ରାସ୍ତା ମଝିରେ ଖୁଣ୍ଟ, ଯନ୍ତ୍ରୀଙ୍କ ଅପାରଗତା ପାଇଁ ଭୋଗୁଛନ୍ତି ଲୋକ

ଯେଉଁଠି ପୂର୍ତ୍ତ ବିଭାଗ ଅର୍ଥ ଦେଇଛି ସେଠାରେ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ହୋଇଛି: ଶକ୍ତି ବିଭାଗ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ ଛକରୁ ନୂଆପଲ୍ଲୀ ବେହେରା ସାହି ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ହେଲା। ପୂର୍ବରୁ ପ୍ରାୟ ୨୫ଫୁଟ ଓସାର ଥିବା ରାସ୍ତାକୁ ପ୍ରାୟ ୪୦ଫୁଟରୁ ଅଧିକ ଓସାର କରାଯାଇଛି। ରାସ୍ତା କଡ଼ରେ ପ୍ରଶସ୍ତ ଡ୍ରେନ୍‌ ବି ତିଆରି ହୋଇଛି। କିନ୍ତୁ ପୂର୍ତ୍ତ ବିଭାଗ ଏଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ଓ ଡ୍ରେନ୍‌ ନିର୍ମାଣ କରିଥିଲେ ବି ଏହା ଲୋକଙ୍କ କାମରେ ଲାଗୁନି। କାରଣ ରାସ୍ତା ସିନା ଓସାର ହୋଇଗଲା ହେଲେ ରାସ୍ତାରେ ଥିବା ବିଦ୍ୟୁତ ଖୁଣ୍ଟ ଉଠିଲାନି। ଫଳରେ ୫ରୁ ୬ଫୁଟ ଓସାରରେ ରାସ୍ତା ବ୍ୟବହାର ହୋଇପାରୁନି।

ସେହିପରି ପାଣ୍ଡରା ଛକରୁ ଜଗନ୍ନାଥ ଆଭେନ୍ୟୁ ପର୍ଯ୍ୟନ୍ତ ରାସ୍ତାର ସମା‌ନ ଅବସ୍ଥା। ଏଠାରେ କିଛି ମାସ ତଳେ ନୂଆ ରାସ୍ତା ନିର୍ମାଣ ହେଲା। ପୁରୁଣା ରାସ୍ତାଠାରୁ ଓସାରିଆ ହେଲା। କିନ୍ତୁ ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ହେଲାନି। ଫଳରେ ରାସ୍ତା ଯେଉଁ ୨ରୁ ୩ଫୁଟ ଓସାର ହେଲା ତାହା କାମରେ ଲାଗୁନି। ରାସ୍ତା ଉପରେ ଖୁଣ୍ଟଗୁଡ଼ିକ ସେମିତି ଅଛି। କେତେକ ଜାଗାରେ ତ ୪ଫୁଟ ପର୍ଯ୍ୟନ୍ତ ରାସ୍ତା ବ୍ୟବହାର ହୋଇପାରୁନି। ଫଳରେ ଦୁଇଟି ଗାଡ଼ି ଅତିକ୍ରମ କରିବାକୁ ହେଲେ ଗୋଟିଏ ଗାଡ଼ି ରହୁଛି, ଆଉ ଗୋଟିଏ ଗାଡ଼ି ଅତିକ୍ରମ କରୁଛି। ଏତିକି ନୁହେଁ ଟିକେ ଅସାବଧାନତା ହେଲେ ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟରେ ଗାଡ଼ି ଧକ୍କା ହେଉଛି। ଓପିଟିସିଏଲ୍‌ ଅଫିସ ସମ୍ମୁଖ ରାସ୍ତାର ବି ସମାନ ଅବସ୍ଥା। ଏହି ରାସ୍ତା ଜନପଥରୁ ସଚିବାଳୟମାର୍ଗକୁ ସଂଯୋଗ କରୁଥିବା ବେଳେ ଏଠାରେ ବି ରାସ୍ତାର ସମାନ ଅବସ୍ଥା। ରାସ୍ତା ଉପରେ ଟ୍ରାନ୍ସଫର୍ମର ବସାଯାଉଛି। ଟ୍ରାନ୍ସଫର୍ମର ବସିବ ବୋଲି ରାସ୍ତାକୁ ମଡ଼ାଇ ପା‌ଚେରି ବୁଲାଯାଇଛି। ଏହି ରାସ୍ତା ବି ନିକଟରେ କାମ ହୋଇଛି। କେବଳ ଏତିକି ନୁହେଁ। ବାତ୍ୟା, କାଳ ବୈଶାଖୀ କାରଣରୁ ବା କୌଣସି କାରଣରୁ ଯଦି ବିଦ୍ୟୁତ ଖୁଣ୍ଟ ନଇଁ ଯାଉଛି ବା ଦୁର୍ବଳ ହୋଇଯାଇଛି ସେଠାରେ ସେସୁ ରାସ୍ତା ଉପରେ ଆଉ ଏକ ଖୁଣ୍ଟ ପୋତି ଷ୍ଟେ ଦେଇଦେଇଛି। କେତେକ ସ୍ଥାନରେ ତ ଫୋନ୍‌ ଖୁଣ୍ଟ ରାସ୍ତା ଉପରେ ବର୍ଷ ବର୍ଷ ଧରି ଅଛି, କିନ୍ତୁ ତାକୁ ସ୍ଥାନାନ୍ତର କରାଯାଇନି। ଯେଉଁଠି ନୂଆ ରାସ୍ତା ତିଆରି ହେବାବେଳେ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ହେଉନି ସେଠାରେ ପୁରୁଣା ରାସ୍ତାକୁ ସମ୍ପ୍ରସାରଣ କରିବାବେଳେ ବିଦ୍ୟୁତ ଖୁଣ୍ଟ ଉଠାଇବା କଥା କିଏ ପଚାରୁଛି।

ୟୁନିଟ-୪, ସହିଦନଗର, ସତ୍ୟଗନର, ଖାରବେଳ ନଗର, ଜିଜିପି କଲୋନି, ରସୁଲଗଡ଼ ପାଲା ମଣ୍ଡପ, ଜୟଦେବ ବିହାରରୁ ଆରମ୍ଭ କରି ରାଜଧାନୀର ସବୁ ଅଞ୍ଚଳରେ ଏହି ସମସ୍ୟା। ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ରାସ୍ତା ସମ୍ପ୍ରସାରଣ ନାଁରେ, ଫୁଟପାଥ୍‌ କରିବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ତାହା ଲୋକଙ୍କ କାମରେ ଲାଗୁନି। ଯେଉଁ ଠିକାଦାର କାମ କରୁଛନ୍ତି ସେମାନେ ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ଉଠାଉନାହାନ୍ତି କି ଯନ୍ତ୍ରୀମାନେ ଏନେଇ ଧ୍ୟାନ ଦେଉନାହାନ୍ତି। ଫଳରେ ଲୋକଙ୍କ ଟିକସ ଅର୍ଥରେ ଯେଉଁ ରାସ୍ତାଘାଟ ନିର୍ମାଣ ହେଉଛି ତାହା ଲୋକଙ୍କ କାମରେ ଲାଗୁନି। କେବଳ ପୂର୍ତ୍ତ ବିଭାଗ ନୁହେଁ, ବିଏମ୍‌ସି ଓ ଇଡ୍‌କୋ ବି ସେମାନଙ୍କ ରାସ୍ତା ନିର୍ମାଣ କରିବାବେଳେ କିପରି ବିଦ୍ୟୁତ ଖୁଣ୍ଟ, ଫୋନ୍ ଖୁଣ୍ଟ ଉଠିବ ସେନେଇ କିଛି ପଦକ୍ଷେପ ନେଉନାହାନ୍ତି। କେବଳ ଯେନତେନ ଉପାୟରେ ରାସ୍ତା ନିର୍ମାଣ କରି ବିଲ୍‌ କରିଦେଲେ କାମ ସରିଲା। ରାସ୍ତା ଲୋକଙ୍କ କାମରେ ଲାଗୁଛି କି ନାହିଁ ସେକଥା କେହି ଦେଖୁନାହାନ୍ତି। ଫଳରେ ରାସ୍ତା ନିର୍ମାଣ ହେଉଛି, ଲୋକ ପୂର୍ବରୁ ଯେମିତି କଷ୍ଟରେ ଯାତାୟତ କରୁଥିଲେ ସେମିତି କରୁଛନ୍ତି। ଏବେବି ବହୁ ଅଞ୍ଚଳରେ ରାସ୍ତା ନିର୍ମାଣ ହେଉଛି ତାହାକୁ ଧ୍ୟାନ ନଦେଲେ ରାଜଧାନୀର ଏକ ବଡ଼ ସମସ୍ୟା କେବେ ବି ସମାଧାନ ହେବନି। ବିଦ୍ୟୁତ ଖୁଣ୍ଟ ରାସ୍ତା ମଝିରୁ ନଉଠିବା ନେଇ ଶକ୍ତି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯେଉଁ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଦିଆଯିବାର ଥାଏ ସେଠାରେ ରାସ୍ତା କଡ଼ରେ ବିଦ୍ୟୁତ ଖୁଣ୍ଟ ପୋତାହୁଏ। କିନ୍ତୁ ଯଦି ପରବର୍ତ୍ତୀ ସମୟରେ ପୂର୍ତ୍ତ ବିଭାଗ, ବିଏମ୍‌ସି କି ଅନ୍ୟ କେହି ଯଦି ରାସ୍ତା ନିର୍ମାଣ କରନ୍ତି ତେବେ ସେମାନଙ୍କୁ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ନେଇ ଅର୍ଥ ଜମା କରିବାକୁ ପଡ଼ିଥାଏ। ଲୁହା ଖୁଣ୍ଟ ସ୍ଥାନାନ୍ତର ପାଇଁ ୧୦ହଜାର ଓ ସିମେଣ୍ଟ ଖୁଣ୍ଟ ସ୍ଥାନାନ୍ତର ପାଇଁ ୩,୫୦୦ ଟଙ୍କା ଦେବାକୁ ହୁଏ। ପୂର୍ବରୁ ସେସୁ ଖର୍ଚ୍ଚ ଆକଳନ କରି ରାସ୍ତା ନିର୍ମାଣ ସଂସ୍ଥାକୁ ଦେଉଥିଲା। ଅର୍ଥ ଜମା ହେବା ପରେ ସେସୁ ଠିକା ସଂସ୍ଥା ଦ୍ବାରା ଏହି କାମ କରୁଥିଲା। କିନ୍ତୁ ଏବେ ଟିପିସିଓଡିଏଲ୍‌ ସବୁ କାମ କରିବ। ଯେଉଁଠି ପୂର୍ବରୁ କର୍ତ୍ତୃପକ୍ଷ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ପାଇଁ ଅର୍ଥ ଜମା କରିଛନ୍ତି ସେଠାରେ ସେସୁ ଖୁଣ୍ଟ ସ୍ଥାନାନ୍ତର କରିଛି। ଯେଉଁ ରାସ୍ତାରୁ ଖୁଣ୍ଟ ସ୍ଥାନାନ୍ତର ପାଇଁ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ଅର୍ଥ ଜମା କରେନି ସେ ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ହୁଏନି। ସରକାରୀ ନିୟମ ଅନୁଯାୟୀ ଯେପରି ରାସ୍ତା ଯିଏ ଖୋଳିବ ସେ ରାସ୍ତା ମରାମତି କରିବ କିମ୍ବା ମରାମତି କରିବାକୁ ଉକ୍ତ ବିଭାଗକୁ ଅର୍ଥ ଦେବ। ସେହି ନିୟମ ବି ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ପାଇଁ ଲାଗୁ ହୋଇଛି।

ଏପଟେ ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, କେଉଁ ରାସ୍ତାରେ କେତେ ଖୁଣ୍ଟ ସ୍ଥାନାନ୍ତର ହେବ, କେତେ ଓସାର ହେବ ସେନେଇ ଖର୍ଚ୍ଚ ଆକଳନ କରି ସେସୁରେ ଜମା ହେଉଥିଲା। ଏଥିପାଇଁ କିଛି ବାଧକ ନାହିଁ। ଯେଉଁଠି ଯନ୍ତ୍ରୀମାନେ ଖୁଣ୍ଟ ସ୍ଥାନାନ୍ତର ନେଇ ସ୍ବତନ୍ତ୍ର ବଜେଟ୍‌ ରଖିନଥିବେ ସେଠାରେ ଖୁଣ୍ଟ ସ୍ଥାନାନ୍ତର ହୋଇନଥିବ। ରାସ୍ତାରୁ ଖୁଣ୍ଟ ସ୍ଥାନାନ୍ତର ନହେବା ପାଇଁ ଯନ୍ତ୍ରମାନେ ଦାୟୀ। କିଛି ଯନ୍ତ୍ରୀଙ୍କ ଦୂରଦୃଷ୍ଟି ଅଭାବ ହେଉ କି ଅପାରଗତା ଲୋକଙ୍କ ଉପରେ ଭାରି ପଡ଼ୁଛି। ସବର୍ସାଧାରଣଙ୍କ ପାଇଁ ଯେଉଁ କାମ ହେଉଛି ତାହା ତାଙ୍କ କାମରେ ଲାଗୁଛି କି ନାହିଁ ତାକୁ କେହି ଦେଖୁନାହାନ୍ତି।

ସମ୍ବନ୍ଧିତ ଖବର