ରାଜଭବନ ଉଦ୍ୟାନରେ ରବିବାରିଆ ଭିଡ଼, ରେକର୍ଡ ସଂଖ୍ୟକ ପର୍ଯ୍ୟଟକ

ଭୁବନେଶ୍ବର: ରାଜଭବନ ପୁଷ୍ପ ଉଦ୍ୟାନ ଆଜି ଜନ ସମୁଦ୍ର ପାଲଟିଥିଲା। ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ, ହରିଣ ପାର୍କ, ଆକ୍ବାରିୟମ ଓ ଫାଉଣ୍ଟେନ୍‌ର ଆକର୍ଷଣ ରାଜଧାନୀ ବ୍ୟତୀତ ଆଖପାଖ ଅଞ୍ଚଳରୁ ମଧ୍ୟ ଲୋକଙ୍କୁ ଟାଣି ଆଣିଥିଲା। ଆଜି ରବିବାର ଛୁଟି ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ସବୁ ରେକର୍ଡକୁ ଅତିକ୍ରମ କରିଯାଇଥିଲା। ଆଜି ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଯାହା ସର୍ବକାଳୀନ ରେକର୍ଡ ଥିଲା।

ଆଜି ସ୍ଥିତି ଏମିତି ହେଲା ଯେ ବାହାରେ ହଜାର ହଜାର ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍‌ ଯୋଗୁଁ ସମସ୍ତଙ୍କ ପରିଚୟପତ୍ର ଦେଖି ଭିତରକୁ ପ୍ରବେଶ କରାଇବା ସମ୍ଭବ ହୋଇପାରି ନ ଥିଲା। ପର୍ଯ୍ୟଟକମାନେ ଯେଭଳି ସୁରୁଖୁରୁରେ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ରାଜଭବନ ପରିସର ବୁଲି ଦେଖିପାରି‌ବେ, ସେଥିପାଇଁ ଶେଷରେ ବିନା ପରିଚୟପତ୍ରରେ ବି ଅନେକଙ୍କୁ ପ୍ରବେଶ କରାଯାଇଥିଲା। ଭିଡ଼ ଏତେ ହୋଇଥିଲା ଯେ ଆଜି ଜଣେ ଛୋଟ ପିଲାଟିଏ ପରିସରରେ ବୁଲିବା ବେଳେ ହଜି ଯାଇଥିଲା। ପରିସରରେ କାନ୍ଦୁଥିବା ବେଳେ ପୁଲିସ୍‌ ପିଲାଟିକୁ ଉଦ୍ଧାର କରିଥିଲା। କିଛି ସମୟ ପରେ ତା’ର ବାପା ମା’ ଆସି ପିଲାଟିକୁ ନେଇଥିଲେ। ଶନିବାର ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ୩୯ କିସମର ଫୁଲ ସାଙ୍ଗକୁ ରଙ୍ଗିନ ଆଲୁଅମାଳା ମଧ୍ୟ‌ରେ ଜଳ ଫୁଆରାର ନୃତ୍ୟ ଏବଂ ପଲପଲ ହରିଣଙ୍କ ଧାଁ ଧଉଡ଼ର ଦୃଶ୍ୟକୁ ମନଭରି ଉପଭୋଗ କରିଥିଲେ ହଜାର ହଜାର ପର୍ଯ୍ୟଟକ। ସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କ ପାଇଁ ରବିବାର ବ୍ୟତୀତ ସକାଳ ସାଢ଼େ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଉଦ୍ୟାନ ଖୋଲା ରହୁଥିବା ବେ‌ଳେ ସର୍ବସାଧାରଣଙ୍କ ପାଇଁ ଦିନ ୨ଟାରୁ ଉଦ୍ୟାନ ‌ବୁଲିବାର ସୁଯୋଗ ରହିଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର