ଆବର୍ଜନା ପୃଥକ୍‌ କରୁନାହାନ୍ତି ଆପାର୍ଟମେଣ୍ଟରେ ରହୁଥିବା ଲୋକେ, କିନ୍ନର କରିବେ ସଚେତନ

ରାତିଅଧିଆ ରାସ୍ତାକଡ଼ରେ ଗଦାଇ ଦେଉଛନ୍ତି, ନ ସୁଧୁରିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ବାରମ୍ବାର ସଚେତନ କରାଯିବା ପରେ ବି ଲୋକ ଚେତୁନାହାନ୍ତି। ଆବର୍ଜନାକୁ ଓଦା, ଶୁଖିଲା ବର୍ଗରେ ପୃଥକ୍‌ କରୁନାହାନ୍ତି କି ବିଏମ୍‌ସି ଗାଡ଼ିରେ ଦେଉନାହାନ୍ତି। ବିଶେଷକରି ସହରରେ ଥିବା ଆପାର୍ଟମେଣ୍ଟଗୁଡ଼ିକରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଆପାର୍ଟମେଣ୍ଟରେ ରହୁଥିବା ଲୋକ ରାତିଅଧିଆ ରାସ୍ତାକଡ଼ରେ ଆବର୍ଜନା ଗଦାଇ ଦେଉଛନ୍ତି। ଏଥିଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲାଣି। ଏଣୁ ଆପାର୍ଟମେଣ୍ଟ ବାସିନ୍ଦାଙ୍କୁ ସଚେତନ କରିବା ପାଇଁ ବିଏମ୍‌ସି କିନ୍ନରମାନଙ୍କ ସହାୟତା ଲୋଡ଼ିଛି।

ଫେବ୍ରୁଆରି ୧ତାରିଖରୁ କିନ୍ନରମାନେ ଆପାର୍ଟମେଣ୍ଟର ଫ୍ଲାଟ୍‌ରୁ ଫ୍ଲାଟ୍‌କୁ ବୁଲି ଲୋକଙ୍କୁ ଏ ଦିଗରେ ସଚେତନ କରାଇବେ। ଆବର୍ଜନାକୁ ଓଦା ଓ ଶୁଖିଲା ବର୍ଗରେ ପୃଥକ୍‌ କରି ବିଏମ୍‌ସି ଗାଡ଼ିରେ ଦେବା ପାଇଁ ପରାମର୍ଶ ଦେବେ। ଏହା ପରେ ମଧ୍ୟ ବ୍ୟବସ୍ଥାରେ ସୁଧାର ନ ଆସିଲ‌େ, ଆପାର୍ଟମେଣ୍ଟଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ଚେତାବନୀ ଦେଇଛି। ଏ ସଂପର୍କରେ ଆଜି କିନ୍ନର ମହାସଂଘ ସହ ବିଏମ୍‌ସିର ଏକ ବୈଠକ ଅନୁଷ୍ଠିତ ହୋଇଛି। କେଉଁ ଆପାର୍ଟମେଣ୍ଟକୁ ଯିବେ? କେମିତି ସଚେତନ କରାଇବେ? କେମିତି ସମ୍ପୃକ୍ତ ବାସିନ୍ଦାଙ୍କ ରେକର୍ଡ ରଖିବେ? ସେ ନେଇ କିନ୍ନର ସଂଘର ବରିଷ୍ଠ ସଦସ୍ୟଙ୍କୁ ବିଏମ୍‌ସିର ଅଧିକାରୀମାନେ ବୁଝାଇଛନ୍ତି।

DNA India

ପ୍ରାଥମିକ ପର୍ଯ୍ୟାୟରେ ବିଏମ୍‌ସି ୩ ଶହ ଆପାର୍ଟମେଣ୍ଟକୁ ଚିହ୍ନଟ କରିଛି। ୩ଟି ଜୋନ୍‌ରେ ୩ଟି ସ୍ବତନ୍ତ୍ର କିନ୍ନର ସ୍କ୍ବାଡ୍‌ ସମ୍ପୃକ୍ତ ଜେଡ୍‌ଡିସିଙ୍କ ନେତୃତ୍ବରେ ଚିହ୍ନିତ ଆପାର୍ଟମେଣ୍ଟଗୁଡ଼ିକ ବୁଲି ସଚେତନ କରାଇବେ। ପୂର୍ବରୁ ହୋଲ୍ଡିଂଟ୍ୟାକ୍ସ ଆଦାୟ ଓ ପାର୍କିଂ ଫି’ ଆଦାୟରେ କିନ୍ନରମାନେ ବେଶ୍ ସଫଳ ହୋଇଛନ୍ତି। ଏଣୁ ଏଥିରେ ମଧ୍ୟ ସଫଳତା ମିଳିବ ବୋଲି ଡେପୁଟି କମିସନର ଶୁଭେନ୍ଦୁ ସାହୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଏମ୍‌ସିର ୨୩ଟି ମାଇକ୍ରୋ କମ୍ପୋଷ୍ଟ୍ ସେଣ୍ଟର (ଏମସିସି) ଓ ୮ଟି ଆବର୍ଜନା ପୃଥକୀକରଣ କେନ୍ଦ୍ର(ଏମ୍ଆର୍‌ଏଫ୍) କାର୍ଯ୍ୟକ୍ଷମ ଅଛି। କିନ୍ତୁ ଏମସିସିକୁ ଧାର୍ଯ୍ୟ ଲକ୍ଷ୍ୟର ୫୦-୬୦ ପ୍ରତିଶତ ଅଳିଆ ଆସୁଛି। କେତେକ ଜାଗାରେ ୭୦ରୁ ୮୦ ପ୍ରତିଶତ ଆସୁଛି। ଶହେ ପ୍ରତିଶତ ଅଳିଆ ଏମସିସିକୁ ଆଣିବା ପାଇଁ ଯୋଜନା ହେଉଛି। ଏଣେ ସ୍ବଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଅତି କମ୍‌ରେ ୩ ନମ୍ବର ରୢାଙ୍କ୍ ନ ପାଇଲେ କେନ୍ଦ୍ରୀୟ ଅନୁଦାନ ବନ୍ଦ ହୋଇଯିବା ଚେତାବନୀ ଥିବାରୁ ବିଏମ୍‌ସିର ନିଦ ହଜିଛି।

ସମ୍ବନ୍ଧିତ ଖବର