ଭୁବନେଶ୍ବର: ସୂର୍ଯ୍ୟନଗର, ବମିଖାଲ, ଯଦୁପୁର, ସୁନ୍ଦରପଦାକୁ ବିଏମ୍ସି ସଂକ୍ରମିତ ଅଞ୍ଚଳ ଘୋଷଣା କରି ସିଲ୍ କରଛି। କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ସହ ତାଙ୍କର ନମୁନା ପରୀକ୍ଷା କରିବାକୁ ବିଏମ୍ସି ପକ୍ଷରୁ ସମସ୍ତ ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ନିୟୋଜିତ କରାଯାଇଛି। ହେଲେ ଏବେ ସଂକ୍ରମିତ ଅଞ୍ଚଳରେ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ନେଇ ଯେଉଁ ଉପାୟ ଅବଲମ୍ବନ ହେଉଛି, ସେନେଇ ପ୍ରଶ୍ନ ଉଠିଲାଣି। ଅଙ୍ଗନୱାଡ଼ି କର୍ମୀମାନେ ଘରଠାରୁ ୫ରୁ ୧୦ ଫୁଟ୍ ଦୂରରେ ଛିଡ଼ା ହୋଇ ଘର ଲୋକଙ୍କୁ ଡାକୁଛନ୍ତି, ଆଉ ପଚାରି ଦେଉଛନ୍ତି ଘରେ କେତେ ଲୋକ ଅଛନ୍ତି। ଘରେ ସମସ୍ତେ ଭଲ ଅଛନ୍ତି ତ! ଏହାପରେ ଯଦି ଉତ୍ତର ମିଳିଲା ଭଲ ଅଛନ୍ତି, ତେବେ ପରବର୍ତ୍ତୀ ଘରକୁ ଯାଉଛନ୍ତି। ଯଦି ଉତ୍ତର ନା ମିଳିଲା, ତେବେ କାହାର କ’ଣ ହୋଇଛି ପଚାରୁଛନ୍ତି। ଆବଶ୍ୟକସ୍ଥଳେ ନମୁନା ସଂଗ୍ରହ କରୁଛନ୍ତି। ହେଲେ ଆପାର୍ଟମେଣ୍ଟଗୁଡ଼ିକରେ ଏହି ଢଙ୍ଗରେ ତଥ୍ୟ ସଂଗ୍ରହ ହୋଇଥିବାରୁ ଏଥିରେ କେତେଦୂର କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇପାରିବେ, ସେନେଇ ପ୍ରଶ୍ନ ଉଠିଛି। ସଂକ୍ରମିତ ଅଞ୍ଚଳରେ ଅଙ୍ଗନୱାଡ଼ି କର୍ମୀମାନେ ଆପାର୍ଟମେଣ୍ଟ ଫାଟକ ନିକଟରେ ଛିଡ଼ା ସୋସାଇଟିର ସଭାପତିଙ୍କୁ ଡାକୁଛନ୍ତି। ଏହାପରେ କେତେ ଲୋକ ରହୁଛନ୍ତି, କାହାର କିଛି ସମସ୍ୟା ଅଛି କି ନାହିଁ ପଚାରି ପଳାଉଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ଏମିତି ପଚାରି ଅଙ୍ଗନୱାଡ଼ି କର୍ମୀ ପଳାଇବେ, ତେବେ ଆପାର୍ଟମେଣ୍ଟରେ ୪୦ରୁ ୫୦ ପରିବାର ମଧ୍ୟରେ କାହା ଘରେ କାହାର ସ୍ବାସ୍ଥ୍ୟାବସ୍ଥା କେମିତି ଅଛି, କିଏ କୁଆଡ଼େ ଯାଇଥିଲେ, କାହା ସଂସ୍ପର୍ଶରେ ଆସିଛନ୍ତି, ସେକଥା କେମିତି ସୋସାଇଟିର ସଭାପତି କହିବେ। ଯଦି ପ୍ରତି ଘରେ ଗୋଟିଗୋଟି କରି ପଚରା ନଯାଏ, କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇଯିବ।
ଏଥିରେ ଯେତେ ଅଞ୍ଚଳକୁ ସିଲ୍ କଲେ ବି ସମସ୍ତ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇଯିବ। କେବଳ ଏତିକି ନୁହେଁ, ଯେଉଁମାନେ ରୋଗକୁ ଲୁଚାଉଛନ୍ତି ସେମାନଙ୍କୁ ଯଦି ଉପରଠାଉରିଆ ପଚରାଯାଏ, ତେବେ ସେମାନେ ତ ଫାଙ୍କିଦେବେ। ଏଥିରେ ସରକାର ରୋଗୀଙ୍କୁ ଚିହ୍ନଟ କରିବା ଦୂରର କଥା, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିବ। କେବଳ ସ୍ବାସ୍ଥ୍ୟ ସେବା ନୁହେଁ, ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବି ଠିକ୍ ଭାବେ ମିଳୁନି। ଲୋକମାନଙ୍କୁ ଠିକ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନଥିବା ବେଳେ ବିଏମ୍ସିରେ ଅଭିଯୋଗ କଲେ ବି କିଛି ସୁଫଳ ମିଳୁନି। ଫଳରେ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ବିଏମ୍ସି କର୍ତ୍ତୃପକ୍ଷ କେତେବେଳେ କ’ଣ ଯୋଗାଇବେ, ତାହା କହୁନାହାନ୍ତି। ତେଣୁ କେତେବେଳେ ଗାଡ଼ି ଆସି ପଳାଉଛି, ଆମେ ଜାଣିପାରୁନୁ ବୋଲି ବମିଖାଲ ଅଞ୍ଚଳର ବାସିନ୍ଦା କହିଛନ୍ତି।
ବିଏମ୍ସିକୁ ଫୋନ୍ କଲେ ବି ଜିନିଷ ମିଳୁନି
ମା’ଙ୍କର ଔଷଧ ନଥିବାରୁ ବିଏମ୍ସିର ଟୋଲ୍ ଫ୍ରି ନମ୍ବର ୧୯୨୯ରେ ଫୋନ୍ କଲୁ। ଜଣେ ଅଧିକାରୀ କହିଲେ, ତୁରନ୍ତ ଔଷଧ ମିଳିଯିବ। ଏଥିପାଇଁ ଗୋଟେ ନମ୍ବର ବି ଦେଲେ। ହେଲେ ସେହି ନମ୍ବରରେ ଦିନତମାମ ଫୋନ୍ କରିବା ସତ୍ତ୍ବେ ବି କେହି ଉଠାଇଲେନି। ଏହାପରେ ଜଗନ୍ନାଥନଗର ଅଞ୍ଚଳରୁ ଜଣେ ବନ୍ଧୁଙ୍କ ହାତରେ ଔଷଧ ମଗାଇଥିଲୁ। କେବଳ ଏତିକି ନୁହେଁ, ବିଏମ୍ସି ଚାରିକଡ଼ୁ ସିଲ୍ କରିଦେଇଛି ହେଲେ ସବୁ ଜିନିଷ ଆମେ କିପରି ପାଇବୁ, ସେ ବ୍ୟବସ୍ଥା କରୁନି।
ଅଭିଷେକ ଦାସ, ବମିଖାଲ ବାସିନ୍ଦା
ସର୍ଭେ ଯେମିତି ହେଉଛି ସେଥିରେ ଆକ୍ରାନ୍ତଙ୍କୁ ଚିହ୍ନଟ କରିହେବନି
ଏବେ ବିଏମ୍ସି ପକ୍ଷରୁ ଯେମିତି ଢଙ୍ଗରେ ସର୍ଭେ ହେଉଛି ସେଥିରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସମ୍ଭବ ହେଲା ଭଳି ଲାଗୁନି। ରାଜ୍ୟର ସବୁଠୁ ହଟସ୍ପଟ୍ ବମିଖାଲ ଅଞ୍ଚଳ ପାଲଟିଥିବାବେଳେ ଏଠାରେ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଚାରିଦିନ ଭିତରେ ସବୁ ଘର ସର୍ଭେ ହୋଇନି। ଯେତିକି ଘରେ ସର୍ଭେ ହୋଇଛି ସେଥିରେ ଖାଲି ଘରେ କେତେ ଲୋକ ଅଛନ୍ତି, ସମସ୍ତେ ଭଲ ଅଛନ୍ତି କି ନାହିଁ ପଚାରି ଚାଲିଯାଉଛନ୍ତି। ଏଥିରେ କ’ଣ ସବୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିହେବ।
ହରିଓମ୍ ଗୋୟଲ, ବମିଖାଲ
କେତେବେଳେ କ’ଣ ଆସୁଛି ଜଣାପଡ଼ୁନି
ଚାରିଦିନ ହେଲା ଆମ ଅଞ୍ଚଳ ସିଲ୍ ହେଲାଣି। ଯାହା ସଉଦା, ପରିବା ଥିଲା ସରିଲାଣି। ଦୁଇ ଦିନ ସଟ୍ ଡାଉନ୍ ଯୋଗୁଁ ଆମ ଅଞ୍ଚଳକୁ କିଛି ସାମଗ୍ରୀ ଆସିଲାନି। ଏହାପରେ କେତେବେଳେ କ’ଣ ଆସୁଛି ଆମେ ଜାଣିପାରୁନୁ। କେବେଳ ଏତିକି ନୁହେଁ କ୍ଷୀର ଗାଡ଼ି, ପରିବା ଗାଡ଼ି, ସଉଦା ଗାଡ଼ି କେତେବେଳେ ଆସିବ ବିଏମ୍ସି ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କେହି କିଛି କହୁନାହାନ୍ତି। ଅନଲାଇନରେ ସାମଗ୍ରୀ ଅର୍ଡର ଦେଲେ ଦୁଇଦିନ ପରେ ମିଳିବ ବୋଲି କହୁଛନ୍ତି। ଏହାର ସମାଧାନ ନକଲେ ଆମେ ବହୁ ଅସୁବିଧାରେ ଫସିଯିବୁ।
ଅସୀମା ନାୟକ, ବମିଖାଲ