୨ ଲୁଟେରାଙ୍କୁ ଧରି ନିର୍ଧୁମ୍‌ ଛେଚିଲେ

ଭୁବନେଶ୍ୱର : ସୁନା ଚେନ୍‌ ଝାମ୍ପି ଫେରାର ହେବା ବେଳେ ଧରା ପଡ଼ିଛନ୍ତି ଦୁଇ ଲୁଟେରା। ସ୍ଥାନୀୟ ଲୋକେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରି ମଞ୍ଚେଶ୍ବର ପୁଲିସ ଜିମା ଦେଇଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେଠାରେ ଲାଗିଥିବା ଏକ ସିସିଟିଭିରେ ଛିନ୍‌ତାଇ ଦୃଶ୍ୟ କଏଦ୍‌ ହୋଇଛି। ଏହାକୁ ଭିତ୍ତି କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ତେବେ ଅନ୍ୟଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗାଡ଼ି ଫିଙ୍ଗି ପଳାଇବା ସହ ସୁନା ଚେନ୍‌ ନେଇ ଯାଇଛି। ଅଟକ ଦୁଇ ଲୁଟେରାଙ୍କଠାରୁ ଏକ ମଙ୍ଗଳସୂତ୍ର ଉଦ୍ଧାର ହୋଇଛି।

ସୂଚନା ମୁତାବକ, ରସୁଲଗଡ଼ର ମନୋରମା ଓଝା ତାଙ୍କ ପୁଅଙ୍କ ସହ ଭାଗବତ ସନ୍ଧାନରେ ରହୁଥିବା ଭଉଣୀଙ୍କ ଘରକୁ ଯାଉଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଏକ ଅଟୋରେ ସେ କେନାଲ ରୋଡ୍‌ରେ ଯାଉଥିବା ବେଳେ ପଛପଟୁ ଏକ ଆପାଚି(ଓଡି୦୫ଏଇ-୩୬୧୦)ରେ ୩ ଜଣ ଯୁବକ ଆସି ମନୋରମାଙ୍କ ବେକରୁ ଚେନ୍‌ ଓ ମଙ୍ଗଳସୂତ୍ର ଝାମ୍ପି ନେଇଥିଲେ। ମନୋରମା ଗାଡ଼ିରୁ ପଡ଼ି ଯାଇଥିଲେ। ଏହା ଦେଖି ପାଖରେ ବସିଥିବା ପୁଅ ଲୁଟେରାଙ୍କୁ ଗୋଡ଼ାଇ ପଛରେ ବସିଥିବା ଜଣକୁ ମାଡ଼ି ବସିଥିଲେ। ଏଭଳି ଦୃଶ୍ୟ ଦେଖି ସେଠାରେ ଥିବା ସ୍ଥାନୀୟ ବାସିନ୍ଦା ଅମୂଲ୍ୟ ପରିଡ଼ା ଓ ଅନ୍ୟମାନେ ଆଗ ଆଡୁ ଜଗି ଦେବାରୁ ସେମାନେ ଆଉ ଯାଇ ପାରିନଥିଲେ। ସେମାନେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଦୁଇଜଣ ତଳେ ପଡ଼ିଯିବା ପରେ ଗାଡ଼ି ଚଳାଉଥିବା ଯୁବକ ଗାଡ଼ି ଛାଡ଼ି ଦଉଡ଼ି ପଳାଇଥିଲା। ମନୋରମାଙ୍କ ପୁଅର ସାହସ ଓ ସ୍ଥାନୀୟ ଲୋକଙ୍କ ସହାୟତା ଯୋଗୁଁ ଲୁଟେରାମାନେ ଧରା ପଡ଼ିଥିଲେ। ଏହି ସ୍ଥାନରୁ ଗତକାଲି ସନ୍ଧ୍ୟାରେ ମଧ୍ୟ ଏଭଳି ଏକ ଲୁଟ୍‌ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର