ବିଦ୍ୟୁତ୍‌ ଅଫିସ୍‌ ଘେରିଲେ ଉପଭୋକ୍ତା

ବିଦ୍ୟୁତ କର୍ମଚାରୀଙ୍କୁ ପିଟିଲେ

ଭୁବନେଶ୍ୱର : ବାତ୍ୟାର ୬ ଦିନ ପରେ ବି ରାଜଧାନୀର ଅର୍ଧାଧିକ ଅଞ୍ଚଳ ଏବେ ବି ବିଦ୍ୟୁତ୍‌ ସେବାରୁ ବଞ୍ଚିତ। ଦିନବେଳା ପ୍ରବଳ ଗରମ ଓ ରାତିରେ ଗୁଳୁଗୁଳି‌ରେ ରାଜଧାନୀବାସୀ ସନ୍ତୁଳି ହେଉଛନ୍ତି। କିନ୍ତୁ ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ ଏପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ପୁନରୁଦ୍ଧାର କାମ ଆରମ୍ଭ ବି କରିନାହାନ୍ତି। ବିଦ୍ୟୁତ୍‌ ବିଭାଗର ଏପରି ମନମୁଖୀ ପ୍ରତିବାଦରେ ଚନ୍ଦ୍ର‌ଶେଖରପୁର ଅଞ୍ଚଳର ଏଫଆର୍‌, ଶୈଳଶ୍ରୀ ବିହାର, ନୀଳାଦ୍ରି ବିହାର ଓ ଜିଏ ବାସିନ୍ଦା ଆଜି ଶୈଳଶ୍ରୀ ବିହାର ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସେମାନଙ୍କ ଅଭିଯୋଗ ହେଲା, ଆଖପାଖ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଅଞ୍ଚଳର ଖୁଣ୍ଟ ସିଧା କରିବା ପାଇଁ ଏଯାବତ୍‌ କେହି କର୍ମଚାରୀ ଯାଇନାହାନ୍ତି। ତାଙ୍କ ଅଞ୍ଚଳକୁ ବିଦ୍ୟୁତ୍‌ କେବେ ଆସିବ, ସେ ନେଇ କୌଣସି ସଠିକ୍‌ ତଥ୍ୟ ମଧ୍ୟ ଯନ୍ତ୍ରୀ ଦେଉନାହାନ୍ତି। ତେବେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ବିଦ୍ୟୁତ କର୍ମଚାରୀଙ୍କୁ ପିଟିଲେ

ବିଦ୍ୟୁତ ସେବା ପାଇଁ ଜଳୁଛି ସାରା ସହର। ଲୋକେ ଯେତିକି କଷ୍ଟ ପାଉଛନ୍ତି ସେତିକି ତାତୁଛନ୍ତି। ଯଥେଷ୍ଟ ସୁବିଧା ଥାଇ ମଧ୍ୟ ଆଶାନୁରୂପ ପୁନରୁଦ୍ଧାର କାମ ହୋଇ ପାରୁନି। ଏପଟେ ସାଧାରଣ ଲୋକ ସଂଯୋଗ ପାଉ ନଥିବା ବେଳେ ବିଦ୍ୟୁତ କର୍ମଚାରୀ ରହୁଥିବା କଲୋନିରେ ଦୁଇଦିନ ହେବ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଫଳରେ ଲୋକଙ୍କ ଆକ୍ରୋଶ ସୀମା ଲଂଘିଛି। ବିଭିନ୍ନ ଜାଗାରେ ଉତ୍ତେଜନା ପ୍ରକାଶ ପାଉଛି। ଆଜି ସନ୍ଧ୍ୟାରେ ଫରେଷ୍ଟ ପାର୍କରେ ଜଣେ ସେସୁ ଅଧିକାରୀଙ୍କ ସମେତ ତିନିଜଣ କର୍ମଚାରୀଙ୍କୁ ମାଡ଼ ମରାଯାଇଛି। ବିଦ୍ୟୁତ ପୁନରୁଦ୍ଧାର କାମ ଚାଲିଥିବା ବେଳେ ଗୋଟିଏ ପାର୍ଶ୍ବ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ଗୋଟିଏ ପାର୍ଶ୍ବ‌ରେ ଭିଆଇପି ରହିଥିବା ବେଳେ ଅନ୍ୟ ପାର୍ଶ୍ବରେ ସାଧାରଣ ଲୋକ ରହିଥିଲେ। ପ୍ରଥମେ ଭିଆଇପିଙ୍କୁ ସଂଯୋଗ ଦେଇ କର୍ମଚାରୀମାନେ ଫେରି ପଳାଉଥିଲେ। ହେଲେ ସେଠାରେ ଅନେକ ସମୟ ଧରି ଜଗି ରହିଥିବା ସାଧାରଣ ଲୋକ କର୍ମଚାରୀଙ୍କ ଏଭଳି ମାନସିକତା ଦେଖି ହୋ ହଲ୍ଲା କରିଥିଲେ। ପରେ କର୍ମଚାରୀମାନେ ଆସି ଅନ୍ୟ ପାର୍ଶ୍ବକୁ ସଂଯୋଗ ଦେଇଥିଲେ। କିନ୍ତୁ ଦୁଇଟି ଖୁଣ୍ଟରେ ଇନ୍‌ସ୍ୟୁଲେଟର ଫାଟି ଯିବାରୁ ବିଦ୍ୟୁତ ସଂଯୋଗ ପହଞ୍ଚିପାରି ନଥିଲା। ସନ୍ଧ୍ୟା ହୋଇଯାଇଥିବାରୁ କର୍ମଚାରୀମାନେ କାମ ଅଧାରୁ ଛାଡ଼ି ପୁଣି ଥରେ ଚାଲି ଯାଉଥିଲେ। ଆସନ୍ତାକାଲି କରାଯିବ ବୋଲି କହି ଚାଲିଯିବା ବେଳେ ଲୋକମାନେ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଶ୍ରମିକମାନଙ୍କ ସହ କର୍ମଚାରୀମାନେ ଗାଡ଼ି ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ପରେ ପୁଲିସ ପହଞ୍ଚି ଗାଡ଼ି ଉଦ୍ଧାର କରିଥିଲା। ବଡ଼ଗଡ଼ରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଛି। ଏଭଳି ସ୍ଥିତିକୁ ନେଇ ପୁଲିସ ମଧ୍ୟ ଚିନ୍ତାରେ ପଡ଼ିଛି। ପୁଲିସ ପ୍ରଶାସନକୁ ସହଯୋଗ ଯୋଗାଇ ଦେବାପାଇଁ ପ୍ରସ୍ତୁତ ଥିଲେ ମଧ୍ୟ କାମ ହେଉଥିବା ସମସ୍ତ ଜାଗାରେ ପୁଲିସ ଫୋର୍ସ ଯୋଗାଇବା ସମ୍ଭବ ହେବ ନାହିଁ। ବିଦ୍ୟୁତ ସଂଯୋଗରେ ପାତରଅନ୍ତର ହେଉବାରୁ ଏଭଳି ଘଟଣା ଘଟୁଛି ବୋଲି ଆଲୋଚନା ହେଉଛି। ସେଥିପାଇଁ ବିଭିନ୍ନ ଡିଭିଜନ୍‌ ଦାୟିତ୍ବରେ ଥିବା ଆଇଏଏସ୍‌ ଅଫିସରମାନେ ଆଜି ଘନଘନ ବୈଠକ କରିଛନ୍ତି। ଏଣେ ବିଦ୍ୟୁତ ସଂଯୋଗରେ ବିଳମ୍ବ ହେଉଥିବାରୁ ଉପଭୋକ୍ତାଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର