ଭୁବନେଶ୍ବର : ପୁଲିସ ଉପରେ ଆଉ ଭରସା ପାଉନି। ସବୁଠାରୁ ବଳଶାଳୀ ପୁଲିସ କୁହାଯାଉଥିବା କମିସନରେଟ ପୁଲିସ ମଧ୍ୟ ରାଜଧାନୀବାସୀଙ୍କୁ ସୁରକ୍ଷା ଯୋଗାଇ ପାରୁନାହିଁ। ମାଳମାଳ ପିସିଆର ଭ୍ୟାନ, ଘନ ଘନ ପାଟ୍ରୋଲିଂ। ଅତ୍ୟାଧୁନିକ ମଡର୍ଣ୍ଣ କଣ୍ଟ୍ରୋଲ ରୁମ। ସହର ସାରା ସିସି କ୍ୟାମେରା। ତଥାପି ଲୁଟେରାମାନଙ୍କ ଏତେ ସାହସ ଯେ ବନ୍ଧୁକ ମୁନରେ ଓ ଖଣ୍ଡାରେ ହାଣି ଲୁଟ୍‌ପାଟ କରୁଛନ୍ତି।

Advertisment

ନିର୍ବାଚନ ପୂର୍ବରୁ ନୂଆ ବାବୁମାନେ ରାଜଧାନୀ ଆସିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇ ତିନି ଜଣଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତେ ବାହାର ଜିଲ୍ଲାରୁ ଆସିଛନ୍ତି। ଯେଉଁମାନଙ୍କର ରାଜଧାନୀର ପୁରୁଣା ଅପରାଧୀମାନଙ୍କ ସମ୍ପର୍କରେ ସାମାନ୍ୟତମ ଜ୍ଞାନ ନାହିଁ। କିଏ କେଉଁ ଗ୍ୟାଙ୍ଗର ସେ ସମ୍ପର୍କରେ ପୁଲିସ ପାଖରେ ମଧ୍ୟ ତଥ୍ୟ ନାହିଁ। କେବଳ ଉପର ଠାଉରିଆ ଭାବେ କେତେକଙ୍କୁ ଗିରଫ କରି ଜେଲ ପଠାଇ ଦେଉଛନ୍ତି। କିଛି ଦିନ ପରେ ଅବସ୍ଥା ଯାହାକୁ ତାହା। ଜେଲରୁ ଫେରି ଲୁଟେରାମାନେ ପୁଣି ଅପରେସନ ଆରମ୍ଭ କରି ଦେଉଛନ୍ତି। ସତେ ଯେମତି ଅପରାଧୀମାନେ ଉପରମୁହାଁ ହୋଇ ଯାଇଛନ୍ତି। ପୁଲିସକୁ ଚ୍ୟାଲେଞ୍ଜ ଦେଇ ଦିନବେଳେ ଲୁଟପାଟ କରୁଛନ୍ତି। ଗତକାଲି ମଞ୍ଚେଶ୍ବର ଥାନା ଅଧୀନରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଲୁଟେରାମାନେ ଯେଉଁ ଭଳି ଢଙ୍ଗରେ ବନ୍ଧୁକ ମୁନ ଓ ଖଣ୍ଡ‌ାରେ ହାଣି ଲୁଟ୍‌ପାଟ କଲେ, ଏଥିରେ କମିସନରେଟ ପୁଲିସ ମାନ ସମ୍ମାନ ହାନି ଭଳି ଘଟଣା ଘଟିଲା। ଲୁଟେରାମାନେ ସକାଳୁ ରାତି ୧୨ଟା ଯାଏ ଥାନା ଅଞ୍ଚଳରେ ଏଭଳି କାଣ୍ଡ ଭିଆଇ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଥିଲେ। ଲୋକ ମଧ୍ୟ ତ୍ରାହି ତ୍ରାହି ଡାକିବା ସହ ଆଜି ପ୍ରତିବାଦ କରିଥିଲେ। ୨୪ ଘଣ୍ଟା ମଧ୍ୟରେ ଲୁଟେରାମାନଙ୍କୁ ଗିରଫ କରିବା ଦାବିରେ ରସୁଲଗଡ଼ ଛକରେ ୨ ଘଣ୍ଟା ଜାତୀୟ ରାଜପଥ ଅବରୋଧ କରିଥିଲେ।

ଲୁଟେରାମାନଙ୍କ କ୍ଷେତ୍ରରେ ଯେଉଁ ଭଳି ଢଙ୍ଗରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କରୁନାହିଁ। କମିସନରେଟ ପୁଲିସ ଦୁର୍ଦାନ୍ତ ଅପରାଧୀମାନଙ୍କୁ ଏନକାଉଣ୍ଟର କରି ସାରା ରାଜ୍ୟକୁ ଏକ ସ୍ବତନ୍ତ୍ର ବାର୍ତା ଦେଇଥିବା ବେଳେ ଏବେ ଭୁବନେଶ୍ବର ପୁଲିସ ଏନକାଉଣ୍ଟର କ’ଣ ତାହା ପାସୋରି ଦେଇଛି। ଏଭଳି ସମୟରେ ଅନ୍ୟ ଜିଲ୍ଲା ପୁଲିସ ଏନକାଉଣ୍ଟର ଆରମ୍ଭ କରିବା ପରେ ଏବେ ରାଜ୍ୟର ଅନ୍ୟ ଅଞ୍ଚଳରେ ଅପରାଧୀ ଓ ଲୁଟେରାମାନେ ଭୁବନେଶ୍ବର ମୁହାଁ। ବେଶ ନିରାପଦରେ ସହର ମଧ୍ୟରେ ରହି ଲୁଟପାଟ ଭଳି ଘଟଣା ଘଟାଇ ଖସି ଯାଉଛନ୍ତି। ପୁଲିସ ମଧ୍ୟ ସେମାନଙ୍କ ସମ୍ପର୍କରେ କୌଣସି ଟେର ପାଉନାହିଁ।

ବିଶେଷ ସୂତ୍ରରୁ ଯାହା ସୂଚନା ମିଳିଛି, ସାମୁଦ୍ରିକ ଝଡ଼ ଫନି ପରେ ରାଜଧାନୀରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଥିଲା। ଲୁଟେରାମାନେ କେଉଁଠି ଝରକା, ଗ୍ରିଲ ତାଡ଼ି ଲକ୍ଷାଧିକ ଟଙ୍କାର ସୁନାଗହଣା ବୋହି ନେଲେଣି ତ କେଉଁଠି ଘରେ ପଶି ହାତଗୋଡ଼ ବାନ୍ଧି ଡକାୟତି କଲେଣି। କାର୍‌ ଚାଳକଙ୍କୁ କଟୁରିରେ ହାଣି ଟଙ୍କା ଗହଣା ଛଡ଼ାଇ ନେଇଛନ୍ତି ତ କେଉଁଠି ଚେନ୍‌ ଝାମ୍ପି ନେଇଛନ୍ତି। ଏପରି କି ଲୁଟେରାମାନେ ଇଜ୍ଜତ ନେବାକୁ ମଧ୍ୟ ପଛାଉନାହାନ୍ତି। ଘରେ ରହୁଥିବା ଏକୁଟିଆ ଝିଅ, ବୋହୂଙ୍କୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ କରୁଛନ୍ତି। ପ୍ରତ୍ୟେକ ଦିନ ରାଜଧାନୀରେ ଏଭଳି ଅଭାବନୀୟ ଘଟଣା ଘଟୁଛି। ଯାହାକୁ ନେଇ ରାଜଧାନୀବାସୀ ଚିନ୍ତିତ। ଏଥିରେ ପୁଲିସର ଦୁର୍ବଳତା ଜଳଜଳ ଦେଖାଯାଉଛି। ପ୍ରତ୍ୟେକ ଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ କମିସନରେଟ ପୁଲିସର ବଡ଼ ବାବୁମାନେ ଏ ନେଇ ମୁହଁ ଖୋଲୁନାହାନ୍ତି।

ଅନ୍ୟ ପକ୍ଷରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଭୁବନେଶ୍ବର ବାହାରୁ କେତେକ ଲୁଟେରା ଗ୍ୟାଙ୍ଗ ଏଠାକୁ ଚାଲି ଆସିଛନ୍ତି। ସେହି ଗ୍ୟାଙ୍ଗ ଏବେ ଲୁଟପାଟ କରି ଆତଙ୍କ ଖେଳାଉଛି। ବିଶେଷକରି ରାଜଧାନୀରେ ଥିବା ନିକାଞ୍ଚନ ଜାଗାକୁ ଏହି ଲୁଟେରା ଗ୍ୟାଙ୍ଗ ସଦସ୍ୟ ଟାର୍ଗେଟ୍‌ କରି ରାତିରେ କଳାକନା ବୁଲାଉଛନ୍ତି। ଖଣ୍ଡଗିରି, ସହିଦନଗର, ମଞ୍ଚେଶ୍ବର, ତମାଣ୍ଡୋ, ଧଉଳି, ଏୟାରଫିଲଡ୍‌ ଅଞ୍ଚଳରେ ଏଭଳି ଅଧିକାଂଶ ଘଟଣା ଘଟି ଚାଲିଛି। ଅନେକ ଘଟଣା ଗଣମାଧ୍ୟମ ସମ୍ମୁଖକୁ ମଧ୍ୟ ଆସୁନାହିଁ। ଏହି ସବୁ ଘଟଣା ଏବେ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ଗତ କ୍ରାଇମ୍‌ ମିଟିଂରେ ପୁଲିସ ମଧ୍ୟ ସ୍ବୀକାର କରିଛି କି, ରାଜଧାନୀରେ ଚୋରି, ସିନ୍ଧିଚୋରି, ଛିନତାଇ, ଲୁଟପାଟ, ରାହାଜାନୀ ଭଳି ଘଟଣା ବଢ଼ି ଚାଲିଛି। ଗତ ୩ ମାସ ମଧ୍ୟରେ ରାଜଧାନୀରେ ପାଖାପାଖି ୩ଶହରୁ ଅଧିକ ଲୁଟ, ଛିନତାଇ, ରାହାଜାନୀ ଓ ଡକାୟତି ଭଳି ଘଟଣା ଘଟି ସାରିଲେଣି।