ଚନ୍ଦ୍ରଶେଖରପୁର: ଦଳ ଛଡ଼ା ହୋଇ ରାଜଧାନୀ ଉପକଣ୍ଠରେ ବୁଲୁଥିବା ୨ଟି ହାତୀ ଚନ୍ଦକା ଜଙ୍ଗଲକୁ ଫେରୁନାହାନ୍ତି। ରାତି ହେଲେ ସହର ଉପକଣ୍ଠର ଗୋଟିଏ ପରେ ଗୋଟିଏ ଗାଁରେ ପଶୁଛନ୍ତି। ଲୋକଙ୍କ ଘରଦ୍ବାର ଭାଙ୍ଗୁଛନ୍ତି। ବସ୍ତିରେ ପଶି ଉତ୍ପାତ କରିବା ସହ ପାଚେରି, ଗାଡ଼ି ଆଦି ଦଳି ଦେଉଛନ୍ତି। କାହା ବାଡ଼ିରେ କଦଳୀ ଗଛ ଭାଙ୍ଗି ଖାଉଛନ୍ତି ତ ଆଉ କାହା ବାଡ଼ିରେ ଲାଗିଥିବା ପନିପରିବା ନଷ୍ଟ କରିଦେଉଛନ୍ତି। ପାଖାପାଖି ୪ ଦିନ ହେଲା ଦୁଇଟି ହାତୀଙ୍କ ଉତ୍ପାତ ଏଭଳି ଚାଲିଥିଲେ ମଧ୍ୟ ବନ ବିଭାଗ ସେମାନଙ୍କୁ ଘଉଡ଼ାଇପାରୁ ନାହିଁ। ଗତକାଲି ‌ହାତୀ ଦୁଇଟିଙ୍କର ଉତ୍ପାତ ଅଧିକ ହେବା ପରେ ବନ ବିଭାଗ ଓ ପୁଲିସ ଅଧିକାରୀଙ୍କ ୬ ଘଣ୍ଟାର ଉଦ୍ୟମ ପରେ ସେମାନଙ୍କୁ କଷ୍ଟେମଷ୍ଟେ ଭରତପୁର ଜଙ୍ଗଲ ଭିତରେ ପୂରାଇ ଦିଆଯାଇଛି। ତେବେ ଚନ୍ଦକା ଜଙ୍ଗଲରେ ଛାଡ଼ିବା ଲାଗି ବନ ବିଭାଗ ପକ୍ଷରୁ ୨୪ ଘଣ୍ଟା ହେଲା ଉଦ୍ୟମ ଚାଲିଥିଲେ ମଧ୍ୟ ସଫଳତା ମିଳି ନ ଥିବା ଜଣାପଡ଼ିଛି।

Advertisment

ଏବେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଦୁଇଟି ହାତୀ ଦଳ ରହିଛନ୍ତି। ଆଠଗଡ଼ ଜଙ୍ଗଲରୁ ଗୋଟିଏ ୧୫ଟିକିଆ ହାତୀ ପଲ କିଛି ମାସ ତଳେ ଚନ୍ଦକା ଜଙ୍ଗଲକୁ ଆସିଥିଲେ। ସେବେଠାରୁ ଏମାନେ ଅଛନ୍ତି ଯେ ଆଉ ଫେରୁନାହାନ୍ତି। ସେହିପରି ଗତ ଏପ୍ରିଲ ମାସରେ ୯ଟିକିଆ ଏକ ହାତୀପଲ ମଧ୍ୟ ଚନ୍ଦକା ଭିତରକୁ ଆସିଛନ୍ତି। ଏବେ ଭୁବନେଶ୍ବର ଉପକଣ୍ଠରେ ଉତ୍ପାତ କରୁଥିବା ‌ଦୁଇଟି ହାତୀ ୧୫ଟିକିଆ ହାତୀ ଦଳରୁ ବାହାରି ଆସିଛନ୍ତି। ଗୋଠକୁ ଫେରିବା ଲାଗି ବାଟ ପାଉ ନାହାନ୍ତି। ହାତୀ ପଲରେ ଏମାନଙ୍କୁ ଛାଡ଼ିବା ଲାଗି ବନ ବିଭାଗର ଅଧିକାରୀମାନେ ଲାଗି ପଡ଼ିଛନ୍ତି। ୪ଟି ଟିମ୍‌ ଗଠନ କରାଯାଇ ହାତୀ ଦଳର ଗତିବିଧି ଉପରେ ନଜର ରଖାଯାଇଛି। ସେମାନେ ଏବେ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରେ ରହିଛନ୍ତି। ତେଣୁ ଉକ୍ତ ଦୁଇଟି ହାତୀକୁ ନେଇ ସେଠାରେ ଛାଡ଼ିବା ସମ୍ଭବପର ହେଉ ନ ଥିବା ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଡିଭିଜନ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ହାତୀ ଦୁଇଟି ରାଜଧାନୀ ଉପକଣ୍ଠରେ ଉତ୍ପାତ କରିବା ପରେ ବନ ବିଭାଗର ନିଦ ହଜି ଯାଇଛି। ପୁଲିସର ସାଇରନ୍‌ ଓ ବନ ବିଭାଗ କର୍ମଚାରୀଙ୍କ ୬ଘଣ୍ଟାର ଉଦ୍ୟମ ପରେ ଗତକାଲି ଅପରାହ୍ନରେ ସେମାନଙ୍କୁ ଜନବସତିରୁ ବାହାର କରାଯାଇଥିଲା। ଚନ୍ଦକା ଜଙ୍ଗଲରେ ଛାଡ଼ିବା ଲାଗି ଉଦ୍ୟମ ହୋଇଥିଲେ ମଧ୍ୟ ସେମାନେ ଯାଇ ନ ଥିଲେ। ଅଧା ବାଟରୁ ପୁଣି ଫେରି ଆସିଥିଲେ। ତେଣୁ ବନ ବିଭାଗର ଅଧିକାରୀମାନେ ବାଧ୍ୟ ହୋଇ ହାତୀ ଦୁଇଟିକୁ ଭରତପୁର ଜଙ୍ଗଲ ଭିତରେ ଛାଡ଼ିଥିଲେ। ଭରତପୁର ସଂରକ୍ଷିତ ଜଙ୍ଗଲରେ ଆଗରୁ ଥିବା ଦୁଇଟି ହାତୀଙ୍କ ସହ ଏମା‌ନଙ୍କୁ ବି ଛଡ଼ାଯାଇଛି। ବନ ବିଭାଗର ଅଧିକାରୀମାନେ କଡ଼ା ନଜର ରଖିଛନ୍ତି। କାଳେ ଉଭୟ ହାତୀଙ୍କ ମଧ୍ୟରେ ସଂଘର୍ଷ ହେବ, ତେଣୁ ପରସ୍ପରଠାରୁ ବହୁ ଦୂରରେ ରଖିଛନ୍ତି। ସେପଟେ ହାତୀ ଦୁଇଟି ଆଜି ସନ୍ଧ୍ୟା ସମୟରେ ଭରତପୁର ସଂରକ୍ଷିତ ଜଙ୍ଗଲର ପାଚେରି ନିକଟକୁ ଆସିଥିବା ଲୋକେ ଦେଖିଥିବା ‌କହିଛନ୍ତି।