ବିଏମ୍‌ସିର ଦ୍ୱାରସ୍ଥ ହେଲେ ଅଧିବାସୀ

ଆବାସିକ ଅଞ୍ଚଳରେ କୁକୁର ଫାର୍ମ ଓ ପ୍ରଜନନ କେନ୍ଦ୍ର

ଚନ୍ଦ୍ରଶେଖରପୁର : ଆବାସିକ ଅଞ୍ଚଳରେ କୁକୁର ଫାର୍ମ ଓ ପ୍ରଜନନ କେନ୍ଦ୍ର। ଏହି କାରଣରୁ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ନୀଳାଦ୍ରିବିହାର ସେକ୍ଟର-୫ର ଅଧିବାସୀବୃନ୍ଦ। ବେଆଇନ ଭାବରେ କରାଯାଇଥିବା କୁକୁର ପ୍ରଜନନ କେନ୍ଦ୍ରକୁ ନେଇ ଅତିଷ୍ଠ ହୋଇପଡ଼ିଛନ୍ତି ଏଠିକାର ବାସିନ୍ଦା। ଏହି ଫାର୍ମ ଫଳରେ ଏଠିକାର ବରିଷ୍ଠ ନାଗରିକ ତଥା ଛୋଟ ପିଲା ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆବାସିକ ଅଞ୍ଚଳରେ ଏପରି ସଂସ୍ଥା କରିବାର ଅନୁମତି ନଥିଲେ ସୁଦ୍ଧା ଏହି କୁକୁର ପ୍ରଜନନ କେନ୍ଦ୍ର ଫଳରେ ରାସ୍ତାରେ ଚାଲିବା ମୁସ୍କିଲ୍‌ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି ନୀଳାଦ୍ରିବିହାର ସେକ୍ଟର-୫ ରେସିଡେଣ୍ଟ୍‌ସ େଓ୍ଵଲ୍‌ଫେୟାର୍‌ ଆସୋସିଏସନ୍‌। ଏନେଇ ଆସୋସିଏସନ୍‌ ପକ୍ଷରୁ ବିଏମ୍‌ସି ଉତ୍ତର ଜୋନ୍‌ କମିସନରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି କେନ୍ଦ୍ର ଫଳରେ ସ୍ଥାନୀୟ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ବିଏମ୍‌ସି ପକ୍ଷରୁ ସଂପୃକ୍ତ ଘର ମାଲିକଙ୍କୁ ଓଡ଼ିଶା ମୁନିସିପାଲ କର୍ପୋରେସନ୍‌ ଆକ୍ଟ୍‌-୨୦୦୩ ଆଧାରରେ ନୋଟିସ୍‌ ଜାରି କରାଯାଇଛି। ଖୁବ୍‌ଶୀଘ୍ର ବିଏମ୍‌ସିର ଏକ ଟିମ୍‌ ଏହାର ସରଜମିନ୍‌ ତଦନ୍ତ କରିବା ନେଇ ଉତ୍ତର ଜୋନ୍‌ କମିସନର ସୂଚନା ଦେଇଛନ୍ତି। ଆଇନ୍‌ ଉଂଲଘନ ହୋଇଥିଲେ ସଂପୃକ୍ତ ଘର ମାଲିକ ଓ କେନ୍ଦ୍ରର ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଦଣ୍ଡିତ ମଧ୍ୟ କରାଯାଇପାରେ ବୋଲି ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ କୌଣସି ଆବାସିକ ଅଞ୍ଚଳରେ ବିଧିବଦ୍ଧ ଅନୁମତି ନନେଇ ଏପରି ପ୍ରାଣୀ ପ୍ରଜନନ କେନ୍ଦ୍ର ସ୍ଥାପନା କରାଯାଇପାରିବା ନାହିଁ।

ସମ୍ବନ୍ଧିତ ଖବର