ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟରେ ଶୀତ ବେଶ୍ ଅନୁଭୂତ ହେଉଛି। କିନ୍ତୁ ଆଜିର ମେଘାଚ୍ଛନ୍ନ ପରିବେଶ ଓ କୋହଲା ପବନ ପୂରା ସହରକୁ ଥରେଇ ଦେଇଛି। ସକାଳୁ ସୂର୍ଯ୍ୟଙ୍କ ଦେଖା ମିଳି ନ ଥିଲା। ରାତି ପାହିବାଠୁ ଆରମ୍ଭ କରି ସଂଜ ପର୍ଯ୍ୟନ୍ତ ଅସରାଏ ଲେଖାଏଁ ଝିପିଝିପି ବର୍ଷା ବାହାରକୁ ଗୋଡ଼ କାଢ଼ିବାକୁ ଦେଉ ନଥିଲା। ଲୋକେ ଶୀତବସ୍ତ୍ର ପିନ୍ଧିବେ ନା ରେନ୍କୋଟ୍ ପିନ୍ଧି ବାହାରକୁ ବାହାରିେବ, ସେନେଇ ଦ୍ବନ୍ଦ୍ବରେ ପଡ଼ୁଥିଲେ। ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ସେଲ୍ସିୟସ ରହିଥିଲେ ହେଁ ବର୍ଷା ଓ କୋହଲା ପବନ ଜନିତ ଜାଡ଼ ଯୋଗୁଁ ବାହାରକୁ ବାହାରିବା ପାଇଁ କାହାରି ମନ ବଳୁ ନ ଥିଲା। ସକାଳୁ ଏଭଳି ପାଗ ପାଇଁ ଆଜି ମାର୍କେଟ୍ ମାନ୍ଦା ରହିଥିଲା। ପଥପାର୍ଶ୍ବ ବେପାର ଅଧିକାଂଶ ସ୍ଥାନରେ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ନୂଆବର୍ଷ ସପ୍ତାହ ଚାଲିଥିବାରୁ ବଣଭୋଜି ମନସ୍କ ବ୍ୟକ୍ତିବିଶେଷ ଅଧିକ ନିରାଶ ହୋଇଥିଲେ। ଜୟଦେବ ବାଟିକା, ନନ୍ଦନକାନନ ବଟାନିକାଲ୍ ଗାର୍ଡେନ୍, ଡେରାସ, ଧଉଳି ଆଦିରେ ବଣଭୋଜି ପାଇଁ ଆଗରୁ ବୁକିଂ କରିଥିବା ଅଧିକାଂଶ ବ୍ୟକ୍ତିବିଶେଷ ଭୋଜି ବାତିଲ୍ କରି ଦେଇଥିଲେ। ପୁଣି କେତେକ ସକାଳୁ ଭୋଜି ଆରମ୍ଭ କରି ଦେଇଥିବାରୁ ଅସୁବିଧାରେ ପଡ଼ିଥିଲେ। ଅନେକ ମଧ୍ୟ ନିକଟସ୍ଥ ପର୍ଯ୍ୟଟନ କ୍ଷେତ୍ର ବୁଲାବୁଲି କରିପାରି ନ ଥିଲେ।
ଆଜି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ୮ ମିଲିମିଟର ବର୍ଷା ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୭ଡିଗ୍ରି ସେଲ୍ସିୟସ ରହିଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବି ହାଲ୍କା ବର୍ଷା ସହ ଆକାଶ ମେଘାଚ୍ଛନ୍ନ ରହିବ। ସର୍ବାଧିକ ତାପମାତ୍ରା ୨୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରି ସେଲ୍ସିୟସ ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି। ୪୮ ଘଣ୍ଟା ପରେ ରାତିର ତାପମାତ୍ରା କିଛି ସ୍ଥାନରେ ଆହୁରି ମଧ୍ୟ ଖସି ଆସିବାର ସମ୍ଭାବନା ରହିଛି।