ବିଚାର ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସ ଅତୁଟ ରଖ: ଜଷ୍ଟିସ୍‌ ମିଶ୍ର 

ଭୁବନେଶ୍ୱର: ଆଇନର ସଠିକ୍‌ ତର୍ଜମା ସହ ଯୁକ୍ତିସଙ୍ଗତ ଉପସ୍ଥାପନା ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାଦ୍ୱାରା ଆଇନଗତ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇପାରିବ। ଆମର ବିଚାର ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କର ଯେଉଁ ଅତୁଟ ବିଶ୍ୱାସ ରହିଛି, ତାହାକୁ ବଜାୟ ରଖିବାକୁ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର ଆଇନ୍‌ଜୀବୀମାନଙ୍କୁ ଆହ୍ଵାନ ଦେଇଛନ୍ତି। ଭୁବନେଶ୍ୱର ବାର ଆସୋସିଏସନ୍‌ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ବିଚାରପତି ଶ୍ରୀ ମିଶ୍ର କହିଲେ, ଯୁବପିଢ଼ିଙ୍କୁ ହତୋତ୍ସାହିତ କରିବା ଉଚିତ ନୁହେଁ। ସେମାନେ ହତୋତ୍ସାହିତ ହେବା ଅର୍ଥ ଆମେ ଆମ ଭବିଷ୍ୟତକୁ ନିରୁତ୍ସାହିତ କରିବା ସହ ସମାନ। ଦୀର୍ଘ ବର୍ଷ ଧରି ଆମେ ଆଗକୁ ବଢ଼ିଚାଲିଲେ। କେବେ ପଛକୁ ହଟିନେ। ସେହି ଧାରା ବଜାୟ ରଖିବାକୁ ପଡ଼ିବ। ଉତ୍ସବରେ ସମ୍ମାନିତ ଅତିିଥି ଭାବେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭୀନିତ୍‌ ଶରଣ କହିଲେ, ସୀମିତ ସଂଖ୍ୟକ ସଭ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ଭୁବନେଶ୍ୱର ବାରରେ ଆଜି ୪,୫୦୦ ସଭ୍ୟ ରହିଛନ୍ତି। ଏହା ସମସ୍ତଙ୍କ ଲାଗି ଖୁସିର କଥା। ଭୁବନେଶ୍ୱର ବାର୍‌ ଆସୋସିଏସନ୍‌ର ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମର ସେ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଆସୋସିଏସନ୍‌ର ସ୍ମରଣିକା ‘ଦି କାଉନ୍‌ସିଲ୍‌’ ଓ ବାର୍‌ ଡାଇରେକ୍ଟୋରିକୁ ଉନ୍ମୋଚନ କରିଥିଲେ। ବରିଷ୍ଠ କ୍ରିମିନାଲ ଲୟର ପ୍ରସନ୍ନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଭୁବନେଶ୍ୱର ବାର ଆସୋସିଏସନ ସଭାପତି ୟୁହିଦୁର ରେହମାନ୍‌ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ତାପସ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ହାଇକୋର୍ଟର ଆର୍ବିଟ୍ରେସନ୍‌ ଓ ମେଡିଏସନ୍‌ କେନ୍ଦ୍ର ଲୋକାର୍ପିତ
ଭୁବନେଶ୍ୱର ଜୁଡିସିଆଲ୍‌ କୋର୍ଟ କମ୍ପ୍ଲେକ୍ସର ଭୂମିପୂଜନ
ଭୁବନେଶ୍ୱର ବାର୍‌ ଆସୋସିଏସନ୍‌ର ବାର୍ଷିକ ଉତ୍ସବ

ଉତ୍ସବ ପୂର୍ବରୁ ରାଜମହଲ ଛକଠାରେ ଓଡ଼ିଶା ହାଇକୋର୍ଟର ଆର୍ବିଟ୍ରେସନ୍‌ ଓ ମେଡିଏସନ୍‌ କେନ୍ଦ୍ରକୁ ମୁଖ୍ୟ ବିଚାରପତି ଶ୍ରୀ ମିଶ୍ର ଲୋକର୍ପଣ କରିବା ସହ ଭୁବନେଶ୍ୱରସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଜୁଡିସିଆଲ୍‌ କୋର୍ଟ କମ୍ପ୍ଲେକ୍ସ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ। ଏଥିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଗଣତନ୍ତ୍ରରେ ଆଇନ୍‌ର ଶାସନ ପାଇଁ ନ୍ୟାୟପାଳିକାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାର ଲୋକଙ୍କ ପାଖରେ ନ୍ୟାୟ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ସେଥି ପାଇଁ ପ୍ରତି ବର୍ଷ ନୂଆ କୋର୍ଟ ସ୍ଥାପନ କରାଯାଉଛି। ଗତ ୪ ବର୍ଷରେ ୧୭୦ କୋର୍ଟ ସ୍ଥାପନ ହୋଇସାରିଛି। ରାଜ୍ୟରେ ଆଉ ୫୦ଟି କୋର୍ଟ ସ୍ଥାପନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟରେ ଫ୍ୟାମିଲି କୋର୍ଟ ଓ ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ ରହିଛି। ଗରିବଙ୍କୁ ନ୍ୟାୟ ଦେବା ପାଇଁ ସରକାର ଯଥେଷ୍ଟ ନ୍ୟାୟିକ ଭିତ୍ତିଭୂମି ବଢ଼ାଇବାକୁ ପ୍ରକ୍ରିୟା ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ହାଇକୋର୍ଟର ମୁଖ୍ୟ ବିଚାରପତି ଭୀନିତ୍‌ ଶରନ୍‌, ଖୋର୍ଧା ଜିଲ୍ଲା ବିଚାରପତି ରାଧାଚରଣ ପଟ୍ଟନାୟକଙ୍କ ସମେତ ଓଡ଼ିଶା ହାଇକୋର୍ଟର ବିଚାରପତିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର