ଭୁବନେଶ୍ବର: ଘର ଭଡ଼ାରେ ଲଗାଇବା ପାଇଁ ଭଡ଼ାଟିଆ ଓ ଘରମାଲିକଙ୍କ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି। ହେଲେ ଘର ମାଲିକମାନେ ଏହାକୁ ଅନେକ ସ୍ଥାନରେ ମାନୁନାହାନ୍ତି। ଫଳରେ କିଏ କେଉଁଠି ଭଡ଼ା ରହିଲା ତା’ର ହିସାବ ପୁଲିସ ପାଖରେ ରହୁନାହିଁ। ଅପରାଧ ଘଟିବା ପରେ ପୁଲିସ ଭଡ଼ାଘର ଚଢ଼ଉ କରୁଛି। ତା ପରେ ଅବସ୍ଥା ଯଥା ପୂର୍ବଂ, ତଥା ପରଂ ହେଉଛି। ରାଜଧାନୀରେ କ୍ରମାଗତ ଭାବରେ ଅପରାଧ ବଢ଼ୁଥିବା ବେଳେ କିଛି ଅପରାଧୀ ଭଡ଼ାଘରେ ନିଶ୍ଚିନ୍ତରେ ରହୁଥିବା ଦେଖାଯାଇଛି। ଅଧିକାଂଶ ଘଟଣାରେ ଅପରାଧୀ ଭଡ଼ାଘରୁ ଗିରଫ ହୋଇଥିବା ଦେଖା ଯାଇଛି। ବଡ଼କଥା ହେଉଛି ଜବର ଦଖଲ ସରକାରୀ ଜାଗାରେ ହୋଇଥିବା ଘର ମଧ୍ୟ ଭଡ଼ାରେ ଲାଗିଛି। ଘରକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ହେଲେ ଭୁବନେଶ୍ବର ମହାନଗର ନିଗମ ନିର୍ଦ୍ଧାରିତ ହୋଲ୍ଡି˚ ଟାକ୍ସ ଧାର୍ଯ୍ୟ କରିବା କଥା। କିନ୍ତୁ କେଉଁ ଘର ଭଡ଼ାରେ ଲାଗିଛି ତାହାର ହିସାବ ବିଏମ୍ସି ପାଖରେ ମଧ୍ୟ ନାହିଁ। ଏଣୁ ବାର୍ଷିକ ଏ ବାବଦରେ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି। ନିକଟରେ କମିସନରେଟ ପୁଲିସ୍କୁ ବିଏମ୍ସି ଏହି ଭଡ଼ାଟିଆଙ୍କ ହିସାବ ମାଗିଥିଲେ ମଧ୍ୟ ପୁଲିସ୍ ଏହି ତଥ୍ୟ ପ୍ରଦାନ କରିନାହିଁ। ଏଣୁ ବିଏମ୍ସି ହାତବାନ୍ଧି ବସିଛି। ଫଳରେ ଅନେକ କ୍ଷେତ୍ରରେ ଭଡ଼ାଟିଆ ଅପରାଧ ଘଟାଇ ଫେରାର ହୋଇଯାଉଛନ୍ତି। ଦେଖାଯାଇଛି ଯେ ଅପରାଧୀମାନେ ବସ୍ତିରେ ଘର ଭଡ଼ା ନେଇ ରହୁଛନ୍ତି। ସେଠାରେ ବିଭିନ୍ନ ଅପରାଧର ବ୍ଲପ୍ରିଣ୍ଟ୍ ତିଆରି ହେଉଛି। ନିଶା ବ୍ୟବସାୟଠାରୁ ଆରମ୍ଭ କରି ଛିନ୍ତାଇ, ଚୋରି ଓ ଅନ୍ୟାନ୍ୟ ଛୋଟମୋଟ ଅପରାଧର ଅଭିଯୁକ୍ତ ୭୦ ପ୍ରତିଶତ ବସ୍ତି ଅଞ୍ଚଳର ବୋଲି ପୁଲିସ୍ କହିଛି। ଆଗାମୀ ଦିନରେ ଏହି ଭଡ଼ାଟିଆଙ୍କୁ କିଭଳି ନିୟନ୍ତ୍ରଣ କରିହେବ ସେଥିପାଇଁ ମଧ୍ୟ ଯୋଜନା ନାହିଁ। ଏହି ସମସ୍ୟା ଏବେ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଉଚ୍ଚଶିକ୍ଷା ଓ ଚାକିରି ଅନ୍ବେଷଣରେ ଆସୁଥିବା ଯୁବକ ଯୁବତୀଙ୍କ ସ˚ଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଥିବାରୁ ଭଡ଼ାଘର ଏକ ଭଲ ବ୍ୟବସାୟ ହୋଇଛି। ଭଡ଼ାଟିଆଙ୍କ ପାଇଁ ଥିବା ସର୍ବନିମ୍ନ ସୁବିଧା ନ ଯୋଗାଇ ଘରମାଲିକମାନେ ମୋଟା ଅଙ୍କର ଭଡ଼ା ନେଉଥିବା ଅଭିଯୋଗ ହେଉଛି। ଗୋଟିଏ ଘରେ ୫ଟି ଖଟିଆ ପକାଇ ୫ ଜଣଙ୍କୁ ରହିବାକୁ ବାଧ୍ୟ କରାଯାଉଛି। ଏପରିକି କିଛି ସରକାରୀ କ୍ବାର୍ଟର୍ସ ମଧ୍ୟ ଭଡ଼ାରେ ଲାଗିଛି। ସରକାରୀ ଚାକିରିଆ ନିଜ ଘରେ ରହୁଥିବା ବେଳେ କ୍ବାର୍ଟର୍ସକୁ ଭଡ଼ାରେ ଲଗାଇ ଦେଇଛନ୍ତି। ସମସ୍ୟା ଏତେ ବଢ଼ି ଯାଇଛି ଯେ, ଉଭୟ ବିଏମ୍ସି ଓ ପୁଲିସ୍ ପକ୍ଷରୁ ଏହାକୁ ଗୋଟି ଗୋଟି ଯାଞ୍ଚ କରିବା କିମ୍ବା ଘରମାଲିକଙ୍କ ଜରିଆରେ ଏହି ଭଡ଼ାଟିଆଙ୍କ ସ˚ଖ୍ୟା ବା ପରିଚୟ ପାଇବା ମଧ୍ୟ ଅସମ୍ଭବ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆ କରି ତିଆରି ହେଉଥିବା ଘର ପାଇଁ ଏବେ ଜିଓ ଟ୍ୟାଗିଙ୍ଗ୍ ବ୍ୟବସ୍ଥା କରାଯାଉଛି। ମାଲିକଙ୍କ ନାମ ସହ ସମ୍ପୃକ୍ତ ଘର ପଞ୍ଜୀକୃତ ହେଉଛି। କିନ୍ତୁ ଏହି ବ୍ୟବସ୍ଥାରେ ଭଡ଼ାଟିଆଙ୍କ ସ˚ଖ୍ୟା କିମ୍ବା ସେମାନଙ୍କ ବାବଦରେ ତଥ୍ୟ ମିଳିପାରିବ ନାହିଁ। ପ୍ରତ୍ୟେକ ଦିନ ବିନା ସ୍ବୀକୃତିରେ ଘର ନିର୍ମାଣ ଚାଲିଥିବାରୁ କେତେ ଘର ତିଆରି ହେଲା ତାହାର ହିସାବ ରଖିବା ଅସମ୍ଭବ ହୋଇଛି। ସେହିଭଳି ପୁଲିସ୍ ମଧ୍ୟ ଅନ୍ଧାରରେ ରହିଛି। ଅନେକ ସମୟରେ ଭଡ଼ାଟିଆଙ୍କୁ ଧରିବା ପାଇଁ ଘର ମାଲିକକୁ ପୁଲିସ୍ ଘଣ୍ଟା ଘଣ୍ଟା ଥାନାରେ ବସାଉଥିବା ଦେଖାଯାଉଛି। ନିକଟରେ କମିସନରେଟ୍ ପୁଲିସ ଏକ ଆଡ୍ଭାଇଜରି ଜାରି କରିଛି। ଘରମାଲିକମାନେ ସେମାନଙ୍କ ଘରେ ଥିବା ଭଡ଼ାଟିଆଙ୍କ ସମ୍ବନ୍ଧରେ ତଥ୍ୟ ଉଦ୍ଦିଷ୍ଟ ଫର୍ମାଟ୍ରେ ପୁଲିସ ନିକଟରେ ଦାଖଲ କରିବା ପାଇଁ ଅନୁରୋଧ କରିଛି।
ଚିଠି କରି ଚୁପ୍
୨୦୧୬ ମସିହାରେ ଏହି ଆଡ୍ଭାଇଜରି ଜାରି ହୋଇଥିବା ବେଳେ ଗତ ଦୁର୍ଗାପୂଜା ସମୟରେ ଅପରାଧକୁ ରୋକିବା ପାଇଁ ପୁଲିସ କମିସନର ଆଉଥରେ ଘରମାଲିକଙ୍କୁ ଭଡ଼ାଟିଆଙ୍କ ତଥ୍ୟ ଦାଖଲ କରିବା ପାଇଁ ଅନୁରୋଧ କରିଛନ୍ତି। ଏହି ଅନୁରୋଧରୁ ସ୍ପଷ୍ଟ ହେଉଛି ଯେ, ଦୁଇ ବର୍ଷ ଧରି କୌଣସି ଘରମାଲିକ ଭଡ଼ାଟିଆଙ୍କ ତଥ୍ୟ ପୁଲିସକୁ ଦେଇ ନାହିଁ। ୨୦୧୬ ମସିହାରେ ବର୍ତ୍ତମାନର ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ନିର୍ଦ୍ଦେଶନାମା କଡ଼ାକଡ଼ି କରିବା ପାଇଁ ଯୋଜନା କରିଥିଲେ। ସମସ୍ତ ଥାନାକୁ ଏ ବାବଦରେ ତଥ୍ୟ ରଖିବା ପାଇଁ ତାଗିଦ କରିଥିଲେ। ୨୦୧୬ ମସିହା ଜାନୁଆରି ମାସରେ ୱାଇ. ବି ଖୁରାନିଆ ପୁଲିସ କମିସନର ଭାବରେ ଦାୟିତ୍ବ ନେଇଥିଲେ। ସେ ମଧ୍ୟ ଏଥିପାଇଁ ସମସ୍ତ ଥାନାକୁ ଚିଠି କରିଥିଲେ। ଏହା ପରେ ଅଗଷ୍ଟ ୩ ତାରିଖରେ ଆସିଥିଲେ ବର୍ତ୍ତମାନର କମିସନର ସତ୍ୟଜିତ ମହାନ୍ତି। ସେ ମଧ୍ୟ ଗତ ଅକ୍ଟୋବର ମାସରେ ଏକ ସ୍ବତନ୍ତ୍ର ଆଡ୍ଭାଇଜରି ଜାରି କରିଥିଲେ। ହେଲେ ଏ ଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା କୌଣସି ଘର ମାଲିକ ଭଡ଼ାଟିଆଙ୍କ ତଥ୍ୟ ଦାଖଲ କରୁନାହାନ୍ତି।