ଅସହ୍ୟ ଜାଡ଼ରେ ରାସ୍ତା କଡ଼ରେ

ଭୁବନେଶ୍ବର: ଜାଡ଼ରେ ଥରୁଥାଏ ସହର। କାଁ ଭାଁ ଗାଡ଼ିମୋଟରକୁ ଛାଡ଼ିଦେଲେ ରାସ୍ତା ପ୍ରାୟ ଶୂନଶାନ୍। ପାରଦ ୧୧ ଡିଗ୍ରିକୁ ଖସି ଯାଇ ଯେମିତି କୋପ ଦେଖାଉଥାଏ। ଏତିକି ବେଳେ ରାମମନ୍ଦିର ନିକଟରେ ଖୋଲା ଆକାଶ ତଳେ ଶୋଇବାକୁ ଚେଷ୍ଟା କରି ବି ଶୋଇ ପାରୁନଥାନ୍ତି ୭୨ ବର୍ଷୀୟ ବୃଦ୍ଧ କେ ସ୍ବାମୀ। ଗୋଟେ ସିଲ୍କ ଶାଢ଼ିରେ ନିଜ ଫାଇଲେରିଆ ଗୋଡ଼କୁ ଢାଙ୍କି ବାରମ୍ବାର କଡ଼ ଲେଉଟାଇବାକୁ ଚେଷ୍ଟା କରୁଥାଆନ୍ତି। ଯେବେ ତାଙ୍କୁ କିଛି ପଚାରିଲୁ, ଆମ ପ୍ରଶ୍ନକୁ ଏଡ଼େଇ ଦେଇ ଥରଥର କଣ୍ଠରେ କାନ ଯୋଡ଼ାକୁ ଚାପି କହିଲେ, ଏ ଶୀତ ଆଉ ଏମିତି କେତେଦିନ ହେବ? ତାଙ୍କର ଏ ପ୍ରଶ୍ନର ଉତ୍ତର ଆମ ପାଖରେ ନଥିଲା। ନିଜେ ପୁଣି କଥା ଆରମ୍ଭ କରି କହିଲେ, ସଂଜ ହେଲେ ଜୀବନ ଛାଡ଼ି ଯାଉଛି। ତାଙ୍କୁ ପଚାରିଲୁ, ଆଶ୍ରୟସ୍ଥଳୀ ଅଛି ଯାଉନ କାହିଁକି? ଉତ୍ତର ଥିଲା, ସେଠି ଗଲେ କ’ଣ କରିବି। ବରଂ ଏଠି ରହିଲେ, କିଛି ଟଙ୍କା ମାଗିଯାଚି ସଞ୍ଚୁଛି। ସ୍ତ୍ରୀ ମୋ’ର ଚାଲିଗଲା ପରେ ପୁଅ ତା ବାଟରେ, ମୁଁ ମୋ ବାଟରେ। କିଛି ଉପାୟ ନାହିଁ ଆଜ୍ଞା। ସଞ୍ଚିଥିଲେ ହୁଏତ କିଏ ପଚାରିବ।
ସେଇଠୁ ମୁହାଁଇଥିଲୁ ଶ୍ରୀୟା ଛକ ଆଡ଼କୁ। ଖଦି ବୋର୍ଡ କାର୍ଯ୍ୟାଳୟର ଅପର ପାର୍ଶ୍ବରେ ଲମ୍ବ ହୋଇ କିଛି ଲୋକେ ଶୋଇ ଯାଇଥାଆନ୍ତି। ଜଣେ ବ୍ୟକ୍ତି ଲମ୍ବା ଜରିଅଖାକୁ ବିକଳରେ ଢାଙ୍କି ହୋଇ ଜାକିଜୁକି ହୋଇ ଶୋଇଥାଆନ୍ତି। ସରସ୍ବତୀ ନାମ୍ନୀ ଜଣେ ମହିଳାଙ୍କ ସହ ଅଢ଼େଇ ବର୍ଷର ଶିଶୁ କନ୍ୟାଟିଏ ବି ରାସ୍ତା କଡ଼ରେ ନିଜ ମା’ କୋଳରେ ଜାକି ହୋଇ ଥରୁଥାଏ। ଯେବେ ତାଙ୍କୁ ଆଶ୍ରୟସ୍ଥଳୀ ବାବଦରେ ପଚାରିଲୁ, ସରସ୍ବତୀ ଯାହା କହିଲେ ଶୁଣି ଆଶ୍ଚର୍ଯ୍ୟ ହେଲୁ। ସେ ବିନା ଦ୍ବିଧାରେ ଉତ୍ତର ଦେଲେ, ମୋ ଘର ଏଇ ୪ ନମ୍ବରରେ। ମୁଁ କିନ୍ତୁ ମୋ ଝିଅକୁ ଧରି ଏଇଠି ଶୁଏ। ସକାଳୁ ଉଠିଲେ ଏଇଠି ଭିକ ମାଗି ମୋ ଝିଅ ପାଇଁ ଟଙ୍କା ସଞ୍ଚେ। ଷ୍ଟେସନ୍‌ରେ ପହଞ୍ଚିବା ପରେ ପ୍ଲାଟ୍‌ଫର୍ମ ସମ୍ମୁଖ ଅଟୋ ଷ୍ଟାଣ୍ଡ୍ ବିପରୀତ ପାର୍ଶ୍ବରେ କିଏ ମଶିଣା ଘୋଡ଼ାଇ ହୋଇଯାଇଥାଏ ତ କିଏ ସିମେଣ୍ଟ୍ ଜରି ଢାଙ୍କି ହୋଇ ଜାକିଜୁକି ଶୋଇବାକୁ ଚେଷ୍ଟା କରୁଥାଏ। ସହରରେ ଆଶ୍ରୟସ୍ଥଳୀରେ ବେଡ୍ ଖାଲି ପଡ଼ିଥିଲେ ହେଁ ଖୋଲା ଆକାଶ ତଳେ ଏଭଳି ଦାରୁଣ ଚିତ୍ର ଆଉ କିଛି ବୟାନ କରୁଥିଲା। କିଛି ବ୍ୟକ୍ତିବିଶେଷ ଆଶ୍ରୟସ୍ଥଳୀର ଖାଦ୍ୟର ମାନକୁ ନେଇ ପ୍ରଶ୍ନ ଉଠେଇଥିବା ବେଳେ ଆଉ ଜଣେ ବ୍ୟକ୍ତି କହିଥିଲେ, ଆଶ୍ରୟସ୍ଥଳୀରେ ୮ ବର୍ଷ ରହିଲି, ସେ ଚାରିକାନ୍ଥ ଭିତରେ ଆଉ କେତେ ରହିବି?

ସୁଧାର ଗୃହ ଆବଶ୍ୟକ
ଯେତେବେଳେ ବି ବାସହୀନଙ୍କୁ ଉଦ୍ଧାର କରାଯାଉଛି, ସେମାନଙ୍କ ମଧ୍ୟରେ ଅଧିକାଂଶ ମାନସିକ ବିକାରଗ୍ରସ୍ତ, ନିଶାସକ୍ତ ଏବଂ କିଛି ଅପରାଧୀ ରହୁଛନ୍ତି। ତେଣୁ ସେମାନଙ୍କୁ ଏହି ଆଶ୍ରୟସ୍ଥଳୀକୁ ଖାଲି ଆଣିଲେ ହେବ ନାହିଁ। କାରଣ ମାନସିକ ବିକାରଗ୍ରସ୍ତ ଓ ନିଶାସକ୍ତ ବ୍ୟକ୍ତିମାନେ ଯେତେବେଳେ ବି ପୁଲିସ୍ ସହାୟତାରେ ଏଠାକୁ ଆସନ୍ତି ପରିସ୍ଥିତି ଅସମ୍ଭାଳ ହୋଇଯାଏ। ତେଣୁ ତାଙ୍କୁ ସୁଧାରିବା ପାଇଁ କାଉନ୍‌ସେଲିଂର ଆବଶ୍ୟକତା ଥିବାରୁ ଏନେଇ ପଦକ୍ଷେପ ନିଆଯିବା ଦରକାର ବୋଲି ଓଡ଼ିଶା ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ କହିଛନ୍ତି।

ଅଣ୍ଟୁନି ଆଶ୍ରୟସ୍ଥଳୀ
ବାସହୀନଙ୍କୁ ଆଶ୍ରୟ ଦେବା ପାଇଁ ରାଜଧାନୀରେ ରହିଛି ୭ଟି ଆଶ୍ରୟସ୍ଥଳୀ। ସେଥିମଧ୍ୟରୁ ଓଡ଼ିଶା ପତିତା ଉଦ୍ଧାର ସମିତି ଦ୍ବାରା ୫ଟି କେନ୍ଦ୍ର ପରିଚାଳିତ। ଗଙ୍ଗନଗର, ଅଶୋକନଗର, ଚନ୍ଦ୍ରଶେଖରପୁର, ମାଳିସାହି ଏବଂ ଭୀମପୁରରେ ଥିବା ଆଶ୍ରୟସ୍ଥଳୀରେ ପାଖାପାଖି ୨୦୦ ନିରାଶ୍ରିତ ରହୁଛନ୍ତି। ସେହିଭଳି ବିକାଶ ଅନୁଷ୍ଠାନ ଦ୍ବାରା ପରିଚାଳିତ ଘାଟିକିଆ ଏବଂ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଥିବା ଆଶ୍ରୟସ୍ଥଳୀରେ ପାଖାପାଖି ୫୦ଜଣ ଅନ୍ତେବାସୀ ରୁହନ୍ତି। ମାତ୍ର ଯଦି ସହର ମଧ୍ୟରୁ ପ୍ରକୃତ ବାସହୀନଙ୍କୁ କେବଳ ରାତିରେ ଶୋଇବା ପାଇଁ ଦିଆଯାଏ ତେବେ ରାଜଧାନୀରେ ଏତିକି ଆଶ୍ରୟସ୍ଥଳୀ ଅଣ୍ଟିବ ନାହିଁ।

ଛଟପଟ ହେଉଛନ୍ତି ମାନସିକ ବିକାରଗ୍ରସ୍ତ
ଆଶ୍ରୟସ୍ଥଳୀ ଥିଲେ ହେଁ ଅନେକଙ୍କର ଫୁଟ୍‌ପାଥ୍‌ରେ ରାତି ବିତିଯାଏ। ଏକ ସର୍ବେକ୍ଷଣରୁ ଜଣା ପଡ଼ିଛି ଯେ, ଯେଉଁମାନେ ଆଶ୍ରୟସ୍ଥଳୀକୁ ନଯାଇ ବାହାରେ ରାତି କଟାନ୍ତି ସେମାନଙ୍କ ମଧ୍ୟରେ ୬୦ ପ୍ରତିଶତ ନିଶାସକ୍ତ ଓ ଅପରାଧ ସହ ସମ୍ପୃକ୍ତ। ୨୫ ପ୍ରତିଶତ ହେଉଛନ୍ତି ମାନସିକ ବିକାରଗ୍ରସ୍ତ। ଯେଉଁମାନଙ୍କୁ ଆଶ୍ରୟସ୍ଥଳୀକୁ ନେବା ସମ୍ଭବ ହୁଏନି। ଯଦିବା ନିଆଯାଏ, ଆଶ୍ରୟସ୍ଥଳୀରେ ପହଞ୍ଚିବା ପରେ ସେମାନେ ଗାଳିଗୁଲଜ କରିବା ସହ ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି। ଫଳରେ ସେଠାରେ ରହୁଥିବା ବୃଦ୍ଧବୃଦ୍ଧାମାନଙ୍କ ଉପରେ ଏହା ନକରାତ୍ମକ ପ୍ରଭାବ ପକାଏ। ବୟ୍ୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ ଭୟ ପାଇ ଡରିଯାଆନ୍ତି।

ସମ୍ବନ୍ଧିତ ଖବର