ଭୁବନେଶ୍ବର : କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବେ ଗୋଷ୍ଠୀ ସହ‌ଯୋଗ ଲୋଡ଼ିଲେଣି। ବାହାରୁ ଆସୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ପଡ଼ୋଶୀମାନେ ଆଗେଇ ଆସିବାକୁ ଆହ୍ବାନ ଦିଆଗଲାଣି। ମାତ୍ର ଚେନ୍ନାଇରୁ ଭୁବନେଶ୍ବର ଦେଇ କୋଲକାତା ଯାଉଥିବା ଯୁବକଙ୍କ ସାଇକେଲ୍‌ ଚକା ଲିକ୍‌ ହୋଇଯାଇଥିଲେ ବି ତାକୁ ସଜାଡ଼ିବାକୁ ଦୋକାନୀ ମନା କରିଦେଇଥିଲେ। ଗୋଟିଏ ନୁହେଁ, ପାହାଳରୁ ଫୁଲନଖରା ବାଟରେ ୩ଟି ଦୋକାନକୁ ଯାଇ ଦୁଇ ବନ୍ଧୁ ଚକା ଲିକ୍‌ କରିବାକୁ କାକୁତି ମିନତି ହୋଇଥିଲେ। ହେଲେ ସମସ୍ତେ ଘଉଡ଼ାଇ ଦେଇଥିଲେ।

Advertisment

ଚେନ୍ନାଇରୁ ୪ ଯୁବକ ନିଜ ଘର କୋଲକାତାସ୍ଥିତ ଆମତୋଲାକୁ ଯାଉଥିଲେ। ଗୋଟେ ସାଇକେଲ୍‌ରେ ଦୁଇଜଣ ୧୨ଶହ କିଲୋମିଟର ଆସିବା ପରେ ତାଙ୍କ ଟ୍ୟୁବ୍‌ ଫାଟି ଯାଇଥିଲା। ଲିକ୍‌ ମାରିଥିଲେ ପୁଣି ସେମାନେ ସାଇକେଲ୍‌ ଚଢ଼ି କଟକ-ବାଲେଶ୍ବର ରାସ୍ତା ଦେଇ ଯାଇଥାଆନ୍ତେ। ହେଲେ ବାଟରେ କୌଣସି ଦୋକାନୀ ସହଯୋଗ କରୁ ନଥିବା ଶୁଣି ସମାଜସେବୀ କଲ୍ୟାଣ ତାଙ୍କ ସାଙ୍ଗରେ ଯାଇଥିଲେ। ସେ ଫୁଲନଖରାରୁ ଗୋପାଳପୁର ମଧ୍ୟରେ ୩ଜଣ ଗାଡ଼ି ମରାମତି କରୁଥିବା କାରିଗରଙ୍କୁ ଲିକ୍‌ ମାରିଦେବା ପାଇଁ ଅନୁରୋଧ କରିଥିଲେ। ମାତ୍ର ତାଙ୍କ କଥା ମଧ୍ୟ କେହି ଶୁଣିନଥିଲେ। ଫଳରେ ସେମାନେ ଭୁବନେଶ୍ବରରୁ କଟକ ଚାଲିଚାଲି ଯାଇଥିଲେ ବୋଲି କଲ୍ୟାଣ କହିଛନ୍ତି। କେବଳ ଏତିକି ନୁହେଁ, ବିଜୟୱାଡ଼ାରୁ ଗୋରଖପୁର ଅଭିମୁଖେ ସାଇକେଲ୍‌ରେ ଯାଉଥିବା କିଛି ଲୋକେ କୁଆଖାଇ ନଦୀ ଦେଖି ସେଠାରେ ଗାଧୋଇବା ପାଇଁ ବାହାରିଲେ। ଦୀର୍ଘ ବାଟ ଅତିକ୍ରମ କରିଥିବାରୁ ଦେହ ଝାଳ ହୋଇଯାଇଥିବାରୁ ଗାଧୋଇବେ ବୋଲି ନଦୀ ମଧ୍ୟକୁ ଯାଇଥିଲେ। ମାତ୍ର ନଦୀ ନିକଟରେ ଥିବା କିଛି ଲୋକ ତାଙ୍କୁ ଗାଧୋଇବାକୁ ଦେଲେ ନାହିଁ। ସେମାନେ ବାହାରୁ ଆସିଥିବାରୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ତାଙ୍କୁ ବାରଣ କରାଯାଇଥିଲା।