ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜନସଂଖ୍ୟାର ଚାପ କମାଇବାକୁ ରାଜ୍ୟ ସରକାର ସହର ଉପକଣ୍ଠ ଅଞ୍ଚଳରେ ନୂଆ ସହର ଗଢ଼ିବାକୁ ଯୋଜନା କରୁଛନ୍ତି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଟିପି ଯୋଜନାରେ ଜମି ସଂଗ୍ରହ ପ୍ରକ୍ରିୟାରେ ଉପକଣ୍ଠରେ ଜନବସତି ସ୍ଥାପନ ପାଇଁ ଅତ୍ୟାଧୁନିକ ସୁବିଧା ଥିବା ସହର ତିଆରିରେ ଲାଗିଛନ୍ତି। କିନ୍ତୁ ପୂର୍ବରୁ ବିଡିଏ ଯେଉଁ କଲୋନି ସବୁ ରାଜଧାନୀ ଭିତରେ ଗଢ଼ିଥିଲା, ତାର ସ୍ଥିତି ଦେଖି ନୂଆ ସହରରେ ଯାଇ ରହିବାକୁ ଲୋକଙ୍କ ମଧ୍ୟରେ ଶଭ୍କା ସୃଷ୍ଟି ହେଲାଣି।  ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି, ତାହା ଲୋକଙ୍କ ବିଶ୍ବାସଭାଜନ ହୋଇପାରୁନି। ବିଡିଏ ଦ୍ବାରା ବିକଶିତ ଉଦୟଗିରିବିହାର କଲୋନି ଏହାର ଜ୍ବଳନ୍ତ ଉଦାହରଣ। ଏହି କଲୋନିର ଲୋକେ ୨୨ ବର୍ଷ ହେଲାଣି ନାଳ, ରାସ୍ତା ଆଦି ସମସ୍ୟାରେ ଦହଗଞ୍ଜ ହେଉଛନ୍ତି। ସବୁଠୁ ଅଧିକ ସମସ୍ୟା ସୃଷ୍ଟି କରିଛି ଡ୍ରେନେଜ୍ ବ୍ୟବସ୍ଥା। ନିଷ୍କାସନ ବାଟ ନ ଥିବାରୁ ବର୍ଜ୍ୟପାଣି ଜମି ରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଛି।

Advertisment

କଲୋନିବାସୀ ଏ ଉପରେ ବହୁବାର ବିଡିଏ ଓ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେଣି। ସବୁଠି କେବଳ ମିଛ ଆଶ୍ବାସନା ମିଳୁଛି। ଅଭିଯୋଗ ପରେ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁଛନ୍ତି, ସ୍ଥିତି ଦେଖୁଛନ୍ତି, କିନ୍ତୁ କାମ ଜିରୋ। 

ବିଡିଏ ଦ୍ବାରା ବିକଶିତ ଉଦୟଗିରିବିହାର ୨୦୦୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିଲା। ସେ ସମୟର ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ, ସମୀର ଦେ ପ୍ରମୁଖ ବି ଏଥିରେ ଯୋଗ ଦେଇଥିଲେ। ଏଠାରେ ବିଏମ୍‌ସି ୧୭୦ଟି ଏମ୍ଆଇଜି ଘର କରିଛି। ଯେଉଁଠି ଘର କ୍ରେତାମାନେ ସପରିବାର ରହି ଆସୁଛନ୍ତି। ବିଡିଏ ଏହି କଲୋନିକୁ ବିଏମ୍‌ସିକୁ ହସ୍ତାନ୍ତର କରି ସାରିଛି ଓ ବିଏମ୍‌ସି ଏବେ ଏହି କଲୋନି କଥା ବୁଝୁଛି। ଯେଉଁ ସମୟରେ ଏହି କଲୋନି ବିକଶିତ କରାଗଲା, ସେ ସମୟରେ ଅଧପନ୍ତରିଆ ଭାବେ ଘର କରି ହସ୍ତାନ୍ତର କରିଦିଆଗଲା। ପରେ କ୍ରେତାମାନେ ନିଜସ୍ବ ଖର୍ଚ୍ଚରେ ଘର ସଜାଡ଼ିଲେ। ସେପଟେ ରାସ୍ତା, ନାଳ ଏକ ମୌଳିକ ଆବଶ୍ୟକତା ଥିବା ବେଳେ ଏହାକୁ କେବଳ କାମଚଳା ଓ ଅଧପନ୍ତରିଆ ଭାବେ ଛାଡ଼ି ଦିଆଗଲା। ନାଳ ପାଣି କେଉଁ ବାଟ ଦେଇ ନିଷ୍କାସିତ ହେବ ଚିନ୍ତା କରାଗଲାନି। ଏଣୁ ନାଳପାଣି ନିଷ୍କାସନ ନ ହୋଇପାରି ସେହିଭଳି ଜମା ରହୁଛି। ସେପଟେ ୨୨ ବର୍ଷ ତଳର ଏହି ନାଳରେ ଥରୁଟିଏ ବି ସିମେଣ୍ଟ, ବାଲି ବୋଳା ହୋଇନି। ଏଣୁ ୨୨ ବର୍ଷ ତଳର ଏହି ନାଳ ଭାଙ୍ଗିଗଲାଣି। ଅନାବନା ଗଛ ନାଳକୁ ଆବୋରି ନେଲାଣି। ବଡ଼ ବଡ଼ ଗଛ ସବୁ ନାଳ ଭିତରେ ଉଠିଲାଣି। ନାଳ ଉପରେ ସ୍ଲାବ୍ ପଡ଼ିନଥିବାରୁ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ଘାରୁଛି। 

Untitled-10

ରାସ୍ତାଘାଟ କଥା ନ କହିବା ଭଲ। ଖଣ୍ଡିଆ ଖାବରା, ଖାଲଖମାରେ ରାସ୍ତାରେ ଲୋକେ ଯା’ଆସ କରୁଛନ୍ତି। ଉଦୟଗିରିବିହାର ଉନ୍ନୟନ ସଂଘର ବରିଷ୍ଠ ଉପଦେଷ୍ଟା ଚନ୍ଦ୍ରଶେଖର ରାଓ, ଗୌରାଙ୍ଗ ଚରଣ ପଣ୍ଡା, ଗୋବିନ୍ଦ ପ୍ରଧାନ, ବୈରାଗୀ ଚରଣ ସାହୁ, ସଭାପତି କପିଳ ସେଠୀ ପ୍ରମୁଖ କହିଛନ୍ତି, ଉଦୟଗିରିବିହାରର ନାଳ, ରାସ୍ତା ସମସ୍ୟା ସଂପର୍କରେ ଅନେକ ଥର ଆମେ ଲିଖିତ ଭାବେ ମେୟର, କମିସନର୍‌ଙ୍କୁ ଜଣାଇଛୁ। ଯେଉଁ ସମୟରେ ଅଭିଯୋଗ କରିଛୁ, ଯନ୍ତ୍ରୀମାନେ ଆସି କେବଳ ଲୋକ ଦେଖାଣିଆ ଭାବେ ଅଞ୍ଚଳ ବୁଲି ପଳାଉଛନ୍ତି। କିନ୍ତୁ କାମ ଘର ଶୂନ୍। ସବୁଠୁ ନିରାଶ ପରେ ନିଜ ଭାଗ୍ୟକୁ ଆଦରି ପଡ଼ିଛୁ। ସବୁଠୁ ବଡ଼ ସମସ୍ୟା ନାଳ ଓ ରାସ୍ତା। ବର୍ଷା ହେଲେ ସ୍ଥିତି  ଦୟନୀୟ ହୋଇ ଉଠୁଛି। ଏ ଦିଗରେ ବିଏମ୍‌ସି ଗୁରୁତ୍ବର ସହ ବିଚାର କରିବାକୁ ସମସ୍ତେ ଦାବି କରିଛନ୍ତି। ବିଏମ୍‌ସି ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ବେହେରା କହିଛନ୍ତି, ଆଇଆଇଟି ରୁର୍‌କୀ ଦ୍ବାରା ସଂପୃକ୍ତ ଅଞ୍ଚଳ ଡ୍ରେନେଜ ବ୍ୟବସ୍ଥାର ସର୍ଭେ କରାଯାଉଛି। ସର୍ଭେ ଶେଷ ପରେ ଆଇଆଇଟି ଆମକୁ ଡିପିଆର ଦେବ। ଡିପିଆର୍ ଚୂଡ଼ାନ୍ତ ପରେ କାମ ହେବ। କାମ ଆରମ୍ଭ ହେଲା ବେଳକୁ ଆହୁରି ୮ ମାସ ଲାଗିଯିବ। ୨୦୨୬ ଜୁନ୍‌ରୁ କାମ ଆରମ୍ଭ ହୋଇପାରେ ବୋଲି ଶ୍ରୀ ବେହେରା କହିଛନ୍ତି।

Untitled-11