କରୋନା କଟକଣାକୁ ଆମେ କେତେ ମାନୁଛେ: ହାତ ଯୋଡ଼ି ନେହୁରା ହେଲେ ପୁଲିସ ବାବୁ, ଗୋଟିଏ ଗାଡ଼ିରେ ଯାଉଥିଲେ ୫ ଜଣ

ଟିକେ କୋହଳ ହେଲା ବୋଲି...

ଭୁବନେଶ୍ବର: କରୋନା ମୁକାବିଲାରେ ସହଯୋଗ କରିବା ଲାଗି ଶେଷରେ ହାତ ଯୋଡ଼ି ନେହୁରା ହୋଇଛନ୍ତି ପୁଲିସ ବାବୁ। ସାମାଜିକ ଦୂରତ୍ବ ରକ୍ଷା କରିବା ସହ ନିଜେ ସତର୍କ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି। ଆଜି ରାଜଧାନୀ ଭୁବନେଶ୍ବର ୧୨୦ ବାଟାଲିଅନ୍ ଛକରେ ଗୋଟିଏ କାର୍‌ରେ ୫ଜଣ ଯାଉଥିବା ବେଳେ ସେମାନଙ୍କୁ ପୁଲିସ ଅଧିକାରୀ ଓ କର୍ମଚାରୀ ଅଟକାଇ ଥିଲେ। ପୂର୍ବରୁ କଟକଣା ଉଲ୍ଲଂଘନ କଥା ଦେଖିଲେ, ଯେଉଁ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା, ସେ କିନ୍ତୁ ଏଠାରେ ତାହା କରି ନଥିଲା। ହାତଯୋଡ଼ି ନିୟମ ମାନିବାକୁ ନେହୁରା ହେଉଥିବା ଦେଖାଯାଇଥିଲା। ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୦ଟାରେ ଗୋଟିଏ ଆମ୍ବାସାଡାର୍‌ରେ ୫ ଜଣ ବସିଥିବା ଦେଖି ୧୨୦ ବାଟାଲିଅନ୍ ଛକରେ ଅଟକାଇଥିଲା ପୁଲିସ। ଡ୍ରାଇଭର ସହ ଆଗ ସିଟ୍‌ରେ ଜଣେ ବ୍ୟକ୍ତି ବସିଥିବା ବେଳେ ପଛ ସିଟରେ ୩ ଜଣ ମହିଳା ବସିଥିଲେ। ସାମାଜିକ ଦୂରତ୍ବ ରକ୍ଷା ପାଇଁ ଗୋଟିଏ କାରରେ ଡ୍ରାଇଭରଙ୍କ ସହ ପଛ ସିଟ୍‌ରେ ଦୁଇଜଣ ଦୂରତ୍ବ ରଖି ବସିବାର ଅନୁମତି ରହିଛି। କିନ୍ତୁ ୫ଜଣ ବସି ଥିବାରୁ ପୁଲିସ ଅଟାକାଇଥିଲା। ସେମାନେ ସରକାରୀ କର୍ମଚାରୀ ହୋଇଥିବା ବେଳେ ଅଫିସ ଯାଉଥିବା ଜଣାପଡ଼ିଥିଲା। ସେଠାରେ ଉପସ୍ଥିତ ଭୁବନେଶ୍ବର ସିକ୍ୟୁରିଟି ଡିସିପି ନିର୍ମଳ ଶତପଥୀ ଓ ଜଣେ ପୁଲିସ କର୍ମୀ ହାତଯୋଡ଼ି ସାମାଜିକ ଦୂରତ୍ବ ରକ୍ଷା କରିବା ଲାଗି ସେମାନଙ୍କୁ ଅନୁରୋଧ କରିଥିଲେ। ନିଜେ ସତର୍କ ରହିଲେ ସମସ୍ତେ ସୁରକ୍ଷିତ ରହିବେ ବୋଲି ପୁଲିସ ସେମାନଙ୍କୁ କହିଥିଲା। ଏକାଠି ଗୋଟିଏ ଗାଡ଼ିରେ ୫ଜଣ ଯାତ୍ରା ନ କରିବା ପାଇଁ ପରାମର୍ଶ ଦେଇଥିଲା। ପୁଲିସ ହାତ ଯୋଡ଼ିବା ଦେଖି ମହିଳାମାନେ ମଧ୍ୟ ପୁଲିସକୁ ପାଲଟା ହାତ ଯୋଡ଼ିଥିଲେ। ଆଗକୁ ଏଭଳି କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଭୁବନେଶ୍ବର: କରୋନାରେ ମୃତ୍ୟୁ ସହ ଲଢ଼ୁଥିବା ଲୋକଙ୍କ ଆସନ୍ନ ମୃତ୍ୟୁକୁ ଆକଳନ କରି ବ୍ରାଜିଲ୍‌ରେ ଆଗୁଆ କବର ଖୋଳା ଚାଲିଛି। ଚାଷଜମି କବରସ୍ତାନରେ ପରିଣତ ହେଲାଣି। ବେଲ୍‌ଜିୟମ୍‌ରେ କରୋନାରେ ମୃତ୍ୟୁ ହେଉଥିବା ଶବଗୁଡ଼ିକୁ କବର ଦେବାକୁ ଜାଗା ନାହିଁ ବୋଲି କଫିନ୍‌ ସହିତ ମୃତ ଶରୀରକୁ ଜଳାଇ ଦିଆଯାଉଛି। ଇ‌କ୍ବେଡର୍‌ରେ କରୋନାରେ ପ୍ରାଣ ହରାଇଥିବା ଲୋକର ଶବ ରାସ୍ତାରେ ପଡ଼ିଥିଲେ ମଧ୍ୟ କେହି ଉଠାଇବାକୁ ଆସୁନାହାନ୍ତି। ତଥାପି ଆମ ରାଜ୍ୟର ଅନେକ ଅମାନିଆ ବ୍ୟକ୍ତିବିଶେଷ କରୋନାର ଭୟାବହତାକୁ ବୁଝିବା ପରିବର୍ତ୍ତେ ବାହାରେ ପଇଁତରା ମାରୁଛନ୍ତି। ପ୍ରଶାସନ ସହ ଲୁଚକାଳି ଖେଳିବାକୁ ଖଣ୍ଡେ ବ୍ୟାଗ୍‌ ଧରି ପରିବା ନେବା ଆଳରେ ବାହାରେ ଘୂରି ବୁଲୁଛନ୍ତି। ଫ୍ରେସ୍‌ ଖାଇବାର ମୋହ ଏବେ ବି ଲୋକଙ୍କ ମନରୁ ଯାଉନାହିଁ। ସକାଳୁ ଉଠିଲେ ଫ୍ରେସ୍‌ ପରିବା, ମାଛ, ମାଂସ, ଅଣ୍ଡା କିଣିବାକୁ ଲାଇନ୍‌ ଲଗାଉଛନ୍ତି। ଅସ୍ଥାୟୀ ବଜାର ହାଟର ଚିତ୍ର ବୟାନ କରୁଛି, ଯେମିତି ଲୋକେ ଘରେ ଛୁଟି କାଟୁଛନ୍ତି। ତେଣୁ ଭଲ ମନ୍ଦ ନ ଖାଇଲେ ବୋଧେ ଦିନ ଭଲରେ ଯିବ ନାହିଁ ବୋଲି ଧରି ନେଇଛନ୍ତି। କିଛି ଦିନ ଆଶ୍ବସ୍ତି ମିଳିବା ପରେ ରାଜ୍ୟରେ ଏବେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇ ଚାଲିଛି। ଏପରି ଚାଲୁ ରହିଲେ, ଆମ ଦେଶରେ ଯେ ବ୍ରାଜିଲ୍‌ କିମ୍ବା ଇକ୍ବେଡର୍‌ ଭଳି ସ୍ଥିତି ସୃଷ୍ଟି ନହେବ, ତାହା ସମୟ କହିବ। ଲକଡାଉନ୍‌କୁ ହେୟଜ୍ଞାନ କରି ବାହାରେ ଘୂରି ବୁଲୁଥିବା ଲୋକମାନେ ବ୍ରାଜିଲ୍ ଓ ବେଲ୍‌ଜିୟମର ସାଂପ୍ରତିକ ଚିତ୍ରକୁ ଟିକେ ଆଖି ପୂରେଇ ଦେଖିନେବା ଉଚିତ। କରୋନା ଯେ କୌଣସି ମୁହୂର୍ତରେ ବାହାରେ ବୁଲୁଥିବା ମଣିଷ ସହ ତାଙ୍କ ପରିବାର କିମ୍ବା କମ୍ୟୁନିଟିକୁ ଯାଇପାରେ ସେ ସମ୍ପର୍କରେ ବାରମ୍ବାର କୁହାଯାଉଛି। ତଥାପି ଲୋକେ ବେଫିକର। ଜାଗମରା ହେଉ ଅବା ରୁଚିକା ମାର୍କେଟ୍‌ରେ ବସୁଥିବା ପରିବା ବଜାର ଦେଖି ଏମିତି ମନେ ହେଉଥିଲା ଯେମିତି ସାପ୍ତାହିକ ହାଟ ବସିଛି। ମାତ୍ର କିଛି ଦିନ ଦୋକାନ ଆଗରେ ଗୋଲେଇ ପଡ଼ୁଥିଲେ ହେଁ ଆଉ କୋଉଠି ଗୋଲେଇଟିଏ ଦେଖିବାକୁ ମିଳୁନାହିଁ। ୧ ମିଟର ତ ଦୂରେ ଥାଉ, ସେମିତି ଆଗ ଭଳି ପରିବା କିଣାବିକା ଚାଲିଛି।

ଏନେଇ ଭେଷଜ ବିଶେଷଜ୍ଞ ଡାକ୍ତର ଇନ୍ଦ୍ରମଣି ଜେନା କହିଛନ୍ତି, ବାହାରକୁ ଯାଉଥିଲେ ଶାରୀରିକ ଦୂରତା ବଜାୟ ରଖିବା ହିଁ କରୋନା ସଂକ୍ରମଣରୁ ବର୍ତିବାର ଏକମାତ୍ର ବିକଳ୍ପ। ଯେଉଁମାନେ ଏହି ନିୟମ ପାଳନ କରୁନାହାନ୍ତି, ତା’ର ଅର୍ଥ ସେମାନେ ସ୍ବୟଂ ଆତ୍ମହତ୍ୟାକୁ ଆଦରି ନେଉଛନ୍ତି। ବାସ୍ତବରେ ଯେବେ ‌ଓଡ଼ିଶାରେ କୌଣସି କରୋନା ପଜିଟିଭ୍‌ ମାମଲା ବାହାରି ନଥିଲା, ଲୋକେ କହୁଥିଲେ ଓଡ଼ିଶାକୁ କରୋନା ଏତେ ଆକ୍ରାନ୍ତ କରିବ ନାହିଁ। ମାତ୍ର ଗତ ତିନି ଦିନରେ ଯେଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁନଃ ବୃଦ୍ଧି ପାଇବାରେ ଲାଗିଛି, ଲୋକଙ୍କ ପାଇଁ ସତର୍କଘଣ୍ଟି ସଦୃଶ ହୋଇଛି। ନିର୍ମାଣ ଶ୍ରମିକ, କୃଷକ ଏବଂ କିଛି ନିର୍ମାଣ କାମର ଦୋକାନଗୁଡ଼ିକୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ବାହାରକୁ ଯାଇ ନିତ୍ୟ ଆବଶ୍ୟକ ଜିନିଷ କିଣିବା ପାଇଁ ବି ସରକାର ଅନୁମତି ଦେଇଛନ୍ତି। ମାତ୍ର ଏହାର ଫାଇଦା ନେଇ ଅନେକ ନିତ୍ୟାବଶ୍ୟକ ଜିନିଷ କିଣିବାକୁ ପ୍ରତିଦିନ ସକାଳୁ ବ୍ୟାଗ୍‌ ଧରି ବାହାରି ଆସୁଛନ୍ତି। ଏହି ବିଲକ୍ଷଣ ଭବିଷ୍ୟତରେ ଭାରୀ ପଡ଼ିପା‌ରେ। କିଛି ଦିନ ଲୋକେ କଟକଣା ମାନି ଘର ମଧ୍ୟରେ ଆବଦ୍ଧ ରହୁଥିଲେ। ମାତ୍ର ଏବେ ଅନେକ ପୁଣି ନିଜ ଘର ନିକଟ ରସ୍ତାଘାଟରେ ବୁଲାବୁଲି ଆରମ୍ଭ କରିଦେଇଛନ୍ତି। ତେଣୁ ଛକ ଜାଗାମାନଙ୍କରେ ସିନା ପୁଲିସ୍‌ କର୍ମୀମାନେ ଜଗୁଛନ୍ତି, ମାତ୍ର ଲୋକେ ନିଜ ଘରୁ ବିଭିନ୍ନ ଆଳ ଦେଖାଇ ବାହାରେ ବୁଲାବୁଲି କରୁଛନ୍ତି। କେତେଜଣ ନା ମାସ୍କ ପିନ୍ଧୁଛନ୍ତି, ନା ସାମାଜିକ ଦୂରତା ମାନୁଛନ୍ତି। ବରଂ କେହି ଯଦି ଏକଥା ଉଠାଉଛି, ତା’ କଥାକୁ ହସି ଉଡ଼ାଇ ଦିଆଯାଉଛି। କୁହାଯାଉଛି, କରୋନା ଏଠି ନାହିଁ ବରଂ ବମିଖାଲ, ଝାରପଡ଼ା ଓ ସୂର୍ଯ୍ୟନଗରରେ ଅଛି। କିଛି ଲୋକଙ୍କ ଏଭଳି ଆଚରଣ ମଧ୍ୟ ଦେଖିବାକୁ ମିଳିଛି।

କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇ କିଛି ଦିନ ପରେ ଘରକୁ ଫେରି ଆସୁଥିବାରୁ ଅନେକ ଯେମିତି ଭାବି ନେଇଛନ୍ତି ଏହା ଚିକିତ୍ସାସାଧ୍ୟ। ହେଲେ ଏଥିପାଇଁ ଯେ କେତେ ଯତ୍ନ, ସ୍ବାସ୍ଥ୍ୟକର୍ମୀ ଓ ସମୟ ବ୍ୟୟ ହେଉଛି, ତାହାକୁ ଗୁରୁତ୍ବର ସହ ଚିନ୍ତା କରାଯିବା ଉଚିତ ବୋଲି ଡାକ୍ତର ଜେନା କହିଛନ୍ତି। ତେଣୁ ନିହାତି ଆବଶ୍ୟକ ଥିଲେ, କେବଳ ଘରକୁ ବାହାରିବା ନା ଦୀର୍ଘଦିନ ଡାକ୍ତରଖାନାରେ ଭେଣ୍ଟିଲେଟର୍‌ରେ ବିତାଇବା; ତାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନିର୍ଭର କରେ। ସାମାଜିକ ଦୂରତା ବଜାୟ ରଖିବା ନା କରୋନାକୁ ଘରକୁ ନେଇ ପରିବାର ଓ କମ୍ୟୁନିଟି ସହ ବାଣ୍ଟି ନିଜ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରିବା, ଏହା ବି ପ୍ରତ୍ୟେକ ବ୍ୟକ୍ତିଙ୍କ ମାନସିକତା ଉପରେ ନିର୍ଭର କରେ। ଯେଉଁମାନେ ଲକଡାଉନ୍‌ କୋହଳର ଫାଇଦା ନେଇ ବାହାରେ ଫୂର୍ତି ହେବାକୁ ପାଦ କାଢ଼ୁଛନ୍ତି, ସେମାନେ ଘରୁ ଗୋଡ଼ କାଢ଼ିବା ଆଗରୁ ଏ ସମ୍ପର୍କରେ ଥରେ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର