ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ସହିଦ ବାଜି ରାଉତଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ବିଏମ୍ସି ପକ୍ଷରୁ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରିବା ସହ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହାସହ ଭୁବନେଶ୍ୱର ଠାରେ ଆମ ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଅନେକ ନାଗରିକ ଓ କାର୍ଯ୍ୟକର୍ତ୍ତାଙ୍କୁ ଅନ୍ଲାଇନ ମାଧ୍ୟମରେ ସଦସ୍ୟ କରାଇଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଥମେ ବୁଦ୍ଧଜୟନ୍ତୀ ପାର୍କରେ ’ମା' ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଜନସାଧାରଣ ଏବଂ ସ୍ୱେଚ୍ଛାସେବୀ ସଂଗଠନ ଗଛ ଲଗାଇବା ଖୁସିର ବିଷୟ ବୋଲି ସେ ସେଠାରେ କହିଥିଲେ। ଏହାପରେ ମନ୍ତ୍ରୀ ଚନ୍ଦ୍ରଶେଖରପୁର ମଙ୍ଗଳା ବସ୍ତିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟରେ ସାମିଲ ହୋଇଥିଲେ। ବିଏମ୍ସିର ଅନେକ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସାଥିରେ ସେ ଚା’ ପିଇଥିଲେ। ସମସ୍ତଙ୍କ ମିଳିତ ପ୍ରୟାସରେ ମନ୍ଦିରମାଳିନୀ ଭୁବନେଶ୍ୱର ଓ ଓଡ଼ିଶା ଆହୁରି ସରସ ସୁନ୍ଦର ହେବ ବୋଲି କେନ୍ଦ୍ରମନ୍ତ୍ରୀ ସେଠାରେ କହିଥିଲେ।
ସେହିପରି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ବିଜେପି ଉପରେ ଗରିବ, ମହିଳା, ଚାଷୀ ଓ ଯୁବଶକ୍ତିଙ୍କ ସମେତ ସବୁବର୍ଗର ଲୋକଙ୍କର ଭରସା ବଢୁଛି, ସେଥିପାଇଁ ଅଧିକରୁ ଅଧିକ ଯୁବାବର୍ଗ ଦଳର ସଦସ୍ୟ ହେଉଛନ୍ତି। ତେଣୁ ବିଜେପି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଛି। ସାଢେ ୪ କୋଟି ଓଡ଼ିଆଙ୍କ ସେବା କରିବା ଦିଗରେ ସମସ୍ତ କାର୍ଯ୍ୟକର୍ତ୍ତା କାମ କରିବାକୁ ସେ ଆହ୍ବାନ ଦେଇଥିଲେ। ବିଜେପି ପକ୍ଷରୁ ୧ କୋଟି ସଦସ୍ୟତା ଲକ୍ଷ୍ୟନେଇ ଆରମ୍ଭ ହୋଇଥିବା ଅଭିଯାନ ସଫଳ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର ଓ କମିସନର ରାଜେଶ ପ୍ରଭାକର ପାଟିଲ୍ ଉପସ୍ଥିତ ଥିଲେ।