ବସ୍ତି ଉଚ୍ଛେଦ କରିବାକୁ ଆସି ହଟହଟା, କତା, ଦା’,ବହ୍ଲା ଦେଖାଇ ଗୋଡ଼ାଇଲେ

ଭୟରେ ଫେରିଗଲେ ବିଡିଏ ଓ ବିଏମ୍‌ସି ଅଧିକାରୀ, ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ସିଡ଼ି ଭାଙ୍ଗିଲେ

ଭୁବନେଶ୍ବର: ବସ୍ତି ଉଚ୍ଛେଦ କରିବାକୁ ଆସିଥିବା ବିଡିଏ ଓ ବିଏମ୍‌ସି କର୍ମଚାରୀଙ୍କୁ ବସ୍ତିବାସିନ୍ଦା ଦା’, କତା, ବହ୍ଲା ଦେଖାଇ ଗୋଡ଼ାଇବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ବିରୋଧ ଏପରି ହୋଇଥିଲା ଯେ ବିୁଦ୍ୟତ ତାର କାଟିବାକୁ ଅସିଥିବା ବିୁଦ୍ୟତ ବିଭାଗ କର୍ମଚାରୀଙ୍କ ସିଡ଼ି ବି ଭାଙ୍ଗି ଦେଲେ। ଆଜି ସାଲିଆସାହି ବସ୍ତି ଉଚ୍ଛେଦ ପାଇଁ ବିଡିଏ ଓ ବିଏମ୍‌ସି କର୍ମଚାରୀ ଅସିଥିବା ବେଳେ ଅଧିକାରୀମାନଙ୍କୁ ଏଭଳି ହଟହଟା ହେବାକୁ ପଡ଼ିଛି। ବି‌‌ରୋଧ ଏପରି ହୋଇଥିଲା ଯେ, ବସ୍ତି ଉଚ୍ଛେଦ ତ ଦୂରର କଥା ବସ୍ତି ଭିତରକୁ ସେମାନେ ପଶିପାରି ନ ଥିଲେ। ଅଧିକାରୀମାନେ ଭୟରେ ଅଧାବାଟରୁ ଗାଡ଼ି ଫେରାଇ ନେଇଥିଲେ। ଦୀର୍ଘଦିନ ଧରି ବସ୍ତିବାସିନ୍ଦାଙ୍କ କବ୍‌ଜାରେ ଥିବା ସାଲିଆସାହିରୁ ଜବରଦଖଲ ହଟିବ ବୋଲି ଯେଉଁ ଯୋଜନା କରାଯାଇ ଥିଲା, ତାହା ଏବେ ଆଶା ଆଶଙ୍କା ଦେଇ ଗତି କରୁଛି।

ପ୍ରକାଶ ଥାଉକି, ସୋମବାର ବସ୍ତି ଉଚ୍ଛେଦ ହେ‌ବ ବୋଲି ଜାଣିବା ପରେ ବସ୍ତି ବାସିନ୍ଦା ଖେଳପଡ଼ିଆରେ ଏକାଠି ‌ହୋଇ ମେଳି କରିଥିଲେ। ଆଉ ଏହାର ପ୍ରତିଫଳନ ସୋମବାର ଦେଖିବାକୁ ମିଳିଥିଲା। ତେବେ ସେମାନଙ୍କୁ ଥଇଥାନ ସହ ୬ଶହ ବର୍ଗଫୁଟ୍‌ର ଜମି ନ ଦେଲେ ଏଭଳି ପ୍ରତିବାଦ କରାଯିବ ବୋଲି ପୂର୍ବରୁ ବସ୍ତିବାସିନ୍ଦା ଚେତାବନୀ ଦେଇସାରିଛନ୍ତି।

ସୂଚନା ମୁତାବକ, ସାଲିଆସାହି ଦେଇ ୩ଟି ରାସ୍ତା ଯିବା ପାଇଁ ନକ୍ସା ପ୍ରସ୍ତୁତ ସରିଛି। ଗୋଟିଏ ନାଲ୍‌କୋରୁ ଏକାମ୍ର ପର୍ଯ୍ୟନ୍ତ ୨ଶହ ମିଟର ଚଉଡ଼ା ରାସ୍ତା ଓ ୨ଟି ଶହେ ମିଟର ଚଉଡ଼ାର ରାସ୍ତା ଯିବା ପାଇଁ ଯୋଜନା ହୋଇଛି। ରାସ୍ତା ପାଇଁ ବସ୍ତି ବାଧକ ସାଜୁଥିବାରୁ ବସ୍ତିକୁ ହଟାଯିବାକୁ ଯୋଜନା ହୋଇଛି। ସୋମବାର ସନ୍ଧ୍ୟାରେ ମଧ୍ୟ ହଜାର ହଜାର ବସ୍ତିବାସିନ୍ଦା ଏକାଠି ହୋଇ ଏକ ବୈଠକ କରିଛନ୍ତି। ଯଦି ପୁନର୍ବାର ବସ୍ତି ଉଚ୍ଛେଦ ପାଇଁ କେହି ଆସନ୍ତି ଏହାର କଡ଼ା ଜବାବ ଦିଆଯିବ ବୋଲି ବସ୍ତିବାସିନ୍ଦା ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର