ଦୂରତା ମାନୁନାହାନ୍ତି ଆମିଷ ଲୋଭୀ

ଭୁବନେଶ୍ବର : ସାମାଜିକ ଦୂରତା ବଜାୟ ରଖିବା ପାଇଁ ବାରମ୍ବାର ସଚେତନ କରାଯାଉଛି। ୨୧ ଦିନ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ରାଣ ପକାଉଛନ୍ତି। ପ୍ରଧାନମନ୍ତ୍ରୀ ହାତ ଯୋଡ଼ି ନିବେଦନ କରୁଛନ୍ତି। ହେଲେ ବୁଧବାର କି ରବିବାର ହେଲେ ଆମିଷ ରଙ୍କୁଣା ସବୁ ଫୁ କରି ଉଡ଼େଇ ଦେଉଛନ୍ତି। ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ପାଇଁ ଗୋଟେ ମିଟର ବ୍ୟବଧାନରେ ଚିହ୍ନ ସୂଚିତ କରାଗଲାଣି। ମାତ୍ର ଆମିଷ ହାଟରେ ଏହା କାର୍ଯ୍ୟକାରୀ ନକରିବାକୁ ଯେମିତି ଆମିଷ ଲୋଭୀମାନେ ରାଣ ଖାଇଛନ୍ତି।

ଜୟଦେବ ବିହାର ମାଛ ମାର୍କେଟରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପଳାଶୁଣି ସମେତ ଆହୁରି ଅନେକ ଆମିଷ ମାର୍କେଟ ବନ୍ଦ ଥିବାରୁ ଏଠାରେ ସାଧାରଣ ଦିନର ବୁଧବାର ଅପେକ୍ଷା ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। ଏଠାରେ ଦୂରତା ବଜାୟ ରଖିବା ପାଇଁ ତାଗିଦ କରିବା ପାଇଁ ବି ‌କାହାକୁ ଦେଖିବାକୁ ମିଳିନଥିଲା। ଖାଦ୍ୟ ପେୟରେ କୌଣସି ବାରଣ ନଥିଲେ ହେଁ ମଣିଷ ଆମିଷ ପାଇଁ ସବୁ ଧୈର୍ଯ୍ୟକୁ ଜଳାଞ୍ଜଳି ଦେଇ ଆମିଷ ହାଟରେ ପ୍ରବଳ ଭିଡ଼ ଜମାଉଛନ୍ତି। ଇଟାଲି କରୋନାକୁ ହାଲୁକା ଭାବେ ନେଇ ଏବେ ଅତ୍ୟନ୍ତ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଥିବା କାହାକୁ ଅଛପା ନାହିଁ। ମାତ୍ର ଏସବୁ ଜାଣିବା ପରେ ମଧ୍ୟ ଅନେକ ଚେତୁ ନାହାନ୍ତି।

୪ ନମ୍ବର ମାଛ, ଚିକେନ ଓ ମଟନ ମାର୍କେଟରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଏଠାରେ ଭିଡ଼ ଏଡ଼ାଇବା ପାଇଁ ମଧ୍ୟ ପୁଲିସ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇନଥିଲା। ଯେଉଁଠି ବି ପୁଲିସ ବନ୍ଧୁମାନେ ଗ୍ରାହକଙ୍କୁ ଏନେଇ ତାଗିଦ କରୁଥିଲେ ସେଠାରେ ଏସବୁକୁ ମୁରୁକା ହସରେ ଉଡ଼ାଇ ଦିଆଯାଉଥିଲା। ବହୁ ବ୍ୟବସାୟୀ ମାଛ, ପରିବା ବିକ୍ରି ବେଳେ ଗୋଟେ ମିଟର ଦୂରରେ ଛିଡ଼ା ହେବା ପାଇଁ ସୂତା, କିମ୍ବା ଚିହ୍ନ ଆଙ୍କି ଦେଇଥିଲେ ହେଁ ଆମିଷ ମାର୍କେଟରେ ଏସବୁର ଚିହ୍ନବର୍ଣ୍ଣ ନଥିଲା। ନୀଳାଦ୍ରିବିହାର ହାଟରେ ବି ଆଜି ଶହ ଶହ ଲୋକଙ୍କ ସମାଗମ ହୋଇଥିଲା। ଭିଡ଼ ଦେଖି ସ୍ଥାନୀୟ ଲୋକେ ଚନ୍ଦ୍ରଶେଖପୁର ପୁଲିସକୁ ସୂଚନା ଦେଇଥିଲେ। ପିସିଆର୍ ହାଟରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। ଲୋକଙ୍କୁ ହାଟ ବାହାରେ ଅପେକ୍ଷା କରିବାପାଇଁ ପରାମର୍ଶ ଦେଇଥିଲା।

ତେବେ ଆମିଷ ହାଟରେ ଏତେ ଭିଡ଼ ଥିଲା ଯେ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇଯାଇଥିଲା। ପୁଲିସ୍ ତାଗିଦ୍ କରିବାପରେ ମଧ୍ୟ ସେଠାରୁ ଲୋକମାନେ ଯାଇନଥିଲେ। ତେଣୁ ବ୍ୟବସାୟୀମାନଙ୍କୁ ପୁଲିସ ତାଗିଦ୍ କରିଥିଲା। ଅନ୍ୟପକ୍ଷରେ ଆଜି ଭିଏସ୍ଏସ୍ ନଗର ଗଡ଼େଶ୍ବର ହାଟରେ ମଧ୍ୟ ସମାନ ଧରଣର ପରିସ୍ଥିତି ଦେଖିବାକୁ ମିଳିଥିଲା। ଶତାଧିକ ଲୋକ ହାଟକୁ ଗାଡ଼ି ନେଇ ଆସିଥିବାରୁ ହାଟର ମୁଖ୍ୟ ରାସ୍ତା ଭିଏସ୍ଏସ୍ ନଗର ରାସ୍ତା ଯାନବାହାନରେ ଜାମ ହୋଇଯାଇଥିଲା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପୁଲିସ୍‌କୁ ନାକେଦମ୍ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର