ରାଜଧାନୀର ଅଲୋଡ଼ା ମଣିଷ : ଶୀତରାତିରେ…ରାସ୍ତାକଡ଼ରେ…

ପାରଦ ଖସୁଛି। ପଡ଼ିଲାଣି ଶୀତ। ରାତିରେ ରାଜଧାନୀର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସି ଯାଉ ଥିବାରୁ ପଦାରେ ରହିବା ସାଧାରଣ ଲୋକଙ୍କ ଲାଗି ମୁସ୍କିଲ ହୋଇପଡ଼ୁଛି। ଶୀତର ପ୍ରକୋପ ସହ ପ୍ରବଳ କାକର ବି ପଡ଼ୁଛି। ମାତ୍ର ଏଭଳି ପ୍ରତିକୂଳ ପରିସ୍ଥିତିରେ ବି ରାଜଧାନୀର ରାସ୍ତାପାର୍ଶ୍ୱରେ ରାତି କାଟୁଛନ୍ତି କିଛି ଅଲୋଡ଼ା ମଣିଷ । ବାସହୀନଙ୍କ ଲାଗି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରରେ ୭ଟି ବାସସ୍ଥଳୀ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା କାମରେ ଆସୁନି। ବାସସ୍ଥଳୀ ଥାଇ ମଧ୍ୟ ସେଠାକୁ ଲୋକେ ଯାଉନାହାନ୍ତି। ବରଂ ରାଜଧାନୀ ରାସ୍ତାକଡ଼ରେ ସେମିତି ପଡ଼ି ରହୁଛନ୍ତି। ରବିବାର ରାଜଧାନୀର ରାତି ପରିଖିବା ସମୟରେ ଏଭଳି କିଛି ଦୃଶ୍ୟ ସାଉଁଟିଥିଲା ‘ସମ୍ବାଦ’। ରିପୋର୍ଟ: କେଶବ, ଫଟୋ: ବିଭୂତି

ରବିବାର ରାତି ପ୍ରାୟ ୧୨ଟା ୧୫ ହେବ। ପ୍ରଥମେ ଆମେ ପହଞ୍ଚିଥିଲୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ। ଶୂନଶୂନା ଶୀତ ରାତିରେ ବସ୍‌ ଚଳାଚଳ ବନ୍ଦ ଥିଲା। ବାହାରେ ବସିବାକୁ ଥିବା ସ୍ଥାନରେ ଶୋଇଥିଲେ ୩୦ରୁ ଅଧିକ ଲୋକ। ସେମାନଙ୍କ ମଧ୍ୟରେ ମହିଳା ବି ଥିଲେ। ନିକଟସ୍ଥ ଫାଣ୍ଡିର ଜଣେ ଅଧିକାରୀଙ୍କ ସମେତ ସହରାଞ୍ଚଳ ବାସସ୍ଥଳୀ ସୁରକ୍ଷା ଦାୟିତ୍ୱରେ ଥିବା କର୍ମୀ ବୁଲୁଥିଲେ। ବାସସ୍ଥଳୀରେ ମହିଳା ଓ ପୁରୁଷଙ୍କ ଲାଗି ପ୍ରାୟ ୧୫ଟି ଶଯ୍ୟା ଥିବାବେଳେ ରହିଥିଲେ ମାତ୍ର ୮ ଜଣ। ଏପଟେ ବସ୍‌ଷ୍ଟାଣ୍ଡରେ ମହିଳାଙ୍କ ଲାଗି ଥିବା ବିଶ୍ରାମାଗାରରେ ତାଲା ଝୁଲୁଥିଲା। ପୁରୁଷଙ୍କ ଲାଗି ବିଶ୍ରାମଗାର ହିଁ ନ ଥିଲା।

ସୁରକ୍ଷା କର୍ମୀଙ୍କ କହିବାନୁଯାୟୀ ସକାଳ ୭ଟାରୁ ରାତି ୯ଟା ଯାଏ ଏହି ମହିଳା ବିଶ୍ରାମାଗାର ଖୋଲା ରହେ। ଏହାପରେ ତାଲା ପଡ଼େ। ଯେଉଁମାନେ ବାସସ୍ଥଳୀରେ ରହନ୍ତି ସେମାନଙ୍କ ପାଇଁଁ ପରିଚୟପତ୍ର ଲୋଡ଼ା। ନ ହେଲେ ରହିବାକୁ ଦିଆଯିବନି। ଲୋକେ ବାହାରେ ଶୋଇଲେ ବି ଆମେ କିଛି କରିପାରିବୁ ନାହିଁ।

ଏହାପରେ ଆମେ ଚାଲିଲୁ ଘାଟିକିଆରେ ଥିବା ବାସସ୍ଥଳୀକୁ। ସେତେବେଳକୁ ରାତି ପ୍ରାୟ ୧୨ଟା ୪୫। ସେଠାରେ ସୁରକ୍ଷା କର୍ମୀ ନ ଥିଲେ। ୧୫ ମିନିଟ୍‌ ଧରି ଗ୍ରିଲ୍‌ ବାଡେଇବା ପରେ ୩ ଜଣ ମହିଳା ଭିତର ଗ୍ରିଲ୍‌ ନିକଟରେ ଦେଖାଦେଲେ। କିଛି ସମୟ ପରେ ଜଣେ ଯୁବକ ଆସି ଆମ ସହ ଗ୍ରିଲ୍‌ ନିକଟରେ କଥା ହେଲେ। ସେ କହିଲେ ରାତି ୧୧ଟା ୩୦ ପରେ କାହାରିକୁ ପ୍ରବେଶ ଲାଗି ଅନୁମତି ଦିଆଯିବନି। ପୁଲିସ ଯଦି କାହାକୁ ଉଦ୍ଧାର କରି ଆଣିବ ତେବେ ଆମେ ରଖିବୁ। ୫୦ ଶଯ୍ୟା ଅଛି। ଆଜି ୩୬ ଜଣ ରହିଛନ୍ତି। ଅନେକ ସମୟରେ ଶଯ୍ୟା ଖାଲି ରହୁଛି। ଲୋକ ଆସୁନାହାନ୍ତି। ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି। ହେଲେ ସୁରକ୍ଷା କର୍ମୀ ଜଣକ ଆଜି ଅଧାରୁ ପଳାଇ ଯାଇଛନ୍ତି।

ଆଉ ଏକ ବିଶ୍ରାମସ୍ଥଳୀ ଅଭିମୁଖେ ବାହାରି ପହଞ୍ଚିଥିଲୁ କାର୍ଗିଲ୍‌ ବସ୍ତିରେ। ସେଠାରେ ବି ସୁରକ୍ଷା କର୍ମୀ ନ ଥିଲେ। ୨୫ ମିନିଟ୍‌ ଧରି ଗ୍ରିଲ୍‌ ବାଡେଇଥିଲେ ମଧ୍ୟ କେହି ଶୁଣି ନ ଥିଲେ କି ଆସି ନ ଥିଲେ। ରାତିରେ ଯଦି କୌଣସି ବ୍ୟକ୍ତି ଏଠାରେ ରହିବାକୁ ଆସନ୍ତି ତେବେ ସେ କିଭଳି ରହିବେ ସେ ପ୍ରଶ୍ନ ଆମକୁ ଆନ୍ଦୋଳିତ କଲା।

ରାତି ପ୍ରାୟ ୨ଟା ୩୫ ବେଳକୁ ଆମେ ପହଞ୍ଚିଥିଲୁ ମାଳିସାହିରେ ଥିବା ଆଶ୍ରୟସ୍ଥଳୀରେ। ଏଠାରେ ବାହାର ପରିବେଶ ଏଭଳି ଥିଲା ଯେ ସେଠି ଠିଆ ହେବା କଷ୍ଟକର ହୋଇପଡ଼ିଥିଲା। କୁଢ଼କୁଢ଼ ଆବର୍ଜନା ଜମା ହୋଇଥାଏ। ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା ସମଗ୍ର ଅଞ୍ଚଳ। ୨ରୁ ୩ ଦିନ ଧରି ସେଠାରୁ ଆବର୍ଜନା ଉଠି ନ ଥିବା ସ୍ଥାନୀୟ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର କୁଅଁର କହିଥିଲେ। ଏଠି ବି ସୁରକ୍ଷା କର୍ମୀ ନ ଥିଲେ। ଆଶ୍ରୟସ୍ଥଳୀକୁ କାଁ ଭାଁ ଲୋକ ଆସୁଛନ୍ତି ବୋଲି ସେ କହିଥିଲେ।

ଏ ତ ଗଲା ବାସସ୍ଥଳୀର ଦୃଶ୍ୟ। ରାସ୍ତା କଡ଼ର ଦୃଶ୍ୟ ଥିଲା ଅତି କରୁଣ। ବାସସ୍ଥଳୀରେ ଶଯ୍ୟା ଖାଲି ପଡ଼ିଥିବା ବେଳେ ରାଜଧାନୀର ରାସ୍ତାପାର୍ଶ୍ୱରେ ଶୋଇଥିଲେ ଶତାଧିକ ଲୋକ। ବରମୁଣ୍ଡା ବସଷ୍ଟାଣ୍ଡରୁ ପୁରୁଣା ଭୁବନେଶ୍ୱର ହେଉ ଅଥବା ଅଶୋକ ନଗରରୁ ଚନ୍ଦ୍ରଶେଖରପୁର। ସବୁଠି ଲୋକେ ଖୋଲା ଆକାଶ ତଳେ ରାତି କାଟୁଥିଲେ।

ରାତି ପ୍ରାୟ ୧ଟା ୨୫ ବେଳେ ଆମେ ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚିଥିଲୁ। ମନ୍ଦିର ଚାରିପାଖରେ ୨୦ରୁ ୩୦ ମିଟର ଦୂରରେ ଜଣେ ଲେଖାଏ ଶୋଇଥିଲେ। କିଏ ଗଛ ମୂଳ ତ ଆଉ କିଏ ଦୋକାନ ବାରଣ୍ଡାରେ। ରାତି ୨ଟା ୧୫ ବେଳକୁ ଅଶୋକ ନଗରରେ ପହଞ୍ଚିଲା ବେଳକୁ ଦୁଇଟି ପରିବାରର ୭ ଜଣ ନିଆଁ ଜାଳି ବସିଥିଲେ। ଦିନରେ କାମ କରି ଆସି ବିଶ୍ରାମ ନେଇଥିଲେ। ହେଲେ ଶୀତ ହେଉଥିବାରୁ ଶୋଇପାରି ନ ଥିଲେ। ବାସସ୍ଥଳୀକୁ କାହିଁକି ଯାଉନାହାନ୍ତି ବୋଲି ପଚାରିବାରୁ ସେମାନେ କହିଲେ ସେଇଟା କ’ଣ? କୋଉଠି ଅଛି? ଆମେ ଜାଣିନୁ। ଦିନରେ ମୂଲ ଲାଗୁଛୁ ଏଠାରେ ରାତି କାଟୁଛୁ।

ବାବୁରେ… କମ୍ବଳ ଗୋଟାଏ ଦଉନୁ…

‘ବାବୁରେ ପ୍ରବଳ ଶୀତ ହେଉଛି। ଶୋଇ ହେଉନି। କମ୍ବଳ ଆଣିଛୁ କି? ଗୋଟାଏ ଦଉନୁ…। ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚିବା ବେଳେ ଏଭଳି ଜଣେ ବୃଦ୍ଧା ଶାନ୍ତି ପଣ୍ଡାଙ୍କୁ ଭେଟିଥିଲୁ। ବୟସ ୬୦ ଉପରେ ହେବ। ଥରି ଥରି ଟିକିଏ ଶୋଉଥାନ୍ତି। ପୁଣି ଉଠି ପଡ଼ୁଥାନ୍ତି। ଆମକୁ ଦେଖିବା ପରେ ତାଙ୍କ ମୁହଁରୁ ଏଭଳି କଥା ବାହାରି ଆସିଥିଲା। ମାଉସୀ ସହରାଞ୍ଚଳ ବାସସ୍ଥଳୀକୁ ଯାଉନା କାହିଁକି ବୋଲି ପଚାରିବାରୁ ସେ କହିଲେ କ’ଣ କହିବି ପୁଅ। ଦିନ ସାରା ଭିକ ମାଗୁଛି। ଯେତିକି ଟଙ୍କା ରୋଜଗାର କରୁଛି ସେଥିରେ ଚଳୁଛି। ଆଉ ପଇସା କୋଉ ବଳୁଛି ଯେ ଗାଡ଼ି ଭଡ଼ା କରି ବାସସ୍ଥଳୀକୁ ଯିବି।

ପେଟ ପୋଡ଼ିଯାଉଛି, ଶୋଇବି କ’ଣ?

ରାତି ୨ଟା ୧୦ ହେବ। ଅଶୋକ ନଗରଠାରେ ଭେଟିଥିଲୁ କବିରାଜ ରଣାକୁ। ବୟସ ୫୨ ହେବ। ତିନି ଖଣ୍ଡ ଇଟାରେ ଚୁଲି କରି ସେଥିରେ ରୋଷେଇ କରୁଥାନ୍ତି। ଆଳୁ, କୋବି ଭଜା। କଡେଇ ବଦଳରେ ଚୁଲିରେ ବସିଥାଏ କଁସା। ଦିନ ସାରା ସଂଗ୍ରହ କରିଥିବା କାଠକୁ ଜାଳୁଥାନ୍ତି। ଏତେ ରାତି ଯାଏ ଶୋଇନ କାହିଁକି ବୋଲି ପଚାରିବାରୁ ସେ କହିଉଠିଲେ ଭୋକରେ ପେଟ ଜଳିଯାଉଛି। ଶୋଇବି କ’ଣ? ଭୋର ୫ଟାରୁ କାମକୁ ଯାଇଥିଲି। ଆସି ପହଞ୍ଚିବା ପରେ ରୋଷେଇ କରୁଛି। ଖାଇ ସାରିବା ପରେ ଶୋଇବି। ପରିବାର ବ୍ରହ୍ମପୁରରେ। ୩ ମାସ ହେଲା ଏକା ରାସ୍ତାକଡ଼ରେ ରହୁଛି। ରୋଷେଇ ସାମଗ୍ରୀ ଏଠାରେ ରଖି କାମକୁ ଯାଉଛି। ସହରାଞ୍ଚଳ ବାସସ୍ଥଳୀରେ ରହିବାକୁ ଯାଉନା କାହିଁକି ବୋଲି ପଚାରିବାରୁ କହିଲେ ସେଠି ତ ୧୧ଟାରୁ ତାଲା। ଯିବି କେତେବେଳେ?

ଆଶ୍ରୟସ୍ଥଳୀକୁ ଲୋକେ ଆସୁନାହାନ୍ତି କାହିଁକି?

ସହରର ୭ଟି ସ୍ଥାନ(କାର୍ଗିଲ ବସ୍ତି, ମାଳି ସାହି, ଅଶୋକ ନଗର, ବରମୁଣ୍ଡା, ଘାଟିକିଆ, ଗଙ୍ଗନଗର ଏବଂ କଳ୍ପନା ଛକ)ରେ ସହରାଞ୍ଚଳ ବାସହୀନଙ୍କ ରହିଛି ବାସସ୍ଥଳୀ । ୨୭୨ ଲୋକଙ୍କ ରହିବା ଲାଗି ବ୍ୟବସ୍ଥା ହୋଇଛି। ଯେଉଁମାନେ ରହୁଛନ୍ତି ସେମାନଙ୍କୁ ଦୁଇଥର ଜଳଖିଆ, ଆମିଷ, ନିରାମିଷ ଖାଦ୍ୟ, ସ୍ୱାସ୍ଥ୍ୟ ପରୀକ୍ଷା, ହସ୍ପିଟାଲ ନିଆଯାଇ ମାଗଣାରେ ଚିକିତ୍ସା କରାଯାଉଛି। ଏତେ ସୁବିଧା ପରେ ବି ବାସସ୍ଥଳୀରେ ଶଯ୍ୟା ଖାଲିପଡ଼ୁଛି। ଲୋକ ରହିବାକୁ କାହିଁକି ଆସୁନାହାନ୍ତି ସେନେଇ ପ୍ରଶ୍ନ ଉଠିଛି। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବାସସ୍ଥଳୀରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ରହିବା, ଖାଇବାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପରୀକ୍ଷା ବି କରାଯାଉଛି। ତଥାପି ଲୋକେ କାହିଁକି ଆସୁନାହାନ୍ତି ଜଣାପଡ଼ୁନି।

ସମ୍ବନ୍ଧିତ ଖବର