ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଏଟିଭିଏମ୍‌ ଥାଇ ମଧ୍ୟ ଟିକେଟ୍‌ ପାଇଁ ଲାଗୁଛି ଲମ୍ବା ଲାଇନ୍‌, ମାସକୁ ମାତ୍ର ବିକ୍ରି ହେଉଛି ୬ଟି କାର୍ଡ

ଭୁବନେଶ୍ୱର : ସ୍ମା‌ର୍ଟ ସିଟିରେ ସ୍ମାର୍ଟ ବ୍ୟବସ୍ଥା ଭେଟିଦିଆଯିବ। ଲୋକେ ଆଉ ଟ୍ରେନ୍‌ ଟିକେଟ୍‌ ପାଇଁ କାଉଣ୍ଟର ଆଗରେ ଧାଡ଼ି ବାନ୍ଧି ଛିଡ଼ା ହେବେ ନାହିଁ। ବରଂ ସ୍ମାର୍ଟ କାର୍ଡ ଜରିଆରେ ଲୋକେ ମେସିନ୍‌ରେ ଟିପ ଚଳାଇ ଟିକେଟ୍‌ କିଣିନେବେ। ଏଇ ଉଦ୍ଦେଶ୍ୟ ନେଇ ୨୦୧୧ ମସିହାରେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ସ୍ଥାପନ ହୋଇଥିଲା ଅଟୋମେଟିକ୍‌ ଟିକେଟ୍‌ ଭେଣ୍ଡିଂ ମେସିନ୍‌ (ଏଟିଭିଏମ୍‌)। ଦୀର୍ଘ ୮ ବର୍ଷ ହେବ ଏହା ସ୍ଥାପିତ ହେଲାଣି। ତଥାପି ଯାତ୍ରୀମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ‌ଟିକେଟ୍‌ ନେଉଛନ୍ତି। ସଚେତନତାର ଅଭାବ ଏବଂ ସ୍ମାର୍ଟ ବ୍ୟବସ୍ଥା ପ୍ରତି ଲୋକଙ୍କ ଭରସା ରହୁ ନ ଥିବାରୁ ଏହି ଏଟିଭିଏମ୍‌ ବ୍ୟବସ୍ଥାର ସଫଳ ରୂପାୟନ ହୋଇପାରି ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କେବଳ ଯେ ଜଣେ କାର୍ଡ କିଣିଥିବା ବ୍ୟକ୍ତି ଏହି ସ୍ଥାନରୁ ଟିକେଟ୍‌ ନେଇପାରିବ ସେକଥା ନୁହେଁ। ବରଂ ଏହି ସ୍ମାର୍ଟ ଟିକେଟ୍‌ ବିକ୍ରି ବ୍ୟବସ୍ଥାକୁ ସରଳ କରିବା ପାଇଁ ସିକ୍ୟୁରିଟି ପର୍ସନେଲ୍‌ ଏହାର ସଂଚାଳନ କରୁଛନ୍ତି। ତେଣୁ ଲୋକେ ‌ଟିକେଟ୍‌ କାଉଣ୍ଟର ଆଗରେ ଧାଡ଼ି ନ ବାନ୍ଧି ଏହି ଏଟିଭିଏମ୍‌ ମେସିନ୍‌ର ପରିଚାଳନା କରୁଥିବା ବ୍ୟକ୍ତିଙ୍କଠାରୁ ଚଟାପଟ ଟିକେଟ୍‌ କିଣିପାରିବେ। ବ୍ୟବସ୍ଥାର ଏତେ ସରଳୀକରଣ ପରେ ବି ଏଟିଭିଏମ୍‌ ଲୋକଙ୍କ ବିଶ୍ବାସଭାଜନ ହୋଇ ପାରି ନାହିଁ। ଆଉ ଏକ ବିଶେଷତ୍ବ ହେଉଛି ଯେଉଁମାନେ ନିୟମିତ ଓଡ଼ିଶା ମଧ୍ୟରେ ଯାତ୍ରା କରୁଛନ୍ତି, ସେମାନଙ୍କ ପାଇଁ ଏଟିଭିଏମ୍‌ ବହୁତ ଉପାଦେୟ। ଅର୍ଥାତ ଏହି କାର୍ଡ ଜରିଆରେ ଜଣେ ଟିକେଟ୍‌ ମୂଲ୍ୟରେ ୩ ପ୍ରତିଶତ ରିହାତି ପାଇପାରେ। ଏହି କାର୍ଡର ପରିଚାଳନା ମଧ୍ୟ ବହୁତ ସରଳ। ନିର୍ଧାରିତ ସ୍ଥାନରେ କାର୍ଡଟିକୁ ରଖି ଓଡ଼ିଆ, ହିନ୍ଦୀ କିମ୍ବା ଇଂରାଜୀ ଯେ କୌଣସି ଭାଷା ଚୟନ କରି ଲୋକେ କେଉଁଠାକୁ ଯିବେ ସେ ସ୍ଥାନରେ ଟିପ ରଖି ଟିକେଟ୍‌ ନିଜେ ହାତେଇ ପାରିବେ। ଏହି କାର୍ଡ ପାଇଁ ମଧ୍ୟ ବିଶେଷ କସରତ କରିବାକୁ ପଡ଼େ ନାହିଁ କି କୌଣସି ପ୍ରମାଣପତ୍ରର ଆବଶ୍ୟକତା ପଡ଼େ ନାହିଁ। ଜଣେ ଅନ୍ୟୂନ ୩୦ ଟଙ୍କାରୁ ନେଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଏହି କାର୍ଡରେ ରିଚାର୍ଜ କରି ଓଡ଼ିଶା ମଧ୍ୟରେ ଯେକୌଣସି ସ୍ଥାନକୁ ଯିବା ବେଳେ ଏଟିଭିଏମ୍‌ ମେସିନ୍‌ ଜରିଆରେ ଟିକେଟ୍‌ କିଣିପାରିବ। ଏତେ ସୁବିଧା ଯୋଗାଇ ଦେବା ପରେ ବି ଏହି ‌ବ୍ୟବସ୍ଥା ଲୋକାଦୃତ ହୋଇପାରୁ ନାହିଁ।

ଏନେଇ ଭୁବନେଶ୍ବର ରେଳ ଷ୍ଟେସନ୍‌ର ଚିଫ୍‌ ବୁକିଂ ସୁପରଭାଇଜର ସୁମନ ରୟ କହିଛନ୍ତି ଯେ ମାସକୁ ମାତ୍ର ୫ରୁ ୬ଟି ଏଟିଭିଏମ୍‌ କାର୍ଡ ବିକ୍ରି ହେଉଛି। ତେବେ ଭୁବନେଶ୍ବରରେ ସ୍ଥାପିତ ୬ଟି ଏଟିଭିଏମ୍‌ ମେସିନ୍‌ ନିକଟରେ ରହୁଥିବା ୯ ଏଜେଣ୍ଟ୍‌ଙ୍କ ଜରିଆରେ ଦୈନିକ ୨ହଜାରରୁ ଅଧିକ ଟିକେଟ୍‌ ବିକ୍ରି ହେଉଛି। ଏହି କାର୍ଡ କିଣିବା ମାତ୍ରେ କିମ୍ବା ରିଚାର୍ଜ କରିବା ମାତ୍ରେ ହିଁ ଜଣଙ୍କ କାର୍ଡରେ ୩ ପ୍ରତିଶତ ଅଧିକ ଟଙ୍କାର ରିଚାର୍ଜ କରିଦିଆଯାଏ। ୨ ନମ୍ବର କାଉଣ୍ଟରରେ ଏହା ଉପଲବ୍ଧ ହେଉଥିବା ବେଳେ ଏଥିପାଇଁ କବେଳ ନାମ ଓ ମୋବାଇଲ୍‌ ନମ୍ବର ଦେବାକୁ ପଡ଼େ। ଏହି କାର୍ଡର ଅବଧି ବର୍ଷେ ଥିଲେ ହେଁ, ଏହାକୁ ରିଚାର୍ଜ କରୁଥିଲେ ଅବଧି ବଢ଼ିବଢ଼ି ଚାଲିବ ବୋଲି ଶ୍ରୀ ରୟ କହିଛନ୍ତି। ଅନ୍ତତଃ ନିୟମିତ ଯାତ୍ରୀମା‌ନେ ଏଥିରୁ ସୁଫଳ ପାଇପାରନ୍ତେ। ଅଥଚ ସଚେତନତା ଅଭାବରୁ ତାହାର ବି ସଫଳ ରୂପାୟନ ହୋଇପାରୁନାହିଁ।

ଏଟିଭିଏମ୍‌ କାର୍ଡ ବ୍ୟବହାର ହୁଏ କିପରି

ସଂରକ୍ଷଣ ଟିକେଟ୍‌ ବ୍ୟତୀତ ଏହି ଏଟିଭିଏମ୍‌ କାର୍ଡ ଜରିଆରେ ପାସେଞ୍ଜର, ମେଲ୍‌/ଏକ୍ସପ୍ରେସ୍‌, ସୁପରଫାଷ୍ଟ୍‌ ଟ୍ରେନ୍‌ରେ ଯାତ୍ରା ପାଇଁ ଦ୍ବିତୀୟ ଶ୍ରେଣୀ ଅସଂରକ୍ଷିତ ଟିକେଟ୍‌ କିଣାଯିବାର ବ୍ୟବସ୍ଥା ରହିଛି। ଏଥିପାଇଁ ଜଣେ ବ୍ୟକ୍ତିକୁ ଚିଫ୍ ବୁକିଂ ସୁପରଭାଇଜର (ସିବିଏସ୍‌) କାର୍ଯ୍ୟାଳୟରୁ ଏହି କାର୍ଡ କିଣିବାକୁ ପଡ଼େ। କାର୍ଡ ପାଇଁ ଜଣଙ୍କୁ ଅନ୍ୟୂନ ୫୦ ଟଙ୍କାର ସିକ୍ୟୁରିଟି ମନି ସହ ୫୦ ଟଙ୍କା ରିଚାର୍ଜ କରିବାକୁ ପଡ଼େ। ଏବେ ଜଣେ ୧୫୦ ଟଙ୍କା ଅବା ୨ଶହ ଟଙ୍କା ଦେଇ ଏହି କାର୍ଡ କିଣିବାର ବନ୍ଦୋବସ୍ତ ରହିଛି। ସବୁଠୁ ବଡ଼ କଥା ହେଉଛି ଜଣେ, ୨ଶହ ଟଙ୍କା ରିଚାର୍ଜ କଲେ ତା’ କାର୍ଡରେ ୨୦୬ ଟଙ୍କା ଅର୍ଥାତ ୩ ପ୍ରତିଶତ ଅଧିକ ଟଙ୍କା ରିଚାର୍ଜ ହୋଇଯାଏ। ତେବେ କାର୍ଡଧାରୀମାନେ ହିଁ କେବଳ ଏହି ରିହାତି ପାଇପାରନ୍ତି।

ସମ୍ବନ୍ଧିତ ଖବର