-୭ ମାସ ସମାନ ବା ଏହାଠାରୁ ଆହୁରି ସାଂଘାତିକ ସ୍ଥିତି‌ରେ ରହିବାକୁ ପଡ଼ିବ ଜାଣି ଭୟରେ ଥରି ଉଠିଛନ୍ତି। କାରଣ ସେହି ସମୟ ଭିତରେ ଆହୁରି ଅଧିକ ଅଳିଆ ଗଦା ହେବା ଓ ସେଥିରୁ ଆହୁରି ଅଧିକ ଦୁର୍ଗନ୍ଧ ହେବା ନିଶ୍ଚିତ।

Advertisment

ଘର ଭଡ଼ା ଛାଡ଼ୁଛନ୍ତି ଲୋକେ
ବନ୍ଧୁବାନ୍ଧବଙ୍କ ପାଦ ପଡ଼ୁନି
ବନ୍ଦ ହେବାକୁ ବସିଲାଣି ବେପାର

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଟିଟିଏସ୍‌ରୁ ଅଳିଆ କୁଆଡ଼େ ଯାଉନାହିଁ। ବରଂ ପ୍ରତିଦିନ ସହରରୁ ବାହାରୁଥିବା ଟନ୍ ଟନ୍ ଅଳିଆ ବୁହା ହୋଇ ଏଠାକୁ ଆସୁଛି ଏବଂ ଖୁନ୍ଦି ଖୁନ୍ଦି ଭର୍ତ୍ତି କରାଯାଉଛି। ମଲା ଗାଈଗୋରୁ, କୁକୁର ଓ ପଶୁପକ୍ଷୀଙ୍କର ଏହା ମଶାଣି ପାଲଟିଗଲାଣି। ସେସବୁର ଦୁର୍ଗନ୍ଧରେ ଫାଟି ପଡୁଛି ସାରା ପରିବେଶ। ନାକରେ ରୁମାଲ କି ମାସ୍କ ନ ଲଗାଇଲେ ରେଲୱେ କଲୋନିରୁ ଭିଏସ୍‌ଏସ୍‌ ନଗର କିମ୍ବା ସୈନିକ ସ୍କୁଲ ରାସ୍ତାରେ ଯିବା ଏବେ ଆଉ ସମ୍ଭବପର ହେଉନାହିଁ। ଗତ ଏକ ମାସ ହେଲା ସ୍ଥିତି ଏମିତି ହେଲାଣି ଯେ ଏହି ଅଞ୍ଚଳରେ ଘରଭଡ଼ା ନେଇ ରହୁଥିବା ଲୋକେ ଘର ଛାଡ଼ିବା ଆରମ୍ଭ କରିଦେଇଛନ୍ତି। ଯେଉଁମାନେ ରହୁଛନ୍ତି, ସେମାନଙ୍କ ଘରେ ବନ୍ଧୁବାନ୍ଧବଙ୍କ ପାଦ ପଡ଼ୁନି। ସ୍କୁଲରେ ପିଲାଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଛି। ମନ୍ଦିରକୁ ଶ୍ରଦ୍ଧାଳୁ ଆସୁ ନଥିବା ବେଳେ ଏବେ ରେଲୱେ ମାର୍କେଟ, ଭିଏସ୍‌ଏସ୍‌ନଗର, ଗଜପତି ନଗର, ରଙ୍ଗମାଟିଆ, ଗାଡ଼କଣ ଅଞ୍ଚଳରେ ଦୋକାନ ବା ବ୍ୟବସାୟ ଖୋଲିଥିବା ଲୋକଙ୍କ ବେପାର ବୁଡ଼ିଗଲାଣି। ଦୁର୍ଗନ୍ଧରେ ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଦୋକାନରେ ଗ୍ରାହକଙ୍କ ପାଦ ପଡ଼ୁ ନ ଥିବାରୁ ମାଲିକ ତାଲା ମାରି ପଳାଇ ଯାଉଛନ୍ତି।

ଅନ୍ୟପକ୍ଷରେ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ବିଏମ୍‌ସି ପକ୍ଷରୁ ଚେଷ୍ଟା ଜାରି ରହିଛି। ୩ ମାସ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଗତ ଜୁଲାଇ ମାସରେ ବିଏମ୍‌ସି ମେୟର, କମିସନର ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଇତି ମଧ୍ୟରେ ୩ ମାସ ବିତି ୪ ମାସ ଚାଲିଥିଲେ ମଧ୍ୟ ସମସ୍ୟା ଆହୁରି ଜଟିଳ ରୂପ ଧାରଣ କରିଛି। ୩ ମାସ ପୂର୍ବରୁ ବହୁ ଜାକଜକମରେ ବର୍ଜ୍ୟବସ୍ତୁ ପୃଥକୀକରଣ ପାଇଁ ଲଗାଯାଇଥିବା ଟ୍ରମେଲ୍‌ ମେସିନ୍‌ କାର୍ଯ୍ୟକ୍ଷମ ନ ହୋଇ ପଡ଼ି ରହିଥିଲା। ଏବେ ତାହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପାହାଡ଼ ଉଚ୍ଚାର ଅଳିଆ ଜମା ହୋଇଥିଲେ ମଧ୍ୟ ବିଏମ୍‌ସି ପକ୍ଷରୁ ଗଣମାଧ୍ୟମକୁ କାର୍ଯ୍ୟକ୍ଷମ ହେବାକୁ ଥିବା ଟ୍ରମେଲ୍‌ ମେସିନ୍‌ର ଫଟୋ ପଠାଯାଇ ବୁଝାଇବାର ପ୍ରୟାସ କରାଯାଇଛି।

ଲୋକଙ୍କ ସହଯୋଗ ଲୋଡ଼ିଲେ କମିସନର

ଭୁବନେଶ୍ୱର,: ସୈନିକ ସ୍କୁଲ୍‌ ନିକଟରେ ଥିବା ଟିଟିଏସ୍‌ (ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ) ପାଇଁ ତତ୍ପରତା ଦେଖାଇଛି ବିଏମ୍‌ସି। ଏହା କିଭଳି ସହରବାସୀଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ, ସେ ନେଇ ଯୋଜନା ହୋଇଛି। ଏଥିରେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ। ଟିଟିଏସ୍‌ରେ ଗଦା ହୋଇଥିବା ଆବର୍ଜନା ‘ମିଶ୍ରିତ ବର୍ଜ୍ୟ’ ହୋଇଥିବାରୁ ପରିଚାଳନା ପାଇଁ ସମୟ ଲାଗୁଛି। ଏହା ପୃଥକ୍‌ ପୃଥକ୍‌ ହୋଇ ଆସିଥିଲେ ସହଜରେ ପ୍ରକ୍ରିୟାକରଣ ହୋଇପାରିଥାନ୍ତା। ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ରହିଛି। ସଫାଗାଡ଼ିକୁ ଶତ ପ୍ରତିଶତ ଆବର୍ଜନା ପୃ୍‌ଥକ୍‌ ପୃଥକ୍‌(ଓଦା-ଶୁଖିଲା) ଦେଲେ ଆଗକୁ ସମସ୍ୟା ହେବନାହିଁ। ଏଣୁ ପ୍ରତ୍ୟେକଙ୍କର ସହଯୋଗ ଲୋଡ଼ା ବୋଲି ସେ କହିଛନ୍ତି।

ବର୍ଷ ବର୍ଷ ଧରି ଦାରୁଠେଙ୍ଗ ଡମ୍ପିଂ ୟାର୍ଡକୁ ସହରର ଆବର୍ଜନା ନିଆଯାଉଥିଲା। ଏହି ବ୍ୟବସ୍ଥାକୁ ମେ’ ୧୭ ତାରିଖରୁ ସବୁଦିନ ପାଇଁ ବନ୍ଦ କରାଯାଇଛି। ସେଠାରେ ପଡ଼ି ରହିଥିବା ଅଳିଆକୁ ପରିଚାଳନା କରିବା ପାଇଁ ଯନ୍ତ୍ରପାତି ସ୍ଥାପନା କରାଯାଉଛି। ସହରରୁ ବାହାରୁଥିବା ମିଶ୍ରିତ ବର୍ଜ୍ୟକୁ ଟିଟିଏସ୍‌କୁ ନିଆଯାଉଛି। ସହରରୁ ବାହାରୁ ଥିବା ମିଶ୍ରିତ ବର୍ଜ୍ୟକୁ ପୃଥକିକୃତ କରି ପ୍ରକ୍ରିୟାକରଣ ଓ ସ୍ୱତନ୍ତ୍ର ଜୈବିକ ଦ୍ରବଣର ପ୍ରୟୋଗରେ କ୍ଷୟ ପ୍ରକ୍ରିୟା କରାଯାଇ ପରିମଳ ପରିଚାଳନା କରାଯାଉଛି। ଏଥିପାଇଁ ସ୍ୱତନ୍ତ୍ର ପଦ୍ଧତିରେ ଜମି ରହିଥିବା ଅଳିଆକୁ ଛୋଟ ଛୋଟ ଗଦାରେ ପରିଣତ କରାଯାଉଛି। ତେଣୁ ପଡିରହିଥିବା ଅଳିଆକୁ ଛୋଟ ଛୋଟ ଗଦା କଲାବେଳେ ଏଥିରୁ ସ୍ୱାଭାବିକ ଭାବେ ଗନ୍ଧ ବାହାରୁଛି।

ଏହି ଗନ୍ଧକୁ କମାଇବା ପାଇଁ ଏବେ କେମିକାଲ ଛିଞ୍ଚା ଯାଉଛି। ଯଥାଶୀଘ୍ର ପ୍ରକ୍ରିୟା କରଣ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ସ୍ଥାପନ ପାଇଁ କିଛି ସମୟ ଦରକାର ହେଉଛି। ବର୍ଜ୍ୟବସ୍ତୁର ପୃଥକୀକରଣ ପାଇଁ ଦୁଇ ଧାଡିରେ ଆଠଟି ଟ୍ରମେଲ୍‌ ସ୍ଥାପନ କରାଯାଉଛି। ଠିକାସଂସ୍ଥା କାର୍ଯ୍ୟ ଜାରି ରଖିଛି। ରାତିରେ ମଧ୍ୟ କାମ ହେଉଛି। ସମ୍ପୃକ୍ତ ଅଞ୍ଚଳରେ ବୃକ୍ଷରୋପଣ ଓ ଆନୁସଂଗିକ ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି ବୋଲି କମିସନର କହିଛନ୍ତି। ଗୋଟିଏ ଟ୍ରମେଲରେ ଘଣ୍ଟାକୁ ୩୫-୪୦ ଟନ୍‌ ବର୍ଜ୍ୟ ପ୍ରକ୍ରିୟାକରଣ କ୍ଷମତା ଥିବା ବେଳେ ଅପରପାର୍ଶ୍ବର ଟ୍ରମେଲ୍ ଜରିଆରେ ଏକଘଣ୍ଟାରେ ୭୦-୮୦ ଟନ୍‌ ବର୍ଜ୍ୟ ପ୍ରକ୍ରିୟାକରଣ ହୋଇପାରିବ। ଏହାର ସ୍ଥାପନା କାମ ପ୍ରାୟ ୧୫ ଦିନ ମଧ୍ୟରେ ସରିଯିବ। ଏହା ପରେ ପୃଥକୀକରଣ କାର୍ଯ୍ୟ ଆରମ୍ଭ ହେବା ସହ ୬ରୁ ୭ ମାସ ମଧ୍ୟରେ ଅଳିଆଗଦା କମି ଯିବ। ଖୁବ୍‌ଶୀଘ୍ର ‘ଡମ୍ପିଂ ଫ୍ରି’ ସହର ଲକ୍ଷ୍ୟରେ ବିଏମ୍‌ସି ପହଞ୍ଚିବ ବୋଲି କମିସନର ଶ୍ରୀ କୁଲାଙ୍ଗେ କହିଛନ୍ତି। ଏହି ପ୍ରକ୍ରିୟାରେ ସହଯୋଗ ପାଇଁ ସେ ସରକାର, ସୈନିକ ସ୍କୁଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଗୋଷ୍ଠୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।