ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଜଧାନୀବାସୀ, ପ୍ରଥମ ଦିନରେ ୨୪୬ଜଣ

ପୁରୁଣା ଭୁବନେଶ୍ବର : ଦୀର୍ଘ ୯ମାସ ପରେ ଆଜି ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି ରାଜଧାନୀବାସୀ। ଡିସେମ୍ବର ୨୭ ତାରିଖରୁ ମନ୍ଦିର ଖୋଲିଥିଲେ ହେଁ କେବଳ ସେବାୟତ ଓ ସେବାୟତଙ୍କ ପରିବାରବର୍ଗ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। କିନ୍ତୁ ଆଜି ରାଜଧାନୀବାସୀ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ଲଭିଥିଲେ। ପ୍ରଥମ ଦିନରେ ୨୪୬ଜଣ ଶ୍ରଦ୍ଧାଳୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରି ଶ୍ରୀଜିଉଙ୍କୁ ଦର୍ଶନ କରିଥିବା ଜଣାଯାଇଛି।

ଶ୍ରଦ୍ଧାଳୁମାନେ ମନ୍ଦିର ନିକଟରେ ହୋଇଥିବା ବ୍ୟାରିକେଡ୍‌ରେ ଆସି ପ୍ରଥମେ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଇଥିଲେ। ଜୋତାଷ୍ଟାଣ୍ଡରେ ଜୋତା ରଖିବା ପରେ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ପରେ ହାତ ସାନିଟାଇଜ୍‌ କରି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ପ୍ରବେଶ ବେଳେ ପାନ, ଗୁଟ୍‌ଖା ଖାଇବା ବାରଣ କରାଯାଇଥିଲା। ଶ୍ରଦ୍ଧାଳୁମାନେ ମୁହଁରେ ମାସ୍କ ପିନ୍ଧିବା ସହ ପରସ୍ପର ମଧ୍ୟରେ ୬ ଫୁଟ୍‌ର ଦୂରତା ବଜାୟ ରଖିଥିଲେ। ମନ୍ଦିରରେ ପ୍ରବେଶ କରିବା ପରେ ଆଡ଼କାଠ ନିକଟରୁ ଠାକୁରଙ୍କୁ ଦର୍ଶନ କରିଥିଲେ। ଏହି ସବୁ କାର୍ଯ୍ୟ ସୁରୁଖୁରୁରେ ହେଉଛି କି ନାହିଁ, ବିଏମ୍‌ସି ଅତିରିକ୍ତ କମିସନର୍‌ ଅବନୀକାନ୍ତ ପଟ୍ଟନାୟକ, ସହକାରୀ କମିସନର୍‌ କମଲଜିତ ଦାସ, ଜୋନାଲ ଡେପୁଟି କମିସନର୍‌ ଅଂଶୁମାନ ରଥ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଓ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ତଦାରଖ କରିଥିଲେ।

ବାହାରିଲେ ଦୁଇ ପଜିଟିଭ୍‌: ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଏକ ଦମ୍ପତି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିଲେ। ସେମାନଙ୍କ ପ୍ରକୃତ ଘର ବାରିପଦା ଅଞ୍ଚଳରେ। ତେବ‌େ ଆଣ୍ଟିଜେନ୍‌ ଟେଷ୍ଟରୁ ସେମାନଙ୍କ ରିପୋର୍ଟ ପଜିଟିଭ୍‌ ବାହାରିଥିଲା। ସେତେବେଳେ ସେଠାରେ ଉପସ୍ଥିତ ଅନ୍ୟ ଶ୍ରଦ୍ଧାଳୁ ଛାନିଆ ହୋଇଯାଇଥିଲେ। ପରେ ପ୍ରଶାସନର ପରାମର୍ଶକ୍ରମେ ଦମ୍ପତି ସେଠାରୁ ପଳାଇ ଯାଇଥିଲେ। ଏହି ଘଟଣା ଆଜି ଆଲୋଚ୍ୟର ବିଷୟ ହୋଇଥିଲା।

ଭୋର୍‌ରୁ ଉତ୍ତେଜନା: ଆଜି ଭୋର୍‌ରେ ମନ୍ଦିର ଚାରିପଟେ ବ୍ୟାରିକେଡ୍‌ କରାଯାଇଥିବା ବେଳେ ସେବାୟତଙ୍କ ଯିବା ରାସ୍ତା ମଧ୍ୟ ସିଲ୍‌ ହୋଇଯାଇଥିଲା। ମହାଖଳା ପଟୁ ରାସ୍ତା ବାଉଁଶରେ ସିଲ୍‌ ହୋଇଥିଲା। ଭୋର୍‌ ପ୍ରାୟ ୫ଟାରେ ପାଳିଆ ସେବାୟତ ମନ୍ଦିରକୁ ପ୍ରବେଶ ବେଳେ ଏହା ଦେଖି ଫେରି ଯାଇଥିଲେ। ଫଳରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଆଶଙ୍କା ଉପୁଜିଥିଲା। ଘଟଣାସ୍ଥଳରେ ଅନ୍ୟ ସେବାୟତ ଓ ସୁପରଭାଇଜର୍‌ ପହଞ୍ଚି ତୁରନ୍ତ ବ୍ୟାରିକେଡ୍‌ ଖୋଲିବାକୁ ପୁଲିସକୁ କହିଥିଲେ। ବ୍ୟାରିକେଡ୍‌ ଖୋଲା ଯିବାରୁ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର