ଭୁବନେଶ୍ବର: ମୌସୁମୀ ବର୍ଷା ରାଜଧାନୀବାସୀଙ୍କୁ କମ୍‌ ଆଶ୍ବସ୍ତି, ଅଧିକ ନିର୍ଯାତନା ଦେଉଛି। ଦୁଇଦିନ ହେଲା ଝିପିଝିପି ବର୍ଷା ଲାଗି ରହିଥିବାରୁ ରାଜଧାନୀର ଖଣ୍ଡିଆଖାବରା ରାସ୍ତା ସ୍ଥିତି ଦୟନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ, ବିଏମ୍‌ସି, ସ୍ବେରେଜ୍‌ ବୋର୍ଡ, ଓପିଟିସିଏଲ୍‌, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଏବେ ରାଜଧାନୀବାସୀ ଦହଗଞ୍ଜ ହେଉଛନ୍ତି। ଦୁଇ ଦିନର ବର୍ଷା ପରେ ରାଜଧାନୀର ଅବସ୍ଥା ଏପରି ହୋଇଛି ଯେ, ଲୋକ ରାଜଧାନୀରେ ରହୁଛନ୍ତି ବୋଲି କହିବାକୁ ଲାଜ କରୁଛନ୍ତି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବରୁ ଏବଂ ଅପରିଣାମଦର୍ଶୀ କାମ ଯୋଗୁଁ ଏବେ ରାଜଧାନୀବାସୀ ଦହଗଞ୍ଜ ହେଉଛନ୍ତି। ବିଏମ୍‌ସିରେ କର୍ପୋରେଟରମାନଙ୍କ କାର୍ଯ୍ୟକାଳ ୬ମାସ ହେଲା ସରି ଯାଇଥିବାରୁ ଅଧିକାରୀମାନେ ନିଜ ମନଇଚ୍ଛାରେ କାର୍ଯ୍ୟ କରୁଛନ୍ତି। ସବୁ ଅଞ୍ଚଳରେ ରାସ୍ତାରେ ଖାଲ ସୃଷ୍ଟି ହୋଇ ଯାଇଥିବାବେଳେ ଏହାକୁ ମରାମତି କରାଯାଉନି କି ନୂଆ ରାସ୍ତା ନିର୍ମାଣ ହେଉନି। ଏଣେ ସ୍ବେରେଜ୍ ବୋର୍ଡ ଗଳିକନ୍ଦିରେ ସ୍ବେରେଜ୍ ଲାଇନ୍ ବିଛାଇବା ପାଇଁ ମାସ ମାସ ଧରି ରାସ୍ତାକୁ ଖୋଳିକି ପକାଇ ଦେଇଛି। ପୂର୍ବତନ କର୍ପୋରେଟର ନା ବିଧାୟକମାନେ କେହି ଏନେଇ କିଛି ପାଟି ଫିଟାଉନାହାନ୍ତି। ଫଳରେ ସରକାରଙ୍କ ବିଭିନ୍ନ ସଂସ୍ଥାଙ୍କ ଯାତନାରେ ଲୋକ ପେଶି ହୋଇଗଲେଣି।

Advertisment

ସ୍ମାର୍ଟ ନୁହେଁ, ଯନ୍ତ୍ରଣା ଜନପଥ
ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଶିଶୁ ଭବନରୁ ବାଣୀବିହାର ପର୍ଯ୍ୟନ୍ତ ସ୍ମାର୍ଟ ଜନପଥ ନିର୍ମାଣ ହେଉଛି। ଏଥିରେ ଶିଶୁ ଭବନରୁ ରାଜମହଲ ପର୍ଯ୍ୟନ୍ତ କାମ ଶେଷ ହୋଇଛି। ହେଲେ ରାଜମହଲରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ଏବେ ଏତେ ବିପର୍ଯ୍ୟସ୍ତ ହୋଇଛି ଯେ, ଏହି ରାସ୍ତାରେ ଲୋକ ଯିବାକୁ ଭୟ କରୁଛନ୍ତି। ଓପିଟିସିଏଲ୍‌ କର୍ତ୍ତୃପକ୍ଷ ଭୂତଳ କେବୁଲ୍‌ ବିଛାଇବା ପାଇଁ ରାମମନ୍ଦିର ଛକରୁ ବାଣୀବିହାର ମଧ୍ୟରେ ୧୦ଫୁଟରୁ ଅଧିକ ଓସାରର ରାସ୍ତା ଖୋଳି ପକାଇଛନ୍ତି। ଏପ‌େଟ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ଭିତରେ ରାସ୍ତା ଖୋଳି ପକାଇ ଦେଇଛନ୍ତି। ଫଳରେ ଜନପଥରେ ଥିବା ବିଭିନ୍ନ ଦୋକାନକୁ ଆସୁଥିବା ଲୋକ ରାସ୍ତା ମଝିରେ ଗାଡ଼ି ପାର୍କିଂ କରିଦେଉଛନ୍ତି। ଯାହା ଜନପଥକୁ ପୂରା ଜାମ୍ କରିଦେଉଛି। ବର୍ଷା ପରେ ଜନପଥ ସ୍ଥିତି ସାଂଘାତିକ ହୋଇଗଲାଣି।

ବେହାଲ୍‌ ପଣ୍ଡାକୁଦିଆ ବସ୍ତି
ଖଣ୍ଡଗିରି: ଲଗାଣ ବର୍ଷାରେ ହନ୍ତସନ୍ତ ହେଉଛନ୍ତି ଶ୍ୟାମପୁର ପଣ୍ଡାକୁଦିଆ ବସ୍ତିବାସିନ୍ଦା। ବର୍ଷାକୁ ସମ୍ଭାଳି ପାରୁନାହିଁ ଜରି ପାଲ ଛପର। ଫଳରେ ଖାଇବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁଥିରେ ବଡ଼ କଦର୍ଯ୍ୟ ପରିସ୍ଥିତି। ବିଜୁଳି ନଥିବା ଯୋଗୁଁ ଏହି ବଣବୁଦାଘେରା ବସ୍ତି ରାତିରେ ଅଧିକ ବିପଦସଂକୁଳ ହୋଇପଡ଼ୁଛି। ମାତ୍ର ପ୍ରଶାସନର ଏଥିପ୍ରତି ନିଘା ନଥିବା ବସ୍ତିବାସିନ୍ଦାମାନଙ୍କ ଅଭିଯୋଗ। ଆଉ ଦୁଇ ଦିନ ପରେ ବାତ୍ୟା ଫନିକୁ ୨ ମାସ ପୂରିବ। ସେହି ଦିନଠାରୁ ଏହି ବସ୍ତି ଅନ୍ଧାରରେ ପଡ଼ିଛି। ତେଣୁ ଦାସପୁର ଜଙ୍ଗଲକୁ ଲାଗି ରହିଥିବା ଏହି ବସ୍ତିକୁ ବିଭିନ୍ନ ସରୀସୃପଠାରୁ ଆରମ୍ଭ କରି ବଣୁଆ ଜନ୍ତୁମାନେ ପଶି ଆସୁଛନ୍ତି। ଏହା ସବୁଠାରୁ ବଡ଼ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ଫନିରେ ଭାଙ୍ଗି ପଡ଼ିଥିବା ବହୁ ଘର ଏବେ ବି ମରାମତି ହୋଇପାରିନାହିଁ। ମାତ୍ର ଚାଲିଥିବା ଲଗାଣ ବର୍ଷା ଜରି ପାଲ ଫଟାଇ ଦେଲାଣି। ଫଳରେ ବହୁ ଲୋକଙ୍କ ଘର ଭିତରେ ପାଣି। କଚ୍ଚା ଦାଣ୍ଡ ରାସ୍ତା ପାଲଟି ଯାଇଛି ନାଳ। ତେଣୁ ନା ବାହାରକୁ ଗୋଡ଼ କାଢ଼ି ହେଉଛି ନା ଘରେ ରହି ହେଉଛି। ଏମିତି ଅବସ୍ଥାରେ ବହୁ ପରିବାର ଗତ ରାତିରୁ ଭୋକ ଉପାସ ଓ ଅନିଦ୍ରାରେ ରହିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଏହି ବସ୍ତିକୁ ବାତ୍ୟା ତିତିଲି ପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍ ପାଚେରି କଡ଼ ଜୟଦେବ ବିହାର ଛକରୁ ବିସ୍ଥାପନ କରାଯାଇଥିଲା। ସେତେବେଳେ ତିତିଲି ସେମାନଙ୍କକୁ କନ୍ଦେଇଥିଲା। ଏହା ପରେ ଦାଉ ସାଧିଲା ଫନି। ଫନି ପରେ ଏବେ ଲଗାଣ ବର୍ଷା। ପ୍ରାକୃତିକ ଚଡ଼କ ଯେମିତି ସେମାନଙ୍କ ପିଛା ଛାଡ଼ିବାକୁ ନାରାଜ।

publive-image

ବସ୍ତିରେ ପଶିଲା ପାଣି
ଚନ୍ଦ୍ରଶେଖରପୁର: ଆଜି ଦିନ ତମାମ ଲଗାଣ ବର୍ଷା ହେବା ଫଳରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ପଣ୍ଡାପାର୍କ, ଈଶାନେଶ୍ବର, ଓମଫେଡ୍‌, ଚିରଗାଲଟୋଲ, ହାଟସାହି, ତାରିଣୀ ଓ ହରେକୃଷ୍ଣ ବସ୍ତିରେ ଅନେକ ଲୋକଙ୍କ ଘରେ ପାଣି ପଶି ଯାଇଥିଲା। ଫଳରେ ଲୋକେ ହନ୍ତସନ୍ତ ହୋଇଛନ୍ତି। ଫନି ବାତ୍ୟାରେ ବସ୍ତିଅଞ୍ଚଳର ଝୁମ୍ପୁଡ଼ି ଘର ଛପର ଉଡ଼ିଯାଇଥିବା ବ‌େଳେ ଏବେ ଲୋକଙ୍କ ଘରେ ପାଣିଗଳି ଘର ଭିତର ଆସବାବପତ୍ର ଓ ପିଲାଙ୍କ ବ‌ହିପତ୍ର ଭିଜି ଯାଇଛି। ଏପରିକି ‌କିଛି ବସ୍ତିରେ ଲୋକଙ୍କ ଘରେ ପାଣି ପଶିଯିବାରୁ ସେମାନେ ‌ଭୋକ ଉପାସରେ ଦିନ କାଟିଛନ୍ତି। ଅନ୍ୟପକ୍ଷରେ ଲେବର‌ କଲୋନି ବସ୍ତିର ଲୋକମାନେ ଆଜି ଦିନସାରା ବର୍ଷାରେ ହନ୍ତସନ୍ତ ହେଉଥିବା ବେଳେ ଡମଣା ଲେନ୍ ଡ୍ରେନ୍ ପାଣି ଉଛୁଳି ସେମାନଙ୍କ ଘରେ ପଶିଯାଇଥିଲା। ସେହଭଳି ଅଳସୁଆ ଓ ଶିଖରଚଣ୍ଡୀ ନଗର ବସ୍ତି ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଣିପଶି ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବର୍ଷାରେ ଡମଣା ଓ ଗାଡ଼କଣକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତା, ରଙ୍ଗମାଟିଆ ଓ ଭୋଟପଡ଼ାକୁ ଯୋଗାଯୋଗ କରୁଥିବା ରାସ୍ତା ଖାଲଖମାରେ ଭର୍ତି ହୋଇଥିବାରୁ ଏବେ ବର୍ଷାପାଣି ଜମି ରହି ରାସ୍ତାଗୁଡ଼ିକ ମରଣଯନ୍ତାରେ ପରିଣତ ହୋଇଛି।

ମଟର ଲଗେଇ ଜଗିଲେ ଲୋକେ
ପୁରୁଣା ଭୁବନେଶ୍ୱର: ବିଏମ୍‌ସି ୬୦ନଂ ୱାର୍ଡ ଅନ୍ତର୍ଗତ ଗୌରୀ ଗାର୍ଡେନରେ ବର୍ଷା ପାଣି ଜମି ରହିଥିଲା। ବିଏମ୍‌ସି ପକ୍ଷରୁ ସେଠାରେ ମଟର ଲଗାଯାଇ ପାଣି ନିସ୍କାସନ କରାଯାଇଥିଲା। କାଳେ କେତେବେଳେ ଡ୍ରେନ୍‌ ପାଣି ଆସି ଗୌରୀ ଗାର୍ଡେନରେ ପ୍ରବେଶ କରିବ ସେଥି ପାଇଁ ଲୋକେ ଜଗି ରହିଥିଲେ। ସାମାନ୍ୟ ବର୍ଷା ହେଲେ ସମସ୍ତ ପାଣି ଗୌରୀ ଗାର୍ଡେନ ଦେଇ ଦୟା ୱେଷ୍ଟ କେନାଲକୁ ଯାଇଥାଏ। ଏବେ ପାଣି ଦୟା ୱେ‌ଷ୍ଟ କେନାଲକୁ ଯିବା ବଦଳରେ ଗୌରୀ ଗାର୍ଡେନରେ ଜମା ହୋଇ ରହୁଛି। ଗୌରୀ ଗାର୍ଡେନ ଚାରିପଟେ ୬ଫୁଟ ଚଉଡାର ଡ୍ରେନ ପାଇଁ ଓ ବର୍ଷା ପାଣି ଯିବା ଲାଗି ଜାଗା ରହିଥିଲା। ଏବେ ଉକ୍ତ ଭୂତଳ ଡ୍ରେନ ଦୀର୍ଘଦିନ ହେବ ବନ୍ଦ ହୋଇଗଲାଣି। ଅନ୍ୟପକ୍ଷରେ ଗ୍ୟାରେଜ ଛକରେ ଦୟାୱେଷ୍ଟ କେନାଲ ଉପରେ ବ୍ରିଜ୍‌ ନିର୍ମାଣ ସମୟରେ ଭୂତଳ ଡ୍ରେନକୁ ପୋତି ସେଠାରେ ଦୁଇଟି ବଡ ହ୍ୟୁମ ପାଇପ ପକାଯାଇଥିଲା। ପାଣି ନିଷ୍କାସନର ଲେବଲିଂ ଠିକ୍‌ ହୋଇନ ଥିବାରୁ ଉକ୍ତ ପାଇପ ଦେଇ ପାଣି ନିଷ୍କାସିତ ହୋଇ ପାରୁନି।