ଭୁବନେଶ୍ବର: ବିଏମ୍ସି ପକ୍ଷରୁ ଯେତେ ସଚେତନ କଲେ ବି ଲୋକେ ସୁଧୁରୁନାହାନ୍ତି। ଦୁଇଟି ଡଷ୍ଟବିନ୍ରେ ଓଦା ଶୁଖିଲା ଆବର୍ଜନାକୁ ପୃଥକ ରଖି ସଫେଇ ଗାଡ଼ିରେ ଦେଉନାହାନ୍ତି। ଏଣୁ ଆବର୍ଜନା ପରିଚାଳନା କରିବାରେ ବିଏମ୍ସି ନୟାନ୍ତ ହେଉଛି। ଏମିତିକି ମୋଟା ଅଙ୍କର ଜରିମାନା ପରେ ମଧ୍ୟ ଲୋକେ ସୁଧୁରୁନାହାନ୍ତି। ତେଣୁ ଏଣିକି ଲୋକଙ୍କ ଦାବି ଅନୁୁସାରେ ସଫେଇଗାଡ଼ି ଦିନକୁ ଦୁଇଥର ଘରପାଖକୁ ଯିବ ବୋଲି ବିଏମ୍ସି ଘୋଷଣା କରିଛି। ଆଜି ଏକ ଭିଡିଓ ବାର୍ତ୍ତାରେ କମିସନର ବିଜୟ ଅମୃତା କୁଲାଙ୍ଗେ ଏହା କହିଛନ୍ତି। ଆବର୍ଜନା ଅଲଗା ଅଲଗା ନ ଦେଲେ ୫ଶହ ଓ ଦୁଇଟି ଡଷ୍ଟବିନ୍ ନ ରଖିଲେ ୫ ହଜାର ଲୋଖାଏଁ ଜରିମାନା ଧାର୍ଯ୍ୟ ହୋଇଛି ଓ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏଣୁ ଜନସାଧାରଣ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି।
କମିସନରଙ୍କ କହିବା କଥା ହେଲା, ଆବର୍ଜନା ଅଲଗା ଅଲଗା ନ ଆସିଲେ ଏହାକୁ ପରିଚାଳନା କରିବା କାଠିକର ପାଠ ହେଉଛି। ନିୟମିତ ପରିଚାଳନା ନ ହେଲେ ଆବର୍ଜନା ପରିମାଣ ବଢ଼ି ଯାଉଛି। ଏଣୁ ଏଭଳି ପୁରୁଣା ଅଭ୍ୟାସ ଜାରି ରହିଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ତା ପୂର୍ବରୁ ଲୋକଙ୍କୁ ସଚେତନ ହେବାକୁ ହେବ। ଲୋକମାନଙ୍କ ଉପରେ ଏଥର କଡ଼ା ନଜର ରହିବ। ଲୋକମାନେ ମଧ୍ୟ ସଫେଇବାଲା ଗାଡ଼ି ଉପରେ ନଜର ରଖନ୍ତୁ। ଯଦି ଉଚିତ୍ ସମୟରେ ଯାଉ ନାହିଁ କିମ୍ବା ଅନ୍ୟ କଣ ସମସ୍ୟା ରହୁଛି ତାହା ତୁରନ୍ତ ଜଣାନ୍ତୁ। କୌଣସି ପରିସ୍ଥିତିରେ ପରିମଳ ବ୍ୟବସ୍ଥାରେ ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି। ଏହି ଭିଡିଓ ଟ୍ବିଟ୍ ହେବା ପରେ କମିସନରଙ୍କୁ ଲୋକମାନେ ଟ୍ରୋଲ୍ କରିଛନ୍ତି। ଅନେକ ଜାଗାରେ ଏବେ ଦିନକୁ ଥରେ ଆବର୍ଜନା ସଂଗ୍ରହ ହେଉନାହିଁ। ଏବେ ଦିନକୁ ଦୁଇଥର କେମିତି କରିବେ ବୋଲି ଅନେକ ପ୍ରଶ୍ନ କରିଛନ୍ତି। ବିଏମ୍ସି ପାଖରେ ପର୍ଯ୍ୟାପ୍ତ ପରିମାଣର ଗାଡ଼ି ନାହିଁ। ଗାଡ଼ି ଯେତିକି ଚାଳକ ସେହି ଅନୁପାତରେ ନାହାନ୍ତି। ଦିନକୁ ଦୁଇଥର ଆବର୍ଜନା ସଂଗ୍ରହ କଲେ ଅଧିକ ଗାଡ଼ି ଓ ଚାଳକଙ୍କ ଆବଶ୍ୟକତା ପଡ଼ିବ। ଏଥିପାଇଁ ବିଏମ୍ସି ପ୍ରସ୍ତୁତ ଅଛି ତ? ଏହି ଭିତ୍ତିଭୂମି କେବେ ପ୍ରସ୍ତୁତ ହେବ? ଭିତ୍ତିଭୂମି ନଥାଇ ଏହାକୁ କିଭଳି ସମ୍ଭବ କରାଯିବ? ପୂର୍ବ ଘୋଷଣା ଭଳି ଏହି ଘୋଷଣା ମଧ୍ୟ କେବଳ ଘୋଷଣାରେ ରହିଯିବନି ତ ବୋଲି ଅନେକେ ପ୍ରଶ୍ନ କରିଛନ୍ତି।