ସେତୁ ନିର୍ମାଣ ନହେଲେ ଭୋଟ୍‌ ବର୍ଜନ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ କୁଶଭଦ୍ରା ନଦୀ ଏବଂ ଧନୁଆ ନଦୀ ସଂଯୋଗ ସ୍ଥାନ ବଇଁଚୁଆ କାଜ ନିକଟରେ ସେତୁ ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି। ଭୁବନପୁରଠାରୁ ଭିଙ୍ଗାରପୁର ଶାସନ ବନ୍ଧ ରାସ୍ତା, ବଇଁଚୁଆ କାଜ ଠାରୁ ଭିଙ୍ଗାରପୁର ଶାସନ ପର୍ଯ୍ୟନ୍ତ ନିମାପଡ଼ା ଶାଖା କେନାଲର ଡାହାଣ ପାର୍ଶ୍ବ ବନ୍ଧ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଦାବି ରହିଛି। ବର୍ଷ ପରେ ବର୍ଷ ବିତିବା ସହ ନିର୍ବାଚନ ପରେ ନିର୍ବାଚନ ଯାଉଛି। ଜନ ପ୍ରତିନିଧି କେବଳ ପ୍ରତିଶ୍ରୁତି ଦେଇ ୫ ବର୍ଷ ଫେରାର୍‌ ହୋଇ ଯାଉଛନ୍ତି। ଏଣୁ ଅଞ୍ଚଳବାସୀ ଏଥର କଡ଼ା ନିଷ୍ପତ୍ତି ନେଇଛନ୍ତି। ଏହି ଦାବି ପୂରଣ ନ ହେଲେ ଭୋଟ୍‌ ବର୍ଜନ କରାଯିବ ବୋଲି ଘୋଷଣା କରିଛନ୍ତି। ନେତାମାନେ ଗାଁ ଗହଳିରେ ପଶିପାରିବେ ନାହିଁ ବୋଲି ମଧ୍ୟ ଆହ୍ବାନ ଦିଆଯାଇଛି। ଆଗାମୀ ଦିନରେ ଏଥିପାଇଁ ଜନସଚେତନତା ସୃଷ୍ଟି କରାଯିବା ସହ ନେତାଙ୍କୁ ବିାରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ଗ୍ରାମସଭାରେ ସେମାନେ ଏହି ଭୋଟ ବର୍ଜନ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ବଇଁଚୁଆ କାଜ ସଂଲଗ୍ନ ସେତୁ ଏବଂ ୬ କିମି ବିଶିଷ୍ଟ ଉପରୋକ୍ତ ରାସ୍ତା ନବୀକରଣ ସଂପର୍କରେ ଅଞ୍ଚଳବାସୀ ଭୁବନେଶ୍ବର ଲୋୟର ମହାନଦୀ ଡିଭିଜନ, ବେସିନ ମ୍ୟାନେଜର ଏବଂ ଗ୍ରାମ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମଧ୍ୟ ଏ ସଂପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ସରକାରଙ୍କୁ ସୁପାରିସ କରିଛନ୍ତି। ଇତି ମଧ୍ୟରେ ଅନେକ ଦିନ ବିତିଯାଇଥିଲେ ମଧ୍ୟ ‌ସୁଫଳ ମିଳିନି। ବଇଁଚୁଆ ପଞ୍ଚାୟତ ସମେତ ଆଖପାଖ ୬ଟି ପଞ୍ଚାୟତର ବାସିନ୍ଦା ଏହି ସେତୁ ଓ ରାସ୍ତା ଉପରେ ଯାତାୟାତ ପାଇଁ ନିର୍ଭର କରିଥାନ୍ତି। ବର୍ଷାଋତୁରେ ଏହି ରାସ୍ତାରେ ଅଚଳାବସ୍ଥା ସୃଷ୍ଟି ହେଉଥିବାରୁ ଲୋକମାନେ ୧୦କିମି ଅଧିକ ବାଟ ବୁଲି ଟଙ୍କପାଣି ବ୍ରିଜ ଓ ଭୁବନପୁର ମହାତ୍ମା ସେତୁ ଦେଇ ଭୁବନେଶ୍ବର ତଥା ଅନ୍ୟ ସ୍ଥାନକୁ ଯାଇଥାନ୍ତି। ନିର୍ବାଚନ ଆସୁଥିବାରୁ ଏହି ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ ଭାବରେ ନେଇ ନେତାଙ୍କୁ ବିରୋଧ କରିବେ ବୋଲି ଲୋକେ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର