ଭୁବନେଶ୍ୱର: କମିସନରେଟ ପୁଲିସର ନିଷ୍କ୍ରିୟତାର ଫାଇଦା ନେଇ ଜନସାଧାରଣ ମାନୁନାହାନ୍ତି କରୋନା କଟକଣା। କରୋନା ପାଇଁ ସପ୍ତାହାନ୍ତ ସଟଡାଉନ୍‌ ଓ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଲୋକେ କଟକଣାକୁ ମାନୁନଥିବା ଦେଖିବାକୁ ମିଳୁଛି। ବିଶେଷକରି ସନ୍ଧ୍ୟା ସମୟରେ ଗହଳି ଜମୁଛି। ସରକାର ବାରମ୍ବାର ଜନସାଧରଣଙ୍କୁ ସଚେତନ କରିବା ସହ କରୋନା ସଂକ୍ରମଣ କମାଇବାକୁ ଲକ‌୍‌ଡାଉନ୍‌ ଅବଧି ବଢ଼ାଇଥିଲେ ମଧ୍ୟ ଲୋକମାନେ ସଚେତନ ହେଉନାହାନ୍ତି।

Advertisment

ବଡ଼ଗଡ଼ ଥାନା, ଶ୍ରୀଲିଙ୍ଗରାଜ ଥାନା ଓ ଏୟାରଫିଲ୍ଡ ଥାନା ଅଧୀନରେ ଥିବା ବସ୍ତି ଓ ସାହିମାନଙ୍କରେ ଲୋକମାନେ ସନ୍ଧ୍ୟା ନ ହେଉଣୁ ସାହି ଛକ ଜାଗାମାନଙ୍କରେ ଗହଳି କରୁଛନ୍ତି। ଲୋକମାନେ ବାହାରେ ଏକାଠି ହୋଇ ଖଟି କରିବା ସହ ତାସ ଖେଳୁଛନ୍ତି। ଏହାର ସୁଯୋଗ ନେଇ ସାହି ମଧ୍ୟରେ ଥିବା ଛୋଟ ଦୋକାନଗୁଡ଼ିକ ମଧ୍ୟ ଅଧା ସଟର୍‌ ଖୋଲି ବ୍ୟବସାୟ କରୁଛନ୍ତି। ଏହାଛଡ଼ା ଏହି ଅଞ୍ଚଳରେ ଘରେ ଘରେ ଖୋଲିଲାଣି ଜଳଖିଆ ଦୋକାନ। ଦୋକାନମାନଙ୍କରେ ମଧ୍ୟ ଲୋକ ଗହଳି ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ପୁରୁଣା ଭୁବନେଶ୍ବରର ବାସିନ୍ଦା ମନମୋହନ ସାମଲ କହନ୍ତି, ଆଗରୁ ପୁଲିସ ଯେଉଁଭଳି ପାଟ୍ରୋଲିଂକୁ କଡ଼ାକଡ଼ି କରୁଥିଲା, ଏବେ ତାହା କମି ଯାଇଛି। ଏବେ ବେଳେ ବେଳେ ପୁଲିସ ପାଟ୍ରୋଲିଂ କରୁଛି। ଏହାର ସୁଯୋଗ ନେଉଛନ୍ତି ବସ୍ତିବାସିନ୍ଦା। ରାଜଧାନୀରେ କରୋନା ସଂକ୍ରମଣ ଧୀରେଧୀରେ କମୁଥିବା ବେଳେ ଲୋକମାନଙ୍କ ଏଭଳି କଟକଣା ନ ମାନିବା ଫଳରେ ପୁଣି ଥରେ ସଂକ୍ରମଣ ଉପରମୁହାଁ ହେବା ଆଶଙ୍କା ଦେଖାଦେଇଛି।