ଖଣ୍ଡଗିରି: ଡୁମୁଡୁମା ହାଉସିଂବୋର୍ଡ ଅଞ୍ଚଳରେ ଚାଲିଥିବା ସରକାରୀ ଜମି ଜବରଦଖଲ ଏବେ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଏଥିପାଇଁ ବହୁ କଲ୍ୟାଣମୂଳକ ସରକାରୀ ଯୋଜନା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ତେଣୁ କିଛି ପ୍ରଭାବଶାଳୀ ଲୋକମାନଙ୍କ ଦ୍ବାରା ଚାଲିଥିବା ଜବରଦଖଲ ଆଗାମୀ ସାଧାରଣ ନିର୍ବାଚନରେ ଆଞ୍ଚଳିକ ଭିତ୍ତିରେ ଏକ ବଡ଼ ପ୍ରସଙ୍ଗ ହେବ ବୋଲି ଚର୍ଚ୍ଚା ଜୋର୍ ଧରିଛି।
ସୂଚନାନୁସାରେ, ଡୁମୁଡୁମା ହାଉସିଂବୋର୍ଡ ଫେଜ୍-୧ରେ ନିର୍ମାଣ ହେବାକୁ ଥିବା ପାର୍କ ଏଭଳି ଜବରଦଖଲ ଯୋଗୁଁ ଲଟକି ରହିଛି। ପାର୍କ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର ଓ ଟେଣ୍ଡର ପ୍ରକ୍ରିୟା ସରିଥିଲେ ମଧ୍ୟ ପ୍ରସ୍ତାବିତ ଜମିର କିଛି ଅଂଶ ଜବରଦଖଲ ହୋଇଥିବାରୁ କାମ ଆରମ୍ଭ ହୋଇପାରୁ ନଥିବା ଅଭିଯୋଗ ହେଉଛି। ସେହିଭଳି ଏହି ହାଉସିଂବୋର୍ଡ କଲୋନିର ଫେଜ୍-୫ରେ ପ୍ରସ୍ତାବିତ କମ୍ୟୁନିଟି ହଲ୍ ଅବସ୍ଥା ମଧ୍ୟ ଅନୁରୂପ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏହି ପ୍ରସ୍ତାବିତ ଜମିରୁ କିଛି ଅଂଶ ମାଡ଼ି ବସିଥିବାରୁ ଏହି କାମ ପଡ଼ି ରହିଛି। ଜବରଦଖଲକାରୀମାନେ ରାଜନୈତିକ ପୃଷ୍ଠଭୂମିର ହୋଇଥିବାରୁ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିଭଳି ହାଉସିଂବୋର୍ଡ ଛକରୁ ଡୁମୁଡୁମା ଗାଁକୁ ଲମ୍ବିଥିବା ରାସ୍ତା ପାର୍ଶ୍ବରେ ବହୁ ଜମିକୁ ଜବରଦଖଲକାରୀମାନେ ପ୍ଲଟିଂ କରି ବିକି ଦେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ସଂଲଗ୍ନ ଜମିରେ ମଧ୍ୟ ଜବରଦଖଲ ହୋଇଛି ଓ ଏହାକୁ ନେଇ ସମ୍ପୃକ୍ତ କାର୍ଯ୍ୟାଳୟ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ସ୍ଥାନୀୟ ଲୋକଙ୍କ କହିବା କଥା ଏହି ଜବରଦଖଲକାରୀମାନଙ୍କୁ ଭୋଟ୍ ବେଳେ ଜବାବ୍ ଦିଆଯିବ। ସେମାନେ ଯେଉଁ ନେତାଙ୍କ ସହ ଭୋଟ୍ ମାଗିବାକୁ ଆସିବେ, ସେହି ନେତାଙ୍କୁ ଜବାବ୍ ମଗାଯିବ। କିଛି ସାଧାରଣ ଲୋକଙ୍କ କହିବା କଥା ଏହାକୁ ସେମାନେ ନିର୍ବାଚନ ସମୟରେ ଏକ ପ୍ରସଙ୍ଗ କରିବେ। ତେବେ ଏ ନେଇ ବିଡିଏର ଜଣେ ଅଧିକାରୀଙ୍କ କହିବା କଥା, ଭୁବନେଶ୍ବରରେ ଏମିତି ବହୁ ସ୍ଥାନରେ ସରକାରୀ ଜମି ଜବରଦଖଲ ହୋଇରହିଛି। ଅଭିଯୋଗ ପାଇବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସରକାରୀ ଜମି ଜବରଦଖଲମୁକ୍ତ କରାଯାଇଛି। ଏହା ଏକ ନିୟମିତ ପ୍ରକ୍ରିୟା। ତେଣୁ ଡୁମୁଡୁମା ଅଞ୍ଚଳରେ ମଧ୍ୟ ଅଭିଯୋଗ ହୋଇଥିବା ସରକାରୀ ଜମି ସବୁକୁ ସମୟ ଅନୁସାରେ ପ୍ରଶାସନମୁକ୍ତ କରିବ। ଏଥିପାଇଁ କୌଣସି ସରକାରୀ ଯୋଜନା ବା ଜନକଲ୍ୟାଣକାରୀ କାର୍ଯ୍ୟ ଅଟକି ରହିବ ନାହିଁ।