ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ କାଜ ନିକଟରେ ପ୍ରସ୍ତାବିତ ସେତୁ ନିର୍ମାଣ ଯୋଜନା ସରକାରୀ ଫାଇଲ ତଳେ ଚାପି ହୋଇରହିଛି। ସମୟ ଅନ୍ତରାଳରେ ବଇଁଚୁଆ ଓ ଭିଙ୍ଗାରପୁର ପଞ୍ଚାୟତବାସୀଙ୍କ ତରଫରୁ ବାରମ୍ବାର ଦାବି, ଅଭିଯୋଗ ତଥା ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲେ ହେଁ ଏ ସଂପର୍କିତ ଫାଇଲ ଆଗେଇ ପାରୁନାହିଁ। ଫଳରେ ଭରା ପାଣିରେ ଲୋକେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। କିଛି ଦିନ ତଳେ କୁଶଭଦ୍ରା ନଦୀରେ ବନ୍ୟାଜଳ ଆସିଥିବା ସମୟରେ ଏ ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାୟ ସବୁ ବର୍ଷ ବର୍ଷା ଋତୁରେ ଏହି ନଦୀବନ୍ଧ ରାସ୍ତା ବିଚ୍ଛିନ୍ନ ହୋଇପଡ଼େ। କିନ୍ତୁ ଲୋକେ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ୫ କିଲୋମିଟର ରାସ୍ତା ବୁଲି ଭୁବନେଶ୍ୱର/ବାଲିଅନ୍ତା ଯିବା ଅପେକ୍ଷା ନିତିଦିନିଆ ଏହି ବିପଦପୂର୍ଣ୍ଣ ସର୍ଟକଟ୍ରେ ଯିବାକୁ ଶ୍ରେୟ ମଣିଥାନ୍ତି। ଏପରିକି ଦୁଇଚକିଆ ଗାଡ଼ିମଟର ମଧ୍ୟ ଏହି କାଜରେ ଗଡ଼ାଇ ଗଡ଼ାଇ ନେଇଥାନ୍ତି।
ବଇଁଚୁଆ, ଭିଙ୍ଗାରପୁର, ବେଣ୍ଟପୁର, ସତ୍ୟଭାମାପୁର, ବେଣୁପୁର, ସରକଣା, ପୂରଣପଧାନ ଏବଂ କାକରୁଦ୍ରପୁର ପଞ୍ଚାୟତର ପାଖାପାଖି ୫୦ହଜାର ଜନସାଧାରଣ ଏହି ରାସ୍ତାରେ ଯାତାୟାତ କରିଥାନ୍ତି। ୨୦୧୧ ମସିହାରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଞ୍ଚଳବାସୀଙ୍କ ଏହି ଅସୁବିଧାକୁ ହୃଦୟଙ୍ଗମ କରି କୁଶଭଦ୍ରା–ଧନୁଆ ସଂଯୋଗସ୍ଥଳ ବଇଁଚୁଆ କାଜ ନିକଟରେ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବାଲିପାଟଣା କେନାଲ ସବ୍ ଡିଭିଜନର ଉଚ୍ଚପଦସ୍ଥ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ସେତେବେଳେ ବେଶ୍ ତତ୍ପରତା ଦେଖାଇଥିଲେ। କିନ୍ତୁ ଏହା ମଧ୍ୟରେ ଦୀର୍ଘ ୮ବର୍ଷ ବିତିଗଲାଣି, ପୋଲ ନିର୍ମାଣ ପାଇଁ ଇଟା ଖଣ୍ଡେ ପଡ଼ିବା ତ ଦୂରର କଥା, ସରକାରୀସ୍ତରରେ ଅନୁମୋଦନ ମଧ୍ୟ ମିଳି ନାହିଁ। କେବେ ପୋଲ ନିର୍ମାଣ ହେବ, ତା’ର ବି ଠିକଠିକଣା ନାହିଁ। ବିଭିନ୍ନ ସମୟରେ ସ୍ଥାନୀୟ ଲୋକ ଦାୟିତ୍ବରେ ଥିବା ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ବିଭାଗୀୟ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ଆସିୁଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
୨୦୧୮ ମସିହା ଡିସେମ୍ବର ୨ରେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ତତ୍କାଳୀନ ଅର୍ଥମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶଶିଭୂଷଣ ବେହେରାଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅନୁମୋଦନକ୍ରମେ ତାଙ୍କ ଦପ୍ତର ପକ୍ଷରୁ ଡିଓ ନଂ. ୪୦୯ (ଆର) ତା୮/୧୨/୨୦୧୮ ରିଖରେ ଚିଫ ଇଞ୍ଜିନିୟର, ବେସିନ ମ୍ୟାନେଜର, ଲୋୟର ମହାନଦୀ ବେସିନ ଭୁବନେଶ୍ବରଙ୍କୁ ଏହି ପୋଲ ଓ ତତ୍ସଂଲଗ୍ନ ରାସ୍ତାର ନବୀକରଣ ପାଇଁ ଜଣାଇ ଦିଆଯାଇଥିଲା। ଚିଠିର ନକଲ ମୁଖ୍ୟଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ରୁରାଲ ୱାର୍କ୍ସ ସେଣ୍ଟ୍ରାଲ ସର୍କଲ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିଲା। ଏହା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲର ସ୍କେଚ୍ମ୍ୟାପ ପ୍ରସ୍ତୁତ କରାଯାଇ ଅନୁମୋଦନ ପାଇଁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟକୁ ପଠାଯାଇଥିଲା। ହେଲେ ଇତିମଧ୍ୟରେ ୮ ମାସ ବିତି ଯାଇଥିଲେ ମଧ୍ୟ ଏହି ପ୍ରସ୍ତାବିତ ଫାଇଲ ବିଭାଗୀୟ କର୍ତୃପକ୍ଷଙ୍କ ଦପ୍ତରରେ ନାଲିଫିତା ତଳେ ଚାପି ହୋଇ ରହିଯାଇଛି। ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଅନୁମୋଦନ ମିଳିବାରେ ଅହେତୁକ ବିଳମ୍ବ ହେଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିର କାର୍ଯ୍ୟକାରିତା ତଥା ଏ ଅଞ୍ଚଳର ଲୋକଙ୍କ ପୋଲ ନିର୍ମାଣ ସ୍ବପ୍ନକୁ ସାକାର କରିବା ଦିଗରେ ସରକାରୀ କଳ ତୁରନ୍ତ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଲୋକେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ଦାୟିତ୍ବରେ ଥିବା ସହକାରୀ ଯନ୍ତ୍ରୀ ସହଦେବ ସାହୁ କୁହନ୍ତି, ୨୦୧୮/୧୯ ଆର୍ଥିକ ବର୍ଷରେ ଉଭୟ ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର ୪ଟି ପ୍ରକଳ୍ପ ସମ୍ପର୍କିତ ଚିଠା ପ୍ରସ୍ତାବ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୫କିମି ବିଶିଷ୍ଟ ବାଲିଅନ୍ତା-ଜଗନ୍ନାଥପୁର ରାସ୍ତା ନିର୍ମାଣ ପାଇଁ ୪ କୋଟି ଟଙ୍କାର ଟେଣ୍ଡର ସରିଥିବା ବେଳେ ଏବେ ଠିକାଦାରଙ୍କ ସହ ଚୁକ୍ତିପତ୍ର ପର୍ଯ୍ୟାୟରେ ରହିଛି। ହେଲେ ବଇଁଚୁଆ କାଜ ପୋଲ ନେଇ ଏଯାଏ ଅନୁମୋଦନ ମିଳିନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ପୋଲ ନିର୍ମାଣ ହେଲେ ବଇଁଚୁଆ, ଭିଙ୍ଗାରପୁର ସମେତ ଆଖପାଖ ପଞ୍ଚାୟତକୁ ୧୦୮ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ଭଳି ଜରୁରୀକାଳୀନ ସେବା ଶୀଘ୍ର ପହଞ୍ଚି ପାରିବ। ସେହିପରି ଲୋକଙ୍କୁ ବାଲିଅନ୍ତା କିମ୍ବା ଭୁବନେଶ୍ୱର ଯିବାକୁ ହେଲେ ୫ କିଲୋମିଟର ରାସ୍ତା ଅଧିକ ବୁଲି ବୁଲି ଯିବାକୁ ପଡ଼ିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/baliatna-bridge-f.jpg)