ବାରଙ୍ଗ: ବାତ୍ୟା ‘ଫନି’କୁ ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ହେଁ ବାରଙ୍ଗବାସୀଙ୍କ ବିଦ୍ୟୁତ୍ ସମସ୍ୟା ସମାଧାନ ହୋଇପାରି ନାହିଁ। ଫଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗରମ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ରାତିରେ ମଧ୍ୟ ନିସ୍ତାର ନାହିଁ, ଗରମରେ ଛଟପଟ ହୋଇ ଲୋକେ ରାତି ରାତି ଅନିଦ୍ରା ରହୁଛନ୍ତି। ଅପରପକ୍ଷେ ବିଦ୍ୟୁତ୍ ନ ଥିବାରୁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଥିବା ଦେଖାଯାଉଛି। ବାରଙ୍ଗ ଓ ଗୋଡ଼ି ସାହି ବିଦ୍ୟୁତ୍ ବିଭାଗ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବ କରାଯାଉଥିବାରୁ ସ୍ଥାନୀୟ ଗ୍ରାମଗୁଡ଼ିକର ଯୁବକମାନେ ଏବେ ଅଣ୍ଟା ଭିଡ଼ିଛନ୍ତି। ବଞ୍ଚୁପାଳ, କଣ୍ଟାପାଟଣା, ଶ୍ରୀବନ୍ତପୁର, ଦାଢ଼ାପାଟଣା, ରଘୁନାଥପୁର, ପଦାସାହି, ଦାଢ଼ା, କେନ୍ଦୁପାଟଣା ଗ୍ରାମର ଯୁବକମାନେ ବିଦ୍ୟୁତ୍ କର୍ମଚାରୀଙ୍କ ସହ ମିଳିତ ଭାବେ ସମସ୍ୟା ଦୂର କରିବାରେ ଲାଗି ପଡ଼ିଛନ୍ତି। ଯୁବକମାନେ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଖୁଣ୍ଟ ବୋହିବା ସହ ପୋତିବା ଓ ତାର ଟଣା କାର୍ଯ୍ୟରେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ସହଯୋଗ କରୁଛନ୍ତି। ଅପରପକ୍ଷେ ବିଦ୍ୟୁତ୍ ନଥିବାରୁ ସ୍ଥାନୀୟ ଗାଁଗୁଡ଼ିକରେ ଅନେକ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡ଼ିଛି। କିଛି ଗ୍ରାମରେ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର୍ ଯୋଗେ ପାନୀୟ ଜଳ ଯୋଗାଯାଉଥିବା ବେଳେ ଅନେକ ଗ୍ରାମ ବଞ୍ଚିତ ଥିବା ଅଭିଯୋଗ ହେଉଛି। ଶ୍ରୀବଜ୍ରପୁର, କଣ୍ଟାପାଟଣା ଓ ଦାଢ଼ାପାଟଣା ପଞ୍ଚାୟତରେ ପାଣି ମଟର ପମ୍ପ ପୋଡ଼ି ଯାଇ ଥିବାରୁ ଗଦେଇବୁନ୍ଦ, ଦାଢ଼ାପାଟଣା, ବଙ୍ଗାଳି ସାହି, ସୀତାରାମ ବଜାର, କଣ୍ଟାପାଟଣା, ଶ୍ରୀବ୍ରହ୍ମପୁର ଗ୍ରାମକୁ ପାଣି ଯୋଗାଣ ଠପ୍ ହୋଇଯାଇଛି। ସେଠାରେ ଟ୍ୟାଙ୍କର୍ ଯୋଗେ ପାଣି ଯୋଗାଣ କରାଯାଉଥିବା ସୂଚନା ମିଳିଛି।
ଏମିତି ଜଳୁଛି ବିଜୁଳି ନିଆଁ ଯେ ଏକୁଟିଆ କାମ କରିବାକୁ ଅଫିସର୍ ଡରିଲେଣି। ଲାଇନ୍ ଆସିବା ଯାଏଁ ପାଖେ ପାଖେ ଜଣେ ଖାକି ପିନ୍ଧା ରୁହନ୍ତୁ। ଘରୁ ଅଫିସ୍ ଆଉ ଅଫିସ୍ରୁ ଘରୁ ନବା ଆଣିବା କରନ୍ତୁ। ନ ହେଲେ କେତେବେଳେ ମୁଣ୍ଡ କି ନାକ ଫାଟିବ, ତାହା କହିହେବ ନାହିଁ। ଏଭଳି ଏକ ବିଚିତ୍ର ପରିସ୍ଥିତି ଭୁବନେଶ୍ବରରେ ସୃଷ୍ଟି ହୋଇଛି। ଗତକାଲି ସେସୁ ନିୟନ୍ତ୍ରଣ କକ୍ଷରୁ ଅଫିସର ଭାବି କେତେକ ଉତ୍ତ୍ୟକ୍ତ ଲୋକ ଜଣେ କିରାଣୀଙ୍କୁ ଉଠାଇ ନେଇଥିଲେ। ‘ଆମକୁ ଲାଇନ୍ ଦେ, ତା’ ପରେ ଯାଇ ଛଡ଼ା ହବୁ’ ଏଭଳି ନାରା ଦେଇ କିରାଣୀଙ୍କୁ ଘଣ୍ଟାଏ କାଳ ଅଟକ ରଖିଥିଲେ। ପରେ ଜଣାପଡ଼ିଲା କି ସେ ଅଫିସର ନୁହନ୍ତି ବରଂ ଜଣେ କିରାଣୀ। ଏଣୁ ତାଙ୍କୁ ଛାଡ଼ିଥିଲେ। ଏଭଳି ସ୍ଥିତି ଦେଖି ନିୟନ୍ତ୍ରଣ କକ୍ଷରେ ପୁଲିସ ପହରା ବଢ଼ାଇ ଦିଆଯାଇଥିଲା। ଆଜି ବି ସେହିଭଳି ପରିସ୍ଥିତି ଏହି ନିୟନ୍ତ୍ରଣ କକ୍ଷରେ ଲାଗି ରହିଛି। ତେବେ ପୁଲିସ ଥିବାରୁ କୌଣସି ଅଫିସରଙ୍କୁ ଲୋକେ ଉଠାଇ ନେବାରେ ସକ୍ଷମ ହୋଇନାହାନ୍ତି।