ଘରେ ଠାକୁର ପୂଜି ମନ ବୁଝାଉଛନ୍ତି ଭକ୍ତ; ବେଲପତ୍ର, ତୁଳସୀ ଦେଇପାରୁ ନାହାନ୍ତି

ଅବଢ଼ା ହୋଇଛି ସାତସପନ

ପୁରୁଣା ଭୁବନେଶ୍ୱର: କରୋନାର ଦ୍ବିତୀୟ ଲହର ଯୋଗୁଁ ସାରା ରାଜ୍ୟରେ ଦେବଦେବୀଙ୍କ ମନ୍ଦିର ବନ୍ଦ ରହିଥିବା ବେଳେ ଏକାମ୍ର କ୍ଷେତ୍ରରେ ମନ୍ଦିର ଗୁଡ଼ିକ ମଧ୍ୟ ସେଥିରୁ ମୁକୁଳି ପାରିନାହିଁ। ଯାହା ଫଳରେ ମନ୍ଦିରରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇପାରୁ ନାହିଁ। ଏବେ ଘରେ ପୂଜା କରି ମନ ବୁଝାଉଛନ୍ତି ଭକ୍ତ। କରୋନା ଭୟ ଯୋଗୁଁ ଗତ ମାର୍ଚ ୧୮ ତାରିଖରୁ ମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି ତେଣୁ ଦର୍ଶନରୁ ବଞ୍ଚିତ ଭକ୍ତ ଛାତ ଉପରୁ ଶ୍ରୀଲିଙ୍ଗରାଜ ମନ୍ଦିର ପତାକା ଦେଖି ମନ ବୁଝାଉଛନ୍ତି। ମନ୍ଦିରରେ କେବଳ ଠାକୁରଙ୍କ ନୀତିକାନ୍ତି ହେଉଛି। ସାଧାରଣ ଦର୍ଶନ ବନ୍ଦ ରହିଛି। ଫଳରେ ଘରେ ଠାକୁର ପୂଜୁଛନ୍ତି। ଏପରିକି ମନ୍ଦିରକୁ ବେଲପତ୍ର, ତୁଳସୀ ଦେଇ ପାରୁନାହାନ୍ତି ଶ୍ରଦ୍ଧାଳୁ। ଏବେ ଅବଢ଼ା ମଧ୍ୟ ଭକ୍ତଙ୍କ ପାଇଁ ସାତସପନ ପାଲଟିଛି।

ଲକ୍‌ଡାଉନ ଯୋଗୁଁ ଏବେ ମନ୍ଦିର ବେଢ଼ା ଖାଁ ଖାଁ। ଯେଉଁ ପୀଠରେ ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନିକ ଶତାଧିକ ଭକ୍ତଙ୍କ ଆଗମନ ହେଉଥିଲା, ସେଠାରେ ଏବେ ନିଜ ପୂଜା ପାଳି ଥିବା ପୂଜକଙ୍କ ବ୍ୟତୀତ ଆଉ କାହାକୁ ଦେଖିବାକୁ ମିଳୁନାହିଁ। ମନ୍ଦିରରେ ଭକ୍ତ ନଥିବାରୁ ଅଧିକ ଫୁଲ, ବେଲପତ୍ର ଓ ତୁଳସୀ ପତ୍ର ମଧ୍ୟ ଆସିପାରୁ ନାହିଁ। ପ୍ରତିଦିନ ଠାକୁରଙ୍କ ବେଲପତ୍ର ପାଇବା ପାଇଁ ଯେପରି ଭିଡ଼ ହୁଏ, ତାହା ବି ନାହିଁ। ସେହିପରି ମା’ ପାର୍ବତୀ ଓ ଭୁବନେଶ୍ବରୀଙ୍କ ମାଜଣା ପାଦୁକ ଭକ୍ତ ପାଇ ପାରୁନାହାନ୍ତି। ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଏହି ପାଦୁକ ପାଇଁ ବ୍ୟାକୁଳ ହେଉଥିବା ବେଳେ ଲକ୍‌ଡାଉନ ଯୋଗୁଁ ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି।

ବ୍ରାହ୍ମଣ ସାହିର ରାଜକିଶୋର ମହାପାତ୍ର କହନ୍ତି, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବେଲପତ୍ର ପାଇବା ପାଇଁ ପ୍ରତିଦିନ ଶତାଧିକ ଭକ୍ତ ଆସନ୍ତି। କରୋନାର ଦ୍ବିତୀୟ ଲହର ଯୋଗୁଁ ମନ୍ଦିରକୁ ଭକ୍ତଙ୍କ ଫୁଲ, ବେଲପତ୍ର ଓ ତୁଳସୀ ଦେବାରୁ ବଞ୍ଚିତ ଅଛନ୍ତି। ସେହିପରି ବଡୁ ସାହିର ପ୍ରଭାତୀ ନଳିନୀ ମହାପାତ୍ର କହନ୍ତି, ଯେତେବେଳେ ଚାହୁଁ ମହାପ୍ରଭୁଙ୍କ ଦର୍ଶନ କରିଥାଉ। ଏବେ କୋଠା ଉପରେ ଶ୍ରୀଲିଙ୍ଗରାଜଙ୍କ ପତାକା ଦେଖି ମନ ବୁଝାଉଛୁ। ସେହିପରି ଭୁବନେଶ୍ବରୀ ମନ୍ଦିରର ପୂଜକ ମଣ୍ଟୁ ପୂଜାପଣ୍ଡା କହନ୍ତି, ଲକ୍‌ଡାଉନ୍ ଯୋଗୁଁ ଲିଙ୍ଗରାଜ ମନ୍ଦିର ମନ୍ଦିରରେ ଅବଢ଼ା ବନ୍ଦ। ଠାକୁରଙ୍କ ଅବଢ଼ା ପାଇପାରୁ ନାହୁଁ। ସେବାୟତଙ୍କ ପରିବାର ମଧ୍ୟ ଘରେ ରହି ପୂଜା କରି ମନ ବୁଝାଉଛନ୍ତି।

ସମ୍ବନ୍ଧିତ ଖବର