ଭୁବନେଶ୍ବର: ୮ ମାସ ତଳୁ ପଳାଶୁଣୀସ୍ଥିତ ବୃହତ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଛି। କିନ୍ତୁ ଏବେ ଯାଏଁ ଉଦ୍‌ଘାଟନ ହୋଇପାରି ନଥିଲା। ତେଣୁ ଆଜି ମନ୍ତ୍ରୀ ଓ ସରକାରୀ କର୍ମଚାରୀଙ୍କ ବିନା ଉପସ୍ଥିତିରେ ‘ସୈନିକ ସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟା‌ଅ ଅଭିଯାନ’ ପକ୍ଷରୁ ନଡ଼ିଆ ବାଡ଼େଇ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରାଯାଇଛି। କାର୍ଯ୍ୟକ୍ରମ‌ରେ ରାଜ୍ୟ ସରକାର ଓ ବିଏମ୍‌ସି ତରଫରୁ କୌଣସି ପଦାଧିକା‌ରୀ ଉପସ୍ଥିତ ନଥି‌ଲେ। ଏହି ଘଟଣାଟି ଆଜି ରାଜଧାନୀରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଅଭିଯାନ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱର ସହରର ଦୈନିକ ପ୍ରାୟ ୩୫୦ ମେଟ୍ରିକ୍ ଟନ୍ ଶୁଖିଲା ଓ କଞ୍ଚା ଅଳିଆ ସୈନିକ ସ୍କୁଲ ଅଳିଆଗଦାକୁ ଯାଉଛି। ସେଥିପାଇଁ ସେହି ଅଞ୍ଚଳରେ ପ୍ରାୟ ଦଶ କିମି ପରିଧିରେ ଦୁର୍ଗନ୍ଧ ସହ ଲୋକଙ୍କ ପାଇଁ ବଞ୍ଚିବା ଦୁର୍ବିସହ ହୋଇ ପଡ଼ିଛି। ଏନେଇ ବହୁବାର ଆନ୍ଦୋଳନ କରାଯାଇ ଆସୁଛି। ‌ତେଣୁ ସମସ୍ତ ଶୁଖିଲା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ସହ ସହରବାସୀଙ୍କୁ ଆବର୍ଜନା ଜନିତ କଷ୍ଟରୁ ମୁକ୍ତି ଦେବାକୁ ପଳାଶୁଣୀ ଠାରେ ବୃହତ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ପ୍ରକଳ୍ପ ସ୍ଥାପନ କରାଯାଇଛି। କିନ୍ତୁ ଆଠ ମାସ ହେଲା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଉପଯୋଗୀ ହୋଇସାରିଛି। ଦୈନିକ ୧୫୦ ମେଟ୍ରିକ୍ ଟନ୍ ଶୁଖିଲା ଅଳିଆ ସେଠାରେ ପ୍ରକ୍ରିୟାକରଣ ହୋଇପାରିବ। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମସ୍ତ ମେସିନ ସ୍ଥାପନ ସହ ସବୁ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି। ମାତ୍ର ସରକାରଙ୍କ ଅବହେଳା ପାଇଁ କେବଳ ଉଦ୍‌ଘାଟନ ଅପେକ୍ଷାରେ ରହିଥିଲା। ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଗାଡ଼କଣ ଅଳିଆଗଦାରୁ ପ୍ରାୟ ୫୦% ଅଳିଆ କମିଯିବ। ଫଳରେ ଭୁବନେଶ୍ୱରର ଅଧା ଅଞ୍ଚଳର ମୌଳିକ ସମସ୍ୟା ଲାଘବ ହେବ। ଗାଡ଼କଣ ଅଳିଆ ଗଦା ଚତୁଃପାର୍ଶ୍ବର ଦଶ କିମି ବ୍ୟାସାର୍ଦ୍ଧ ଅଞ୍ଚଳବାସୀ ଦୁର୍ଗନ୍ଧରୁ ମୁକ୍ତି ପାଇବେ। ଯେହେତୁ ବର୍ଷାଦିନ ଆସୁଛି ଯଦି ଏବେ କାର୍ଯ୍ୟକ୍ଷମ ନ କରିବେ ତାହେଲେ ଏହା ଭୁବନେଶ୍ୱର ପାଇଁ ଏକ ବଡ଼ ସମସ୍ୟା ହୋଇପାରେ। ତେଣୁ ଆଜି ଲୋକଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଚାପ ପ୍ରୟୋଗ କରାଯାଇଛି ବୋଲି ସୈନିକ ସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଓ ଅଭିଯାନ ପକ୍ଷରୁ କୁହାଯାଇଛି। 

ନଡ଼ିଆ ବାଡ଼େଇ ଆରମ୍ଭ କଲା ‘ସୈନିକ ସ୍କୁଲ ବଞ୍ଚାଅ ଓ଼ ଅଳିଆ ଗଦା ହଟାଅ ଅଭିଯାନ’

ଏହାର ଉଦ୍‌ଘାଟନରେ ଉପସ୍ଥିତ ରହିବା ପାଇଁ ଅଭିଯାନ ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ମେୟର ସୁଲୋଚନା ଦାସ, ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମ‌ାନେ କେହି ଯୋଗଦାନ କରିନଥିଲେl ତେଣୁ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ସହ ନେଇ ଆସନ୍ତାକାଲି ଠାରୁ ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ନଚେତ ଆସନ୍ତା ମଙ୍ଗଳବାର ଦିନ ସୈନିକ ସ୍କୁଲ ଅଳିଆଗଦା ଭିତରକୁ ଗୋଟିଏ ଗାଡ଼ି ଛଡ଼ାଯିବ ନାହିଁ ବୋଲି ଅଭିଯାନର ସଦସ୍ୟ ବାସୁଦେବ ଭଟ୍ଟ ଚେତାବନୀ ‌‌ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅଭିଯାନର ସଦସ୍ୟ ପ୍ରତାପ ରାଉତରାୟ, ଚିନ୍ତାମଣି ବାରିକ, ଦିଲ୍ଲୀପ ଦାଶଶର୍ମା, ଅଶୋକ ପାଇକରାୟ, ପ୍ରସନ୍ନ ବିଶୋଇ, ରିଙ୍କୁ ସାମନ୍ତରାୟ, ଅଶୋକ ପାଲଟାସିଂହ, ଭିକ୍ଷାକାରୀ ତ୍ରିପାଠୀ, ପ୍ରଦୀପ ପରିଡ଼ା, ଗୋବିନ୍ଦ ବେହେରା, ଯୋଗୀ ମହାରଣା, ନିରୁପମା ପାତ୍ର, ଶଙ୍କର୍ଷଣ ବାରିକ, ନିମେଇଁ ଚରଣ ଦାସ, ସଞ୍ଜୟ ମଲ୍ଲିକ, ତାପସ ଦାସ, ଭୀମସେନ ଜେନା, ସୁବ୍ରତ ସାହୁ, ମେଘନା ମିଶ୍ର, ଦୀନବନ୍ଧୁ ଦାସ ଗୁରୁ, ଧାଇଁଆ ବାବୁ, ପ୍ରତାପ ସାହୁ, ରଶ୍ମିତା ସାହୁ, ସତ୍ୟବ୍ରତ ମହାନ୍ତି, ନରେନ୍ଦ୍ର ବିଶ୍ୱାଳ, ପରମ ମାଣିକ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ସ୍ଥାନୀୟ କର୍ପୋରେଟର ମୀନୁଶ୍ରୀ ଖୁଣ୍ଟିଆ କହିଛନ୍ତି, ଆଜି ଉଦ୍‌ଘାଟନ ନେଇ ତାଙ୍କୁ କୌଣସି ସୂଚନା‌ ଦିଆଯାଇ ନଥିଲା। କାହିଁକି ୮ ମାସ ହେବ ଏହାକୁ ଉଦ୍‌ଘାଟନ କରାଯାଇନାହିଁ ସେ ଜାଣି ନାହାନ୍ତି ବୋଲି କହିଛନ୍ତି।