ବସ୍ତିରେ ଲୋକଙ୍କୁ ଡାକି ଦିଆଯାଉଛି ଟିକା, ୧୩.୯୨ ଲକ୍ଷ ଡୋଜ୍‌ ଟିକା ଦିଆଗଲାଣି

ଭୁବନେଶ୍ବର: ରାଜଧାନୀରେ ଟିକାକରଣ ଏବେ ଜୋରଦାର୍‌ ଚାଲିଥିବାବେଳେ ବିଏମ୍‌ସି ସବୁ ବର୍ଗ ଓ ସବୁ ଶ୍ରେଣୀର ଲୋକଙ୍କୁ ଫୋକସ୍ କରିଛି। ଅଧିକରୁ ଅଧିକ ବସ୍ତି ଲୋକ ଯେପରି ଟିକା ନେଇପାରିବେ ସେଥିପାଇଁ ବିଏମ୍‌ସି ପକ୍ଷରୁ ବସ୍ତିରେ ବିଭିନ୍ନ ଶିବିର ଆୟୋଜନ କରି ଟିକା ଦିଆଯାଉଛି। କମ୍ୟୁନିଟି ଅର୍ଗାନାଇଜର୍, ୱାର୍ଡ ଅଫିସର, ଅନ୍ୟାନ୍ୟ ଅଧିକାରୀମାନେ ଘରକୁ ଘର ବୁଲି ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରୁଛନ୍ତି।

ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ରେ ୱାର୍ଡ-୪୧ରେ ପ୍ରେସ୍‌ କଲୋନିରେ ବସ୍ତି ବାସିନ୍ଦାଙ୍କ ପାଇଁ ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଇଛି। ଏଠାରେ ରିକ୍ସା କଲୋନି, ଶାନ୍ତିନଗର, ମସ୍‌ଜିଦ୍‌ କଲୋନି, ମାଳିସାହି, ପିଡବ୍ଲ୍ୟୁଡି କଲୋନି ଅଞ୍ଚଳର ବାସିନ୍ଦାଙ୍କ ସମେତ ବସ୍ତି ବାସିନ୍ଦାଙ୍କୁ ଘରୁ ଡାକି ଟିକା ଦିଆଯାଇଛି। ରାଜଧାନୀରେ ଯେପରି କେହି ବିନା ଟିକାରେ ରହିବେନି ସେଥିପାଇଁ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନ ଏବେ ଜୋର୍‌ ଧରିଛି।

ସେହିପରି ଉତ୍ତର ଜୋନ୍‌ରେ ଥିବା ରାଜଧାନୀର ସବୁଠୁ ବଡ଼ ବସ୍ତି ସାଲିଆସାହିର ବାସିନ୍ଦାଙ୍କ ପାଇଁ ଲୟୋଲା ସ୍କୁଲରେ ସ୍ବତନ୍ତ୍ର ଶିବିର ଆୟୋଜନ କରି ମାସାଧିକ କାଳ ହେଲା ଟିକାକରଣ ଚାଲିଛି। ଏଠାରେ ୱାର୍ଡ ୧୬, ୨୬, ୨୦ ଏବଂ ୨୧ର ‌ବାସିନ୍ଦାଙ୍କୁ ଟିକା ଦିଆଯାଉଛି। ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ସାଁପୁର ଗ୍ରାମାଞ୍ଚଳରେ ଟିକାକରଣ ଅଭିଯାନ ଜୋରଦାର୍‌ କରାଯାଇଛି। ଏଠାରେ ସାଁପୁର ଗାଁ, ପଣ୍ଡାକୁଡ଼ିଆ, ନୂଆଗାଁ ପାର୍ଟ ଏବଂ କଳିଙ୍ଗନଗର ଅଞ୍ଚଳରେ ଥିବା ବାସିନ୍ଦା ଓ ବସ୍ତିବାସିନ୍ଦାଙ୍କ ପାଇଁ ଟିକାକରଣ ଜୋରଦାର୍‌ ଚାଲିଛି।

ଏହାବାଦ୍ ପ୍ରେସ୍‌ କଲୋନି ବିଦ୍ୟାଳୟ, ଆଇଗିଣିଆ କମ୍ୟୁନିଟି ସେଣ୍ଟର, ବୁଦ୍ଧେଶ୍ବରୀ କଲୋନି କମ୍ୟୁନିଟି ସେଣ୍ଟର, ଭିଏସ୍‌ଏସ୍‌ ନଗର କଲ୍ୟାଣ ମଣ୍ଡପ, ୟୁନିଟ-୮ କଲ୍ୟାଣ ମଣ୍ଡପ ସମେତ ବିଭିନ୍ନ ବିଦ୍ୟାଳୟ ପ୍ରାଙ୍ଗଣରେ ଟିକାକରଣ କେନ୍ଦ୍ର ଆ‌ୟୋଜନ କରାଯାଇଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଆଜି ସୁଦ୍ଧା ରାଜଧାନୀରେ ୧୩ଲକ୍ଷ ୯୨ହଜାର ୭୫ଜଣଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇଛି। ଏଥିରୁ ୮ଲକ୍ଷ ୯୩ହଜାର ୮୭୮ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବାବେଳେ ୪ଲକ୍ଷ ୯୮ହଜାର ୧୯୭ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି।

ସମ୍ବନ୍ଧିତ ଖବର