ବେସାହାରାଙ୍କ ସାହାରା ‘ପିପୁଲ ଫର‌୍‌ ସେବା’

ବାପା,ମା’ଙ୍କ ପାଇଁ ତା ପିଲାମାନେ ହେଉଛନ୍ତି ସବୁକିଛି। ତାର ଯତ୍ନଠାରୁ ଆରମ୍ଭ କରି ମଣିଷ କରିବା ପର୍ଯ୍ୟନ୍ତ ନିଜ କୋଳରେ ରଖେ। ପ୍ରତିବଦଳରେ ବୃଦ୍ଧା ବୟସରେ ବାପା,ମା’ ପିଲାଙ୍କଠାରୁ ଖୋଜିଥାନ୍ତି ଟିକେ ସ୍ନେହ ଓ ସାହାରା। କିନ୍ତୁ ସମୟ ବଦଳିଛି। ବଦଳିଯାଇଛି ବିଚାର। ବୟସର ଅପରାହ୍‌ଣରେ ପହଞ୍ଚୁଥିବା ପିତାମାତା ଆଜି ତାଙ୍କ ପାଇଁ ପାଲଟିଛନ୍ତି ଅଲୋଡ଼ା ଓ ଅସହାୟ। ସମାଜରେ ଏମିତି ଅନେକ ଉଦାହରଣ ଦେଖିବାକୁ ମିଳୁଥିବା ବେଳେ ଏ କ୍ଷେତ୍ରରେ ବ୍ୟତିକ୍ରମ ସାଜିଛନ୍ତି କିଛି ଛାତ୍ରଛାତ୍ରୀ।

ଆଜିକାଲିର ପିଲା ବାପା ମା’ଙ୍କୁ ବୋଝ ଭାବି ରାସ୍ତାକଡ଼କୁ ଠେଲି ଦେଉଛନ୍ତି। ପିଲାର ଆଖିରେ ଲୁହ ଦେଉ ନଥିବା ପିତା ମାତା ଆଜି କାନ୍ଦି କାନ୍ଦି ଘର ଛାଡ଼ୁଛନ୍ତି। ସେହି ଅସହାୟ ପିତାମାତାଙ୍କୁ କିଛି ଛାତ୍ରଛାତ୍ରୀ ନିଜର ପରିବାର ଭାବେ ହାତ ବଢେ଼ଇ କୋଳେଇ ନେଇ ସେମାନଙ୍କ ସେବା କରୁଛନ୍ତି। ଏହି ସେବା କରିବାରେ ନା ଅଛି ସେମାନଙ୍କ କିଛି ସ୍ବାର୍ଥ ନା ଅଛି ଆୟ। ନିଜ ପକେଟ ଖର୍ଚ୍ଚରୁ କିଛି ଟଙ୍କାର ସଞ୍ଚୟ ହିଁ ସେମାନଙ୍କ ମୁହଁରେ ହସ ଭରି ଦେଉଛି। ‘ପିପୁଲ ଫର‌୍‌ ସେବା’ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯାହା ଆଜି ଏହି ଛାତ୍ରଛାତ୍ରୀଙ୍କ ପରିଚୟ ପାଲଟିଛି।  ନିଜ ଖର୍ଚ୍ଚରୁ ସଞ୍ଚୟ କରି ଅସହାୟଙ୍କ ପାଇଁ ଖୋଲିଛନ୍ତି ଏକ ବୃଦ୍ଧାଶ୍ରମ। ସୁନ୍ଦରପଦାର ତ୍ରିଲୋଚନ ବିହାରଠାରେ ‘ହାପିହୋମ୍‌’ ନାମକ ଏକ ବୃଦ୍ଧାଶ୍ରମ ରହିଛି। ଯେଉଁଥିରେ ଆଜି ୮ଜଣ ଏପରି ବେସାହାରାଙ୍କ ପାଇଁ ସେମାନେ ପରିବାର ପାଲଟିଛନ୍ତି। ଏମାନେ ଏହି ସେବାରୁ ପାଉଛନ୍ତି ଖୁସି । ସେହି ଖୁସି ହିଁ ପାଲଟିଯାଏ ବଞ୍ଚିବାର ରାହା ବୋଲି କହିଛନ୍ତି ଅନୁଷ୍ଠାନର ସଭାପତି ସୁଦୀପ୍ତ ସାହୁ।

୧୪ରୁ ୧୫ ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରେ ଏବେ ପ୍ରାୟ ୨୦୦ ଜଣ ସ୍ବେଚ୍ଛାସେବୀ ଯୋଗ ଦେଲେଣି। ବସ୍ତି ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସବୁ ପ୍ରକାର ସେବା ଯୋଗାଉଥିବା ଛାତ୍ରମାନେ ଆଜି ସମାଜ ପାଇଁ ଉଦାହାରଣ ପାଲଟିଛନ୍ତି। ରାକ୍ତଦାନଠାରୁ ଆରମ୍ଭ କରି ଶିକ୍ଷାଦାନ, ପୋଷାକ ବଣ୍ଟନ, ପରିବେଶ ପ୍ରତି ଆହ୍ବାନ, ସ୍ବାସ୍ଥ୍ୟ ସେବା ସବୁଥିରେ ନିଜକୁ ନିମଗ୍ନ ରଖନ୍ତି। ପାଠ ପଢ଼ା ସହିତ ସମାଜ ପାଇଁ କିଛି କର୍ତ୍ତବ୍ୟ ରହିଛି। ଅନାଥ ଓ ବେସାହାରା ଲୋକଙ୍କ ମୁହଁରେ ହସ ଫୁଟାଇବା ହେଉଛି ଏହି ଅନୁଷ୍ଠାନର ମୂଳ ଉଦେଶ୍ୟ ବୋଲି କହିଛନ୍ତି ଅନୁଷ୍ଠାନର ଅଧୢକ୍ଷ ଆଦିତ୍ୟ ଦାସ। ହିମା˚ଶୁ ମହାରଣା, ସନ୍ତୋଷ ମହାରଣା ଆବଶ୍ୟକ ଲୋକଙ୍କୁ ରକ୍ତ ଯୋଗାଇବାର ଦାୟିତ୍ବ ହାତକୁ ନେଇଥିବା ବେଳେ ହରିହର ବେହେରା, ତ୍ରିଲୋଚନ ସାମଲ, ନିରଞ୍ଜନ ସାହୁ, ଆଲୋକ ପତି, ଲଳିତ ମାଧବ ଦାସ ପ୍ରମୁଖଙ୍କ ମିଳିତ ଉଦ୍ୟମରେ ଏହି ସ˚ସ୍ଥା ଚାଲୁଛି। ଆଗକୁ ନିଜ ପଇସାରେ ଘର ତିଆରି କରି ଏକ ବୃଦ୍ଧାଶ୍ରମ ଖୋଲିବାର ଯୋଜନା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର