ଲକ୍‌ଡାଉନ କଟକଣା ଲୋକେ ମାନୁ ନାହାନ୍ତି, ଅଧିକାରୀ ନାକେଦମ୍‌

ବାଣପୁର: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାକୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଥିବା ବେଳେ ଗତକାଲି ଜନତା କର୍ଫ୍ୟୁକୁ ବାଣପୁରରେ ଅଭୂତପୂର୍ବ ସମର୍ଥନ ମିଳିଥିଲା। ହେଲେ ଆଜି ସକାଳୁ ବାଣପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଲୋକେ ଖୋଲାଯାଇଥିବା ବିଭିନ୍ନ ଦୋକାନ ଆଗରେ ଭିଡ଼ ଜମାଇଥିଲେ। ‌ବଜାରରେ ଲୋକଗହଳି ବଢ଼ୁଥିବା ଖବର ପାଇ ପ୍ରଶାସନ ସଜାଗ ହୋଇ ଉଠିଥିଲା। ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଳ ଏବଂ ବାଣପୁର ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ବାଣପୁରର ସମସ୍ତ ଅଞ୍ଚଳ ବୁଲି ସଚେତନତା ଆରମ୍ଭ କରିବା ସଙ୍ଗେସଙ୍ଗେ ଯେଉଁମାନେ ପ୍ରଶାସନର କଥା ଶୁଣୁ ନ ଥିଲେ ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ଫଳରେ ଅଯଥା ବଜାରରେ ବୁଲାବୁଲି କରୁଥିବା ଲୋକେ ଘରକୁ ପଳାଇଯାଇଥିଲେ। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଔଷଧ ଦୋକାନମାନଙ୍କରେ ଭିଡ଼ ପରିଲକ୍ଷିତ ହୋଇଥିଲା ବେଳେ ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ ଗୁଡ଼ିକରେ ଲୋକଙ୍କ ଦେଖା ନଥିଲା। ପ୍ରଶାସନର କଟକଣା ଯୋଗୁଁ ଦୋକାନ ବଜାର ବନ୍ଦ ହେବା ସହିତ ଯାନବାହନ ଚଳାଚଳ ବନ୍ଦ ରହିଥିଲା

ସମ୍ବନ୍ଧିତ ଖବର