ବାଟି‌କାରେ ମିଳିବ ଦୀର୍ଘକାୟ ଝରଣାର ମଜା, ସେଲ୍‌ଫି ପଏଣ୍ଟ ପାଲଟିବ ପଦ୍ମପାଖୁଡ଼ା ଜଳଫୁଆରା

ଭୁବନେଶ୍ବର: ସବୁଜ ବନାନୀ ସୁଶୋଭିତ ଜୟଦେବ ବାଟିକାର ସୌନ୍ଦର୍ଯ୍ୟ ଆହୁରି ଚମକିବ। ନିକଟ ଅତୀତରେ ବାଟିକା ପରିସରରେ ଯମୁନା ନଈର ଅନୁଭବ ଦେଇଥିବା ଓଡ଼ିଶା ବନ ଉନ୍ନୟନ ନିଗମ ଏଥର ଏକ ଝରଣାର ପରିକଳ୍ପନା କରିଛି। ଏହାକୁ ସାକାର ରୂପ ମଧ୍ୟ ଦେଇଛି। ପୂର୍ବରୁ ଏକ ଛୋଟ ଝରଣା ଥିଲେ ହେଁ ଏଥର ଏକ ଦୀର୍ଘ ଲମ୍ବର ଝରଣା ନିର୍ମିତ ହେଉଛି। ନିର୍ମାଣାଧୀନ ଥିଲେ ହେଁ କିଛି ଦିନ ତଳେ ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ ମଧ୍ୟ କରାଯାଇଛି। ଝରଣା ଦୁଇ ପାର୍ଶ୍ବରେ ଫୁଲ ଗଛ ସହ ଆଲୋକରେ ସୁସଜ୍ଜିତ କରାଯିବ। ଏଥିସହ ଏକ ପଦ୍ମ ପାଖୁଡ଼ା ସଦୃଶ ବୃହତ୍‌ ଜଳଫୁଆରା ମଧ୍ୟ ନିର୍ମିତ କରାଯାଉଛି। ଝରଣା ନିକଟରେ ଥିବା ଏହି ଫୁଆରାକୁ ପଦ୍ମ ପାଖୁଡ଼ା ଆକୃତିର ନିର୍ମାଣ କରାଯାଉଛି। ଏଥିସହ ଏହା ମଧ୍ୟରେ ଓଡ଼ିଶୀ ମୁଦ୍ରାରେ ନର୍ତକୀଙ୍କୁ ସୁସଜ୍ଜିତ କରାଯିବ। ରଙ୍ଗ ବେରଙ୍ଗର ଆଲୋକମାଳାରେ ଫୁଆରା ନିଆରା ଅନୁଭବ ଦେବ। ଏଥିପାଇଁ ବାଟିକା ପରିସରରେ ଥିବା ୧୦୦କେଭି ଟ୍ରାନ୍‌ସଫର୍ମରକୁ ପରିବର୍ତନ କରାଯାଇ ୨୫୦କେଭିର ଟ୍ରାନ୍‌ସଫର୍ମର ସ୍ଥାପନ କରାଯିବ। ନିଗମ ପକ୍ଷରୁ ଏହାର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ଦର୍ଶକ ଝରଣା ଓ ପଦ୍ମ ପାଖୁଡ଼ା ଜଳ ଫୁଆରାର ମଜା ନେଇପାରିବେ।

‌‌‌‌‌‌‌‌ତେଣୁ ଦୂରକୁ ନଯାଇ ଏବେ ଏଇ ରାଜଧାନୀରେ ମଧ୍ୟ ଝରଣାର ଅନୁଭବ ନେଇପାରିବେ ସହରବାସୀ। ବିଶେଷକରି ସେଲ୍‌ଫିରେ ରୁଚି ରଖୁଥିବା ବ୍ୟକ୍ତିବ‌ିଶେଷଙ୍କ ପାଇଁ ଏହି ଝରଣା ଓ ପଦ୍ମପାଖୁଡ଼ା ସଦୃଶ ଜଳ ଫୁଆରା ନିଆରା ସୁଯୋଗ ସୃଷ୍ଟି କରିବ। ୩୯ ହେକ୍ଟର ଜାଗାରେ ୩ଶହ କିସମର ବୃକ୍ଷଲତା ପ୍ରତିଦିନ ହଜାର ହଜାର ଲୋକଙ୍କୁ ଟାଣି ନେଉଥିବା ବେଳେ ବାଟିକା ପରିସରରେ ଏକକାଳୀନ ୧୦ ହଜାର ଲୋକଙ୍କ ପାଇଁ ଭୋଜିଭାତର ସୁବିଧା ରହିଥିବାରୁ ପ୍ରତିଦିନ ଭିଡ଼ ଜମେ। ଏହା ବ୍ୟତୀତ ଜୟଦେବ ଆର୍ଟ ଗ୍ୟାଲେରି, ପିଲାଙ୍କ ପାଇଁ ଖେଳ ଅଞ୍ଚଳ ମଧ୍ୟ ସପରିବାରେ ଏକାଠି ହେବାକୁ ଆକର୍ଷିତ କରେ। ମର୍ଣ୍ଣିଂ ୱାକ୍‌, ଟ୍ରେକିଂ, ଯୋଗାସନ, ଜନ୍ମଦିନ, ବାହାଘର ପାର୍ଟି ଆୟୋଜନର ସୁଯୋଗ ମିଳୁଥିବା ନଭେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ବିପୁଳ ସମାଗମ ହେଉଛି। ବାତ୍ୟା ‘ଫନି’ରେ ୫୦ ହଜାରରୁ ଅଧିକ ଗଛଲତା ଭାଙ୍ଗି ପଡ଼ିଥିଲେ ହେଁ ଜୟଦେବ ବାଟିକା ପରିସର‌ରେ ବାତ୍ୟା ପ୍ରଭାବରେ ଗଛଲତା ଭାଙ୍ଗି ଯାଇଥିବାରୁ ଅନୁଭବ ମଧ୍ୟ ହେବ ନାହିଁ। ଏଥିସହ ନିଗମ ପକ୍ଷରୁ ଜୟଦେବ ବାଟିକାରେ ପିଣ୍ଡି ଓ ପ୍ରବେଶ ଟିକେ୍‌ଟ ବୁକିଂ ପାଇଁ ମଧ୍ୟ ଅନ୍‌ଲାଇନ୍‌ରେ ବ୍ୟବସ୍ଥା କରାଯାଇଛି। ଫଳରେ ଏହା ‌ଭୋଜିଭାତ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସହଜ ହୋଇପାରିଛି। ଏହା ବ୍ୟତୀତ ପରିସରରେ ଥିବା ଔଷଧୀୟ ବଗିଚାର କଳେବରକୁ ମଧ୍ୟ ବୃଦ୍ଧି କରାଯାଇଛି। ଆଉ କିଛି ନୂଆ କିସମର ଔଷଧୀୟ ବୃକ୍ଷକୁ ନେଇ ବଗିଚାକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର